ଚିକିଟି:ଜନବାଣୀ,୨୨/୦୬(ନିଗମାନନ୍ଦ ପଣ୍ଡା):ଚିକିଟି ବ୍ଲକ ଅନ୍ତର୍ଗତ ଗିରିସୋଲାସ୍ଥିତ ଉତ୍କଳ ଭାରତୀ ପବ୍ଲିକ ସ୍କୁଲର ୧୭ ଜଣ କର୍ମଚାରୀ କେନ୍ଦ୍ର ସରକାରଙ୍କ “ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନା” ଅଧୀନରେ ପ୍ରୋତ୍ସାହନ ରାଶି ପାଇଛନ୍ତି। ଗତ ୧୯ ଜୁନରେ NIST ୟୁନିଭର୍ସିଟିରେ ଆୟୋଜିତ ସମ୍ମିଳନୀରେ ଏହି ସୂଚନା ପ୍ରକାଶ ପାଇଥିଲା।ବିଦ୍ୟାଳୟ ପକ୍ଷରୁ ସମସ୍ତ କର୍ମଚାରୀଙ୍କୁ ଭବିଷ୍ୟନିଧି (EPF) ଯୋଜନାରେ ସାମିଲ କରାଯିବା ସହ କେନ୍ଦ୍ର ସରକାରଙ୍କ ଶ୍ରମ ଓ ସାମାଜିକ ସୁରକ୍ଷା ସମ୍ବନ୍ଧୀୟ ସମସ୍ତ ନିୟମାବଳୀକୁ ସଠିକ୍ ଭାବେ ପାଳନ କରାଯାଇଥିବାରୁ ଏହି ପ୍ରୋତ୍ସାହନ ମିଳିଛି।ସୂଚନା ଅନୁଯାୟୀ, ପିଅନମାନେ ୨,୪୦୦ରୁ ୨,୮୦୦ ଟଙ୍କା, ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ୫,୫୦୦ରୁ ୬,୦୦୦ ଟଙ୍କା ଏବଂ ପ୍ରିନ୍ସିପାଲ ଓ ପ୍ରଶାସନିକ କର୍ମଚାରୀମାନେ ୭,୫୦୦ ଟଙ୍କା ପର୍ଯ୍ୟନ୍ତ ପ୍ରୋତ୍ସାହନ ରାଶି ପାଇଛନ୍ତି। ଏହି ଅର୍ଥ ସିଧାସଳଖ ସେମାନଙ୍କ ବ୍ୟାଙ୍କ ଖାତାରେ ଜମା ହୋଇଛି।କେନ୍ଦ୍ର ସରକାରଙ୍କ ଏହି ଯୋଜନା ଅନୁସାରେ ନୂତନ ଭାବେ EPF ସହ ଯୋଡ଼ି ହୋଇଥିବା କର୍ମଚାରୀମାନେ ଦୁଇ ବର୍ଷ ପର୍ଯ୍ୟନ୍ତ ପ୍ରତି ଛଅ ମାସରେ ପ୍ରୋତ୍ସାହନ ରାଶି ପାଇବେ।ଚିକିଟି ବ୍ଲକର ଏହି ଘରୋଇ ଶିକ୍ଷାନୁଷ୍ଠାନ ସରକାରଙ୍କ ସମସ୍ତ ଗାଇଡଲାଇନକୁ ଅନୁସରଣ କରି ଏହି ସଫଳତା ହାସଲ କରିଥିବାରୁ ଅନ୍ୟ ଘରୋଇ ବିଦ୍ୟାଳୟମାନଙ୍କ ପାଇଁ ଏକ ଉଦାହରଣ ପାଲଟିଛି। ଏହି ସଫଳତା ପରେ ବିଦ୍ୟାଳୟର କର୍ମଚାରୀ ମହଳରେ ଖୁସିର ଲହରୀ ଖେଳିଯାଇଥିବା ଜଣାପଡ଼ିଛି।

