ଚିକିଟି:ଜନବାଣୀ,୨୬/୦୬(ନିଗମାନନ୍ଦ ପଣ୍ଡା):ଚିକିଟି ଜଳସେଚନ ସମସ୍ୟାକୁ ନେଇ ଚିନ୍ତାରେ ପଡ଼ିଛନ୍ତି ଲୋକନାଥପୁର ମୌଜାର ଚାଷୀ। କେନାଲରୁ ପାଣି ଯୋଗାଣ ହେଉଥିବା ନାଳ ବନ୍ଦ ହୋଇଯିବା ଫଳରେ ଗହୀର ପାହାଡ଼ ଜମିକୁ ପାଣି ପହଞ୍ଚୁନଥିବା ଅଭିଯୋଗ କରିଛନ୍ତି ଚାଷୀମାନେ।ଚାଷୀଙ୍କ କହିବା ଅନୁସାରେ, ଗତବର୍ଷଠାରୁ ଜଳଯୋଗାଣରେ ବ୍ୟତିକ୍ରମ ଦେଖାଦେଇଥିଲା। ଧାନ ପାଚିବା ସମୟରେ ମଧ୍ୟ ପର୍ଯ୍ୟାପ୍ତ ପାଣି ମିଳିନଥିଲା। ଏନେଇ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ କୌଣସି ସ୍ଥାୟୀ ସମାଧାନ ହୋଇନଥିବା ସେମାନେ କହିଛନ୍ତି। ରାଜନୈତିକ ଚାପ ଓ ଅବହେଳା ଯୋଗୁଁ ଚାଷୀମାନେ କ୍ଷତି ସହୁଥିବା ମଧ୍ୟ ଅଭିଯୋଗ ହୋଇଛି।ସମ୍ପ୍ରତି ଚାଷୀମାନେ ପୁଣିଥରେ ଜଳସେଚନ ବିଭାଗର ଯନ୍ତ୍ରୀଙ୍କ ନିକଟରେ ଅଭିଯୋଗ କରିଥିଲେ। ଯନ୍ତ୍ରୀ ଘଟଣାସ୍ଥଳ ପରିଦର୍ଶନ କରି ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ତେବେ କେବେ ଏହି ପ୍ରତିଶ୍ରୁତି କାର୍ଯ୍ୟକାରୀ ହେବ, ତାହାକୁ ନେଇ ଚାଷୀମାନଙ୍କ ମନରେ ସନ୍ଦେହ ରହିଛି।ଏହି ସମସ୍ୟାର ତୁରନ୍ତ ସମାଧାନ କରି କେନାଲ ନାଳକୁ ସଫା କରି ନିୟମିତ ଜଳଯୋଗାଣ ବ୍ୟବସ୍ଥା କରିବାକୁ ଚାଷୀମାନେ ପ୍ରଶାସନ ନିକଟରେ ଦାବି କରିଛନ୍ତି।

