ନୂଆପଡ଼ା,୦୪/୦୬,(ପରମେଶ୍ୱର ମେହେର):ନୂଆପଡ଼ା ଜିଲ୍ଲାରେ ଚଳିତ ରବି ଧାନ ଅଧିଗ୍ରହଣ କାର୍ଯ୍ୟକ୍ରମ ସୁଚାରୁ ଭାବେ ଜାରି ରହିଛି। ଜିଲ୍ଲା ପ୍ରଶାସନର ତତ୍ତ୍ୱାବଧାନରେ ଚାଷୀମାନଙ୍କଠାରୁ ସ୍ୱଚ୍ଛ ଓ ଶୃଙ୍ଖଳିତ ଭାବେ ଧାନ କ୍ରୟ କରାଯାଉଛି।ଜୁନ ୩ ତାରିଖ ସୁଦ୍ଧା ଜିଲ୍ଲାର ୨୨ଟି ପ୍ୟାଡି ପ୍ରୋକ୍ୟୁରମେଣ୍ଟ ସେଣ୍ଟର (PPC) କାର୍ଯ୍ୟକ୍ଷମ ରହିଥିବା ବେଳେ ୨୩୮ ଜଣ ଚାଷୀଙ୍କଠାରୁ ମୋଟ ୧୨,୩୯୮.୬୯ କ୍ୱିଣ୍ଟାଲ ଧାନ କ୍ରୟ କରାଯାଇଛି।ଜିଲ୍ଲାରେ ମୋଟ ୨୪ଟି PPC ମାଧ୍ୟମରେ ଏପର୍ଯ୍ୟନ୍ତ ୭୬୮ ଜଣ ଚାଷୀଙ୍କଠାରୁ ସମୁଦାୟ ୩୯,୯୯୧ କ୍ୱିଣ୍ଟାଲ ଧାନ ଅଧିଗ୍ରହଣ କରାଯାଇଛି। ଚାଷୀମାନଙ୍କ ସୁବିଧା, ଧାନର ସୁରକ୍ଷିତ ସଂରକ୍ଷଣ, ଶୀଘ୍ର ଉଠାଣ ଏବଂ ସମୟୋପଯୋଗୀ ପ୍ରାପ୍ୟ ପ୍ରଦାନ ନିଶ୍ଚିତ କରିବା ପାଇଁ ଜିଲ୍ଲା ପ୍ରଶାସନ, ଯୋଗାଣ ବିଭାଗ, ସମବାୟ ସମିତି ଓ ସମ୍ପୃକ୍ତ ସଂସ୍ଥାଗୁଡ଼ିକ ସମନ୍ୱିତ ଭାବେ କାର୍ଯ୍ୟ କରୁଛନ୍ତି।ରବି ଧାନ ଅଧିଗ୍ରହଣ ପ୍ରକ୍ରିୟାକୁ ସ୍ୱଚ୍ଛ ଓ ନିରବଚ୍ଛିନ୍ନ ରଖିବା ପାଇଁ ସମସ୍ତ PPCର କାର୍ଯ୍ୟକଳାପ ଉପରେ ନିୟମିତ ତଦାରଖ କରାଯାଉଥିବା ବେଳେ ଅବଶିଷ୍ଟ ଚାଷୀମାନଙ୍କଠାରୁ ମଧ୍ୟ ପର୍ଯ୍ୟାୟକ୍ରମେ ଧାନ କ୍ରୟ କାର୍ଯ୍ୟ ଜାରି ରହିବ।

