ନୂଆପଡ଼ା,୧୬/୦୬(ପରମେଶ୍ୱର ମେହେର):ରାଜ୍ୟ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଅବସରରେ ନୂଆପଡ଼ା ଜିଲ୍ଲା ସଦ୍ଭାବନା ସଭାଗୃହଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଯୋଗଦେଇ ମାନ୍ୟବର ମନ୍ତ୍ରୀ, ପଞ୍ଚାୟତିରାଜ, ପାନୀୟଜଳ ଓ ଗ୍ରାମ୍ୟ ଉନ୍ନୟନ ଶ୍ରୀ ରବି ନାରାୟଣ ନାଏକ ରାଜ୍ୟ ସରକାରଙ୍କ ଦୁଇ ବର୍ଷର ସଫଳତା ଓ ନୂଆପଡ଼ା ଜିଲ୍ଲାର ବିକାଶମୂଳକ କାର୍ଯ୍ୟକ୍ରମ ସମ୍ପର୍କରେ ବିସ୍ତୃତ ସୂଚନା ପ୍ରଦାନ କରିଥିଲେ।ଗଣମାଧ୍ୟମ ପ୍ରତିନିଧି, ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ଓ ଡିଜିଟାଲ କଣ୍ଟେଣ୍ଟ ସୃଷ୍ଟିକର୍ତ୍ତାଙ୍କ ସହ ଆଲୋଚନା କରି ମନ୍ତ୍ରୀ ଶ୍ରୀ ନାଏକ କହିଥିଲେ ଯେ, ରାଜ୍ୟ ସରକାରଙ୍କ “ବିକାଶର ଧାରା, ଓଡ଼ିଶା ସାରା” ସ୍ଲୋଗାନକୁ ପାଥେୟ କରି ନୂଆପଡ଼ା ଜିଲ୍ଲା ବିକାଶର ଏକ ନୂତନ ଦିଗନ୍ତରେ ପହଞ୍ଚିଛି। “ଆସନ୍ତୁ ଆମେ ସମସ୍ତେ ଆଗକୁ ବଢ଼ିବା, ନୂଆପଡ଼ାର ବିକାଶ କରିବା” ବୋଲି ସେ ଆହ୍ୱାନ ଦେଇଥିଲେ।ମହିଳା ସଶକ୍ତିକରଣ କ୍ଷେତ୍ରରେ ନୂଆପଡ଼ା ଜିଲ୍ଲା ଉଲ୍ଲେଖନୀୟ ସଫଳତା ହାସଲ କରିଛି। ଜିଲ୍ଲାରେ ୪୪,୬୦୭ ଜଣ ସମ୍ଭାବ୍ୟ ଲକ୍ଷପତି ଦିଦି ଚିହ୍ନଟ ହୋଇଥିବା ବେଳେ ୩୬,୬୭୬ ଜଣ ଲକ୍ଷପତି ଦିଦି ସୃଷ୍ଟି କରାଯାଇଛି। ୫,୭୬୯ଟି ସ୍ୱୟଂ ସହାୟକ ଗୋଷ୍ଠୀକୁ ୨୦୦.୯୩ କୋଟି ଟଙ୍କାର ବ୍ୟାଙ୍କ ଋଣ ସହାୟତା ପ୍ରଦାନ କରାଯାଇଛି।ମନରେଗା ଯୋଜନା ଅଧୀନରେ ଗତ ଦୁଇ ବର୍ଷ ମଧ୍ୟରେ ୧୦୮.୮୫ ଲକ୍ଷ ଶ୍ରମଦିବସ ସୃଷ୍ଟି କରାଯାଇଥିବା ବେଳେ ୧.୩୫ ଲକ୍ଷରୁ ଅଧିକ ପରିବାରକୁ ରୋଜଗାର ସୁଯୋଗ ମିଳିଛି। ୪୦,୨୫୩ ପରିବାର ୧୦୦ ଦିନରୁ ଅଧିକ ରୋଜଗାର ପାଇଛନ୍ତି। ଏହି ଅବଧିରେ ୪୦୬.୭୩ କୋଟି ଟଙ୍କା ବ୍ୟୟରେ ଜଳ ସଂରକ୍ଷଣ, ମୃତ୍ତିକା ସଂରକ୍ଷଣ, ଗ୍ରାମୀଣ ସଡ଼କ ଓ ଜୀବିକାଭିତ୍ତିକ ସମ୍ପତ୍ତି ସୃଷ୍ଟି କରାଯାଇଛି।ପାନୀୟଜଳ କ୍ଷେତ୍ରରେ ଗତ ଦୁଇ ବର୍ଷରେ ୨୬ଟି ପାନୀୟଜଳ ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇ ୧.୩୪ ଲକ୍ଷରୁ ଅଧିକ ଲୋକ ଉପକୃତ ହେଉଛନ୍ତି। ସେହିପରି ୪୯ଟି ସୌରଚାଳିତ ପାନୀୟଜଳ ପ୍ରକଳ୍ପର କାର୍ଯ୍ୟ ସମାପ୍ତ ହୋଇଛି। ‘ହର ଘର ଜଳ’ ଅଭିଯାନ ଅଧୀନରେ ଜିଲ୍ଲାର ୬୩୪ଟି ଗ୍ରାମ ପ୍ରମାଣୀକୃତ ହୋଇଥିବାବେଳେ ୫ଟି ବୃହତ ପାନୀୟଜଳ ପ୍ରକଳ୍ପ ମାଧ୍ୟମରେ ୨୨୧ଟି ଗ୍ରାମକୁ ନିୟମିତ ଜଳ ଯୋଗାଣ କରାଯାଉଛି।କୃଷି ଓ କୃଷକ କଲ୍ୟାଣ କ୍ଷେତ୍ରରେ PM-KISAN ଓ CM-KISAN ଯୋଜନା ଅଧୀନରେ ୧.୮୨ ଲକ୍ଷରୁ ଅଧିକ ଚାଷୀ ଓ ଭୂମିହୀନ କୃଷକଙ୍କୁ ପ୍ରାୟ ୩୫ କୋଟି ଟଙ୍କାର ସହାୟତା ପ୍ରଦାନ କରାଯାଇଛି। ପ୍ରଧାନମନ୍ତ୍ରୀ ନିଯୁକ୍ତି ସୃଷ୍ଟି କାର୍ଯ୍ୟକ୍ରମ (PMEGP) ଅଧୀନରେ ୧୬୪ ଜଣ ଉଦ୍ୟୋଗୀଙ୍କୁ ୧୨.୪୯ କୋଟି ଟଙ୍କା ଋଣ ଏବଂ ୪୯ ଜଣ ହିତାଧିକାରୀଙ୍କୁ ୧.୩୮ କୋଟି ଟଙ୍କା ସବ୍ସିଡି ପ୍ରଦାନ କରାଯାଇଛି।ମତ୍ସ୍ୟଚାଷ କ୍ଷେତ୍ରରେ ୨୦୨୪-୨୫ ଓ ୨୦୨୫-୨୬ ମସିହାରେ ୮୫୩ ଜଣ ମତ୍ସ୍ୟଚାଷୀ ଏବଂ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ବିଭିନ୍ନ ଯୋଜନାରୁ ଉପକୃତ ହୋଇଛନ୍ତି। ମତ୍ସ୍ୟ ପୋଖରୀ ବିକାଶ, ବାୟୋ-ଫ୍ଲକ୍ ପ୍ରଯୁକ୍ତି, ମତ୍ସ୍ୟ ବୀଜ ଉତ୍ପାଦନ ଏବଂ ଜଳାଶୟରେ ମାଛ ଓ ଚିଙ୍ଗୁଡ଼ି ଚାଷକୁ ପ୍ରୋତ୍ସାହନ ଦିଆଯାଇଛି। ଫଳସ୍ୱରୂପ ଗତ ଦୁଇ ବର୍ଷରେ ପ୍ରାୟ ୨,୦୦୦ ମେଟ୍ରିକ ଟନ୍ ଅତିରିକ୍ତ ମାଛ ଉତ୍ପାଦନ ସମ୍ଭବ ହୋଇଛି।ଏହି ଅବସରରେ ଜିଲ୍ଲାରେ ରବି ଧାନ ଉଠାଣ ସମ୍ପର୍କିତ କୃଷକମାନଙ୍କ ସମସ୍ୟା ଉପରେ ମଧ୍ୟ ଆଲୋଚନା ହୋଇଥିଲା। ବେଲଟୁକରି ଗ୍ରାମର ୧୦ ଜଣିଆ କୃଷକ ପ୍ରତିନିଧି ଦଳ ମନ୍ତ୍ରୀଙ୍କୁ ସାକ୍ଷାତ କରି ସେମାନଙ୍କ ଦାବି ଉପସ୍ଥାପନ କରିଥିଲେ। ଜିଲ୍ଲାପାଳ ମଧୁସୂଦନ ଦାଶ କୃଷକମାନଙ୍କୁ ଆଶ୍ୱାସନା ଦେଇ କହିଥିଲେ ଯେ ରବି ଧାନ ଉଠାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଉଛି ଏବଂ କୌଣସି ଟୋକନ ଲାପ୍ସ ହେବାକୁ ଦିଆଯିବ ନାହିଁ।ଏହାପୂର୍ବରୁ ମନ୍ତ୍ରୀ ଶ୍ରୀ ନାଏକ ନୂଆପଡ଼ା ଏନ୍ଏସିର ସଖାତୋରା ୱାର୍ଡ ନମ୍ବର-୨ ଠାରେ ଆୟୋଜିତ ‘ସହରାଞ୍ଚଳ ବୃକ୍ଷରୋପଣ ଅଭିଯାନ’ରେ ଯୋଗ ଦେଇଥିଲେ। ଏହି ଅବସରରେ ୨୦୦ରୁ ଅଧିକ ଚାରା ରୋପଣ କରଯାଇଥିଲା। ପରିବେଶ ସୁରକ୍ଷା ଏବଂ ସବୁଜ ନୂଆପଡ଼ା ଗଠନ ପାଇଁ ସମସ୍ତଙ୍କୁ ଆଗେଇ ଆସିବାକୁ ସେ ଆହ୍ୱାନ କରିଥିଲେ।ପରେ ସେ ନୂଆପଡ଼ାସ୍ଥିତ ଏକଲବ୍ୟ ମଡେଲ ଆବାସିକ ବିଦ୍ୟାଳୟରେ ଆୟୋଜିତ ସ୍ୱଚ୍ଛତା ଅଭିଯାନରେ ଅଂଶଗ୍ରହଣ କରି ସ୍ୱଚ୍ଛ ଓ ସୁସ୍ଥ ସମାଜ ଗଠନ ପାଇଁ ସମସ୍ତଙ୍କ ସକ୍ରିୟ ଭାଗିଦାରି ଉପରେ ଗୁରୁତ୍ୱାରୋପ କରିଥିଲେ।କାର୍ଯ୍ୟକ୍ରମରେ ଜିଲ୍ଲାପାଳ ମଧୁସୂଦନ ଦାଶ, ପୂର୍ବତନ ସାଂସଦ ବସନ୍ତ କୁମାର ପଣ୍ଡା, ବିଜେପି ଜିଲ୍ଲା ସଭାପତି କମଲେଶ ଦୀକ୍ଷିତ, ହିତେଶ କୁମାର ବଗର୍ତ୍ତି, ଏସ୍ପି ଅମୃତପାଲ ସିଂହ, ସିଡିଓ ଲମ୍ବୋଦର ଧରୁଆ, ବିଭିନ୍ନ ଜନପ୍ରତିନିଧି, ଅଧିକାରୀ, ଗଣମାଧ୍ୟମ ପ୍ରତିନିଧି, ଡିଜିଟାଲ କଣ୍ଟେଣ୍ଟ ସୃଷ୍ଟିକର୍ତ୍ତା ଓ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟମାନେ ଉପସ୍ଥିତ ଥିଲେ।

