ବୁଗୁଡା:ଜନବାଣୀ୨୬/୦୬(ଡ.କୁମୁଦ ଚନ୍ଦ୍ର ବେହେରା):ରାଜ୍ୟ ସରକାର ଚବିଶି ଘଣ୍ଟିଆ ବିଦ୍ଯୁତ୍ ଯୋଗାଣର ଡିଣ୍ଡିମ ପିଟୁଥିବା ବେଳେ ଟାଟାର ଅଘୋଷିତ ବିଦ୍ୟୁତ କାଟ ଘଟଣା ବୁଗୁଡା ଅଞ୍ଚଳବାସୀଙ୍କ ପାଇଁ ପରିହାସ ସଦୃଶ ହୋଇଛି। ମେଘ ଘୋଟିଲେ କିମ୍ବା ସାମାନ୍ୟ ପବନ ହେଲେ ବିଦ୍ଯୁତ୍ ଯୋଗାଣ ଠପ୍ ହୋଇଯିବା ଅଞ୍ଚଳବାସୀଙ୍କ ପାଇଁ ସାଧାରଣ ଘଟଣା ପାଲଟିଥିବା ବେଳେ ବିନା ମେଘ ପବନରେ ଘଣ୍ଟା ଘଣ୍ଟା ଧରି ବିଦ୍ୟୁତ କାଟ ହେଉଥିବାରୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଅସହ୍ୟ ଗରମ ସାଙ୍ଗକୁ ଗୁଳୁଗୁଳିରେ ଲୋକେ ଛଟପଟ ହେଉଥିବା ବେଳେ ଦୀର୍ଘ ସମୟ ଧରି ବିଦ୍ୟୁତ କାଟ ଲୋକଙ୍କ ପାଇଁ ବୋଝ ଉପରେ ନଳିତା ମାଡ ଭଳି ହେଉଛି। ଏ ନେଇ ବାରମ୍ବାର ଅଭିଯୋଗ କିମ୍ବା ଖବର ପ୍ରକାଶ ପାଇଲେ ମଧ୍ୟ ବିଦ୍ୟୁତ ବିଭାଗର ଖାତିର ନାହିଁ। ବିଶେଷକରି ବୁଗୁଡା ସହରର ପ୍ରେମଚାନ୍ଦ ନଗର, ମହୁଲିଆତୋଟା ସାହି, ବୁଦ୍ଧଖୋଲ ରୋଡ ସାହି, ଅନ୍ନପୂର୍ଣ୍ଣା ନଗରରେ ଦୀର୍ଘ ଚାରି ମାସ ହେଲା ବିଦ୍ୟୁତ୍ ସମସ୍ଯା ଉତ୍କଟ ରୂପ ଧାରଣ କରିଥିବା ବେଳେ ଗତ ଗୁରୁବାର ରାତିରେ ଲୋକେ ପୁରୁଣା ଷ୍ଟେଟ ବ୍ୟାଙ୍କ ସମ୍ମୁଖ ମୁଖ୍ୟ ସଡକରେ ଗଛଡାଳ ପକାଇ ଓ ଟାୟାର ଜାଳି ପ୍ରତିବାଦ କରିଥିଲେ। ରାସ୍ତା ଜାମ ଯୋଗୁଁ ଯାନବାହାନ ଚଳାଚଳ ପୁରାପୁରି ଠପ୍ ହୋଇଯାଇଥିଲା। ଖବର ପାଇ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ପ୍ରତିବାଦକାରୀଙ୍କୁ ବୁଝାଶୁଝା କରିବାକୁ ପ୍ରୟାସ କରୁଥିବା ବେଳେ ପୁଣି ଇଲେଭେନ୍ କେଭି ତାର ପୁଣି ଛିଡିଥିଲା। ପରିସ୍ଥିତି ଜଟିଳ ହେବାରୁ ଘଟଣା ସ୍ଥଳରେ ଘଟଣା ସ୍ଥଳରେ ଭଞ୍ଜନଗର ଏସଡିପିଓ ପହଞ୍ଚିଥିଲେ । ବିଦ୍ଯୁତ୍ ବିଭାଗୀୟ ଜେଇଙ୍କୁ ଘଟଣା ସ୍ଥଳକୁ ଡକାଯାଇଥିଲା। ରାତି ପ୍ରାୟ ଦୁଇଟା ବେଳକୁ ନୂଆଁ କେବୁଲ ପକାଯାଇଥିଲା ବେଳେ ତିନିଟା ବେଳକୁ ବିଦ୍ଯୁତ୍ ଯୋଗାଣ ଠିକଠାକ୍ ହୋଇଥିଲା ଏବଂ ଲୋକେ ଘରକୁ ଫେରିଥିଲେ। ପ୍ରକାଶ ଯୋଗ୍ୟ ଯେ, ଏଭଳି ଅଘୋଷିତ ବିଦ୍ୟୁତ କାଟ ଯୋଗୁଁ ବୁଗୁଡା ସହରର ଅନେକ ସାହିରେ ପାନୀୟ ଜଳ ଯୋଗାଣରେ ବ୍ଯାଘାତ ସୃଷ୍ଟି ହୋଇ ଲୋକେ ଜଳ ସଙ୍କଟର ସମ୍ମୁଖୀନ ହେଉଛନ୍ତି। ଏଥି ସହ ଦୀର୍ଘ ସମୟ ଧରି ବିଦ୍ୟୁତ କାଟ ଯୋଗୁଁ ଇନଭେଟର୍ ମଧ୍ୟ କାମ କରୁନଥିବାରୁ କେବଳ ସରକାରୀ କାର୍ଯ୍ୟାଳୟ ନୁହେଁ ବିଭିନ୍ନ ବ୍ଯବସାୟିକ ପ୍ରତିଷ୍ଠାନର କାର୍ଯ୍ଯରେ ମଧ୍ୟ ବ୍ଯାଘାତ ସୃଷ୍ଟି ହେଉଛି। କେଉଁ କାରଣରୁ ଏଭଳି ଅଘୋଷିତ ବିଦ୍ୟୁତ କାଟ ହେଉଛି ସେନେଇ ବିଦ୍ଯୁତ୍ ବିଭାଗୀୟ ଅଧିକାରୀମାନେ କୌଣସି ଯୁକ୍ତିଯୁକ୍ତ ତଥା ସନ୍ତୋଷଜନକ ଉତ୍ତର ଦେଇ ପାରୁନଥିବା ବେଳେ ଅଞ୍ଚଳର ବିଭିନ୍ନ ମହଲରେ ତୀବ୍ର ଅସନ୍ତୋଷ ଦେଖା ଦେଉଛି । ସ୍ଥାନୀୟ ସଚେତନ ନାଗରିକ ଏବଂ ବୁଦ୍ଧିଜୀବୀ ମହଲରୁ ଏହି ଅଘୋଷିତ ବିଦ୍ୟୁତ କାଟ ପ୍ରତିବାଦରେ ଜନ ଆନ୍ଦୋଳନ କରିବା ଜରୁରୀ ବୋଲି ମତ ପ୍ରକାଶ ପାଇଥିଲା ବେଳେ ଅସନ୍ତୁଷ୍ଟ ଜନତା ବିଦ୍ଯୁତ୍ ବିଭାଗର ମନମାନି ବିରୁଦ୍ଧରେ ରାଜରାସ୍ତାକୁ ଓହ୍ଲାଇବାକୁ ସଜବାଜ ହେଉଥିବା ଜଣାଯାଇଥିଲା ବେଳେ ତାହା ଦେଖିବାକୁ ମିଳିଥିଲା।

