ଭୁବନେଶ୍ୱର : ୨୧/୦୩ (ଜନ ବାଣୀ): ଏପ୍ରିଲ ୧ରୁ ଆରମ୍ଭ ହେବ ସ୍ବତନ୍ତ୍ର ଅଭିଯାନ। ଆଗାମୀ ୩ ବର୍ଷ ଭିତରେ ନିଶା ବା ଗଞ୍ଜେଇର ମୂଲପୋଛ ପାଇଁ ଆରମ୍ଭ ହେବ ଅଭିଯାନ। ଶିକ୍ଷାନୁଷ୍ଠାନ ୫୦୦ ମିଟର ଭିତରେ ନିଶା ଦ୍ରବ୍ୟ ବିକ୍ରି ଉପରେ ଏସପିଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଅନ୍ୟପଟେ ନିଶା ମାଫିଆଙ୍କୁ ଗିରଫ କରିବା ସହ ଦଣ୍ଡବିଧାନ ଦିଗରେ ମଧ୍ୟ ଓଡିଶା ପୋଲିସକୁ ବ୍ୟାପକ ସଫଳତା ମିଳିଛି। ୨୦୨୫ ଜାନୁଆରୀ ୧ରୁ ୨୦୨୬ ଫେବୃଆରୀ ୨୮ ମଧ୍ୟରେ ମୋଟ ୧,୪୪୪ କୋଟି ଟଙ୍କା ମୂଲ୍ୟରେ ଗଞ୍ଜେଇ ଚାଷ ନଷ୍ଟ ହୋଇଛି। ୧୩୪୬ କୋଟି ଟଙ୍କା ମୂଲ୍ୟର ଗଞ୍ଜେଇ ଜବତ ହୋଇଛି। ୪୧.୭ କୋଟି ଟଙ୍କା ମୂଲ୍ୟର ବ୍ରାଉନସୁଗାର ଓ ୧୦.୧୭ କୋଟି ଟଙ୍କା ମୂଲ୍ୟର ସିରଫ ଜବତ ହୋଇଛି। ୨୦୦ କୋଟି ଟଙ୍କା ମୂଲ୍ୟର ୧୮୬୨ ଲିଟର ଗଞ୍ଜେଇ ତେଲ ଜବତ ହୋଇଛି । ୬୫୪ଜଣ ଆନ୍ତଃରାଜ୍ୟ ନିଶା ବେପାରୀ ଗିରଫ ହୋଇଛନ୍ତି । ଏଥି ସହିତ ନିଶା ବେପାରୀଙ୍କ ଅର୍ଥନୈତିକ ମେରୁଦଣ୍ଡ ଭାଙ୍ଗିବା ପାଇଁ ୧୦ କୋଟି ଟଙ୍କାରୁ ଅଧିକ ସମ୍ପତ୍ତି ବ୍ୟାଜପ୍ତି କରାଯାଇଛି। ଏସଟିଏଫ୍ ଦ୍ଵାରା ପ୍ରଶିକ୍ଷିତ କେ-୯ ସ୍କାଇଫର୍ ସ୍ଵାନଙ୍କ ସହାୟତାରେ ରାଜ୍ୟର ପ୍ରମୁଖ ରେଳ ଷ୍ଟେସନ ଓ ବସଷ୍ଟାଣ୍ଡ ଗୁଡ଼ିକରେ କଡ଼ା ନଜର ରଖାଯାଇଛି । ଦଣ୍ଡବିଧାନ ସହିତ ସଚେତନତା ଓ ସଂସ୍କାର ଉପରେ ଓଡ଼ିଶା ପୋଲିସ ଗୁରୁତ୍ଵ ଦେଉଛି । ଓଡ଼ିଶାରେ ବର୍ତ୍ତମାନ କେନ୍ଦ୍ର ସରକାରଙ୍କ ଆର୍ଥିକ ଅନୁଦାନରେ ୨୯ଟି ଜିଲ୍ଲାରେ ୪୧ ଗୋଟି ଓ ରାଜ୍ୟ ସରକାରଙ୍କ ଆର୍ଥିକ ଅନୁଦାନରେ ୧୧ଗୋଟି ନିଶା ନିବାରଣ କେନ୍ଦ୍ର , ମୋଟ ୫୨ଟି ନିଶା ନିବାରଣ କେନ୍ଦ୍ର କାର୍ଯ୍ୟ କରୁଛି। କେନ୍ଦ୍ର ସରକାରଙ୍କ ଦ୍ଵାରା ପରିଚାଳିତ ନିଶା ନିବାରଣ କେନ୍ଦ୍ରରେ ୧୫ ଜଣ ଓ ରାଜ୍ୟ ସରକାରଙ୍କ ଦ୍ଵାରା ପରିଚାଳିତ କେନ୍ଦ୍ରରେ ୩୦ ଜଣ ଲେଖାଏଁ ନିଶାସକ୍ତ ବ୍ୟକ୍ତିମାନଙ୍କ ପାଇଁ ମାଗଣାରେ ଏକମାସ ପର୍ଯ୍ୟନ୍ତ ରହିବା, ଖାଇବା, ଚିକିତ୍ସା ସହିତ ବୈଷୟିକ ତାଲିମ ଦିଆଯାଉଛି । ଏପର୍ଯ୍ୟନ୍ତ ୧୯,୩୯୫ ଜଣ ବ୍ୟକ୍ତି ନିଶାରୁ ନିବୃତ ହୋଇ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ଅଭ୍ୟାସଗତ ନିଶା ବ୍ୟବସାୟୀମାନଙ୍କ ବିରୋଧରେ କଠୋର ପଦକ୍ଷେପ ଗ୍ରହଣ କରିବାକୁ ଓଡ଼ିଶା ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି। ନିଶା ବ୍ୟବସାୟୀମାନଙ୍କ ଅର୍ଥନୈତିକ ମେରୁଦଣ୍ଡ ଭାଙ୍ଗିବାକୁ ଏନ୍ଏସଏ ଲଗାଯାଉଛି। ଏହି କ୍ରମରେ ମୋଟ ୧୬ଟି ପ୍ରସ୍ତାବ ରାଜ୍ୟ ସରକାରଙ୍କ ନିକଟକୁ ପଠାଯାଇଛି।

