ଭୁବନେଶ୍ୱର,୧୦/୦୬,(କିଶନ ଶର୍ମା):ଭୁବନେଶ୍ୱର: ରାଜ୍ୟରେ ହେପାଜତ ମୃତ୍ୟୁ, ଗଣହିଂସା ଏବଂ ଥାର୍ଡ ଡିଗ୍ରୀ ନିର୍ଯାତନା ଅଭିଯୋଗକୁ ନେଇ ସମାଲୋଚନା ବଢ଼ୁଥିବା ବେଳେ ଓଡ଼ିଶା ପୋଲିସ ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛି। ରାଜ୍ୟର ଆଇନଶୃଙ୍ଖଳା ସ୍ଥିତିର ବ୍ୟାପକ ସମୀକ୍ଷା ପାଇଁ ପୋଲିସ ପ୍ରଶାସନ ଅଣ୍ଟା ଭିଡ଼ିଛି। ଏହି କ୍ରମରେ ୧୫ ଜଣ ବରିଷ୍ଠ ଆଇପିଏସ୍ ଅଧିକାରୀଙ୍କୁ ଆସନ୍ତା ଜୁଲାଇ ୧, ୨୦୨୬ରୁ ରାଜ୍ୟର ୧୭ଟି ଅପରାଧ ପ୍ରବଣ ଜିଲ୍ଲାର ସ୍ୱାଧୀନ ଯାଞ୍ଚ କରିବା ଦାୟିତ୍ୱ ଦିଆଯାଇଛି।ଡିଜିପି ପାହ୍ୟାରୁ ଆରମ୍ଭ କରି ଆଇଜି ପାହ୍ୟା ପର୍ଯ୍ୟନ୍ତ ଏହି ବରିଷ୍ଠ ଅଧିକାରୀମାନେ ‘ବାର୍ଷିକ ବ୍ଲକ୍ ନିରୀକ୍ଷଣ କାର୍ଯ୍ୟକ୍ରମ-୨୦୨୬’ ଅଧୀନରେ ବ୍ୟାପକ କ୍ଷେତ୍ର ପରିଦର୍ଶନ କରିବେ। ସୂଚନା ଅନୁଯାୟୀ, ଏହି ଅଧିକାରୀମାନେ ସେମାନଙ୍କର ଯାଞ୍ଚ ଶେଷ କରିବାର ୧୫ ଦିନ ମଧ୍ୟରେ ଏକ ବିସ୍ତୃତ ରିପୋର୍ଟ ଦାଖଲ କରିବେ।ଏହି ସ୍ୱତନ୍ତ୍ର ସମୀକ୍ଷା ସମୟରେ ପୋଲିସ ବିଭାଗର ପ୍ରମୁଖ କାର୍ଯ୍ୟଧାରା ଉପରେ ତୀକ୍ଷ୍ଣ ନଜର ରଖାଯିବ:ଜିଲ୍ଲାଗୁଡ଼ିକର ସାମ୍ପ୍ରତିକ ସୁରକ୍ଷା ଓ ଶାନ୍ତି ବ୍ୟବସ୍ଥା। ଅପରାଧ ରୋକିବା ଏବଂ ମାମଲାର ତଦନ୍ତ ପ୍ରକ୍ରିୟାର ସମୀକ୍ଷା। ବିଭିନ୍ନ ପୋଲିସ ଷ୍ଟେସନ, ଜିଲ୍ଲା ପୋଲିସ କାର୍ଯ୍ୟାଳୟ ଏବଂ ରିଜର୍ଭ ଏଷ୍ଟାବ୍ଲିସମେଣ୍ଟର କାର୍ଯ୍ୟକାରିତା। ପୋଲିସ ସେବାରେ ସ୍ୱଚ୍ଛତା ଓ ସାଧାରଣ ଜନତାଙ୍କ ସହ ସମନ୍ୱୟ। “ପୋଲିସ ବିଭାଗରେ ଥିବା ତ୍ରୁଟିଗୁଡ଼ିକୁ ଚିହ୍ନଟ କରିବା, ଉତ୍ତରଦାୟିତ୍ୱ ବୃଦ୍ଧି କରିବା ଏବଂ ପୋଲିସ ବ୍ୟବସ୍ଥା ପ୍ରତି ଜନସାଧାରଣଙ୍କ ଆସ୍ଥା ଫେରାଇ ଆଣିବା ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ।”ଗତ କିଛି ଦିନ ହେବ ରାଜ୍ୟରେ ଘଟିଥିବା କେତେକ ସମ୍ବେଦନଶୀଳ ଘଟଣା, ବିଶେଷ କରି ପୋଲିସ ହେପାଜତରେ ମୃତ୍ୟୁ ଏବଂ ବଢ଼ୁଥିବା ମବ୍ ଭାୟୋଲେନ୍ସ ଯୋଗୁଁ ଓଡ଼ିଶା ପୋଲିସର ଭାବମୂର୍ତ୍ତି କ୍ଷୁଣ୍ଣ ହୋଇଛି। ପ୍ରଶାସନିକ ସୂତ୍ର ଅନୁସାରେ, ଏହି ବ୍ୟାପକ ଯାଞ୍ଚ ପ୍ରକ୍ରିୟା ପୋଲିସର କାର୍ଯ୍ୟଶୈଳୀରେ ଥିବା ଗଳାବାଟକୁ ବନ୍ଦ କରିବାରେ ଏବଂ ଆଇନ ଶୃଙ୍ଖଳା ପରିଚାଳନାରେ ଅଧିକ ସ୍ୱଚ୍ଛତା ଆଣିବାରେ ସହାୟକ ହେବ।

