ରାୟଗଡ଼,୧୭/୦୬(ଅମୂଲ୍ୟ ନିଶଙ୍କ):ରାୟଗଡ଼ ବ୍ଲକ ପରିସରରେ ବୁଧବାର ଦିନ ଜାତି – ଜନଜାତି ସମ୍ବାଦ ବୈଠକ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ରୂପେ ରାୟଗଡ଼ ଏସଡିସି ଉପାଧ୍ୟକ୍ଷା ଶ୍ରୀମତୀ ମଞ୍ଜୁଳା କାଡ୍ରାକା, ବରେଣ୍ୟ ଅତିଥି ଭାବେ ଆଇଟିଡିଏ ରାୟଗଡ଼ର ପ୍ରକଳ୍ପ ପ୍ରଶାସକ ଚନ୍ଦ୍ରକାନ୍ତ ମାଝୀ, ବିଶିଷ୍ଟ ସମାଜସେବୀ ତଥା ଜନଜାତି ନେତୃବୃନ୍ଦ କାଳୀରାମ ମାଝୀ ଓ ଚକ୍ରଧର ବିଡ଼ିକା , ମାନ୍ୟବର ବିଧାୟକଙ୍କ ପ୍ରତିନିଧି ସତ୍ୟବାନ ମାଣ୍ଡାଙ୍ଗି ଓ ରାୟଗଡ଼ ବିଡ଼ିଓ ସୁଜିତ କୁମାର ମିଶ୍ର ମଞ୍ଚାସିନ ଥିଲେ। ମୋଟ ବାସଠି ବର୍ଗର ଜନଜାତିଙ୍କ ଜନ୍ମସ୍ଥଳୀ ଓଡ଼ିଶାରେ ରାୟଗଡ଼ ଆଦିବାସୀଙ୍କ ସ୍ଥାନ ନିଆରା । ପ୍ରାୟ ଅର୍ଦ୍ଧେକ ଆଦିବାସୀ ଜନସଂଖ୍ୟା ବିଶିଷ୍ଟ ରାୟଗଡ଼ ବ୍ଲକରେ ସେମାନଙ୍କ ବିକାଶରେ ହିଁ ପ୍ରଗତି ସମ୍ଭବ, ସଂସ୍କୃତିର ସୁରକ୍ଷା ସହ ସମୃଦ୍ଧି ଆମ ସଂକଳ୍ପ ଅଟେ । ବିକାଶର ଧାରା ଓଡ଼ିଶା ସାରା ପ୍ରବାହିତ ହେଉଥିବା ବେଳେ ରାୟଗଡ଼ କେବେ ସେଥିରୁ ବାଦ୍ ପଡ଼ିବ ନାହିଁ ବୋଲି ଉପାଧ୍ୟକ୍ଷ ଶ୍ରୀମତୀ ମଞ୍ଜୁଳା ପ୍ରକାଶ କରିଛନ୍ତି । ପ୍ରକଲ୍ପ ପ୍ରଶାସକ ଶ୍ରୀ ମାଝୀ ଆଇଟିଡିଏର ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାର ସଫଳତା ବିଷୟରେ ଅବଗତ କରିବା ସହ ମୂଳବାସୀଙ୍କ ପ୍ରଗତି ସମୃଦ୍ଧ ସମାଜର ସାରଥୀ ବୋଲି କହିଥିଲେ । ବିଡ଼ିଓ ସୁଜିତ କୁମାର ମିଶ୍ର ନିଜ ପ୍ରାରମ୍ଭିକ ଅଭିଭାଷଣରେ ଗତ ଦୁଇ ବର୍ଷ ମଧ୍ୟରେ ରାୟଗଡ଼ ବ୍ଲକରେ ବିଭିନ୍ନ ଯୋଜନାର କାର୍ଯ୍ୟକାରିତା ଓ ସଫଳତାର ଏକ ଛବି ଉପସ୍ଥାପନ କରିଥିଲେ। ତରୁଣ ଗରଡ଼ିଆ, ସନ୍ତୋଷ ତାଣ୍ଡି, ସରପଞ୍ଚ ରାମାରାଓ ବିଡିକା ଓ ନୀଳାମ୍ବର ବିଡିକା, ଚକ୍ରଧର ବିଡ଼ିକା ଓ ସତ୍ୟବାନ ମାଣ୍ଡଙ୍ଗି ପ୍ରମୁଖ ନିଜ ବକ୍ତବ୍ୟରେ ରାୟଗଡ଼ ବ୍ଲକର ବିକାଶର ଧାରା ବିଷୟରେ ନିଜ ନିଜସ୍ୱ ମତାମତ ଉପସ୍ଥାପନ କରିଥିଲେ । ପ୍ରାରମ୍ଭରେ ଅତିଥିବୃନ୍ଦ ସ୍ୱାସ୍ଥ୍ୟ, କୃଷି , ମତ୍ସ୍ୟ, ପ୍ରାଣୀ ସମ୍ପଦ, ସ୍ୱଚ୍ଛ ଭାରତ ମିଶନ, ଜୀବିକା ମିଶନ, ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ଆଦି ବିଭାଗୀୟ ସଚେତନତା ଷ୍ଟଲ ଉଦଘାଟନ କରିବା ସହ ବୁଲି ଦେଖିଥିଲେ । ଶ୍ରୀଜଗନ୍ନାଥଙ୍କ ପ୍ରତିମୂର୍ତ୍ତିରେ ପ୍ରଦୀପ ପ୍ରଜ୍ବଳନ ପରେ ଗାନ୍ଧୀନଗର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରିବୃନ୍ଦ ବନ୍ଦେ ଉତ୍କଳ ଜନନୀ ଗାନ ଏବଂ ଦେଶାତ୍ମବୋଧ ନୃତ୍ୟ ପରିବେଷଣ କରିଥିଲେ । ବରେଣ୍ୟ ଅତିଥିଙ୍କ ସହ କୃଷି, କ୍ରୀଡ଼ା, ଶିକ୍ଷା, ସମାଜ ସେବା ଓ ବିକାଶ ଦିଗରେ ଉଦ୍ୟମତା କ୍ଷେତ୍ରରେ ଅତୁଳନୀୟ ଅବଦାନ ପାଇଁ ଚାଳିଶି ଜଣ ଅନୁସୂଚିତ ଜାତିର ପ୍ରସିଦ୍ଧି ବ୍ୟକ୍ତି ବିଶେଷଙ୍କୁ ସମ୍ମାନିତ କରାଯାଇଥିଲା । ଜପାଖାଲ, ହାଲୁଆ, ରାମଚନ୍ଦ୍ରପୁର ଆଦି ଗ୍ରାମର ଆଦିବାସୀ ମହିଳା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ଶିକ୍ଷକ ନିଳାଞ୍ଚଳ ମିଶ୍ର କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ । ଶେଷରେ ଏବିଡ଼ିଓ କାଳୁ ଚରଣ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ରାୟଗଡ଼ ବ୍ଲକର ସମସ୍ତ କର୍ମକର୍ତ୍ତା ପରିଚାଳନାରେ ସହଯୋଗ କରିଥିଲେ ।

