ଭଞ୍ଜନଗର,୨୮/୦୬(ନିଲୁ ବିଷୋୟୀ):ଗଞ୍ଜାମ ଜିଲ୍ଲା ଭାଷା, ସାହିତ୍ୟ, କଳା ଓ ସଂସ୍କୃତି ବିକାଶ ପରିଷଦ, ଭଞ୍ଜନଗର ପକ୍ଷରୁ ବାର୍ଷିକ ଉତ୍ସବ–୨୦୨୬ ସ୍ଥାନୀୟ ବେଲଗୁଣ୍ଠା ରୋଡ଼ ସ୍ଥିତ ଓଡ୍ର ଖଣ୍ଡାୟତ କାଳିଞ୍ଜି ସମାଜ ସଭା ଗୃହ ଠାରେ ଆଡ଼ମ୍ବରପୂର୍ଣ୍ଣ ଭାବେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଜଗନ୍ନାଥ ପ୍ରସାଦ ବ୍ଲକ ଏବଂ ଭଞ୍ଜନଗର ବ୍ଲକର ସାହିତ୍ୟିକ, କବି, କଳାକାରଙ୍କୁ ସେମାନଙ୍କ ପ୍ରତିଭା ପାଇଁ ସମ୍ବର୍ଦ୍ଧିତ କରାଯାଇଛି। ଏହି କାର୍ଯ୍ୟକ୍ରମରେ ପ୍ରତିଷ୍ଠାତା ସଭାପତି ତ୍ରିନାଥ ନାୟକ, ମୁଖ୍ୟ ବକ୍ତା ରୂପେ ପ୍ରାକ୍ତନ ଅଧ୍ୟକ୍ଷ ଲମ୍ବୋଦର ପାଣିଗ୍ରାହୀ, କବି ପ୍ରଶାନ୍ତ ମହାନ୍ତି, ପ୍ରାକ୍ତନ ଅଧ୍ୟକ୍ଷ କୃତିବାସ ବିଶ୍ଵାଳ,ବରିଷ୍ଠ ଆଇଜୀବୀ ସନ୍ତୋଷ ତିଆଡିଙ୍କ ସମେତ ବହୁ ବୁଦ୍ଧିଜୀବୀ ଓ ସଂସ୍କୃତିପ୍ରେମୀ ଯୋଗ ଦେଇ ସମ୍ବର୍ଦ୍ଧିତ ପ୍ରତିଭାଧରଙ୍କୁ ଉତ୍ସାହିତ କରିଥିଲେ। l ପ୍ରକାଶ ଥାଉକି, ଭଞ୍ଜନଗର ନିକଟସ୍ଥ ପାଟୁଳି ସାହି ଗ୍ରାମର ତ୍ରିନାଥ ନାୟକ ଯିଏ କି ଜିଲ୍ଲା ଯୋଗାଣ ସହାୟକ ରୂପେ ଅବସର ଗ୍ରହଣ କରିଛନ୍ତି, ତାଙ୍କରି ତ୍ରିନାଥ ଫାଉଣ୍ଡେସନ ଓ ବ୍ରହ୍ମପୁର ସ୍ଥିତ ଗଞ୍ଜାମ ଜିଲ୍ଲା ଭାଷା, ସାହିତ୍ୟ, କଳା ଓ ସଂସ୍କୃତି ବିକାଶ ପରିଷଦ ତରଫରୁ ଆଜକୁ ଚାରି ବର୍ଷ ହେଲା ଭଞ୍ଜନଗର ଠାରେ ଏକ ଶାଖା ଖୋଲାଯାଇଛି। ପ୍ରତି ବର୍ଷ ବାର୍ଷିକ ଉତ୍ସବରେ କବି, ଲେଖକ, କଳାକାର ମାନଙ୍କୁ ସମ୍ବର୍ଦ୍ଧିତ କରାଯାଉଛି। ସେହି ପ୍ରକାରେ ଅନୁଷ୍ଠିତ ଏହି ଉତ୍ସବରେ ଶ୍ରୀ ତ୍ରିନାଥ ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ସୁରକ୍ଷା ଏବଂ ପ୍ରଚାର-ପ୍ରସାରରେ ସମସ୍ତଙ୍କ ସହଯୋଗ କାମନା କରିଥିଲେ। ଡ଼. ଲମ୍ବୋଦର ପାଣିଗ୍ରାହୀ ମୁଖ୍ୟ ବକ୍ତା ଭାବେ ଉଦବୋଧନ ଦେଇ ଗଞ୍ଜାମର ଗୌରବମୟ ସାହିତ୍ୟ ଓ ସାଂସ୍କୃତିକ ପରମ୍ପରାକୁ ଆଗକୁ ନେବା ପାଇଁ ଆହ୍ୱାନ କରିଥିଲେ। ସମ୍ମାନିତ ଅତିଥି ଭାବେ ଶ୍ରୀଯୁକ୍ତ ବନମାଳୀ ପାଣିଗ୍ରାହୀ,କବି ପ୍ରଶାନ୍ତ ମହାନ୍ତି , ରୋଟାରୀ କ୍ଳବ୍ ସଭାପତି ରଞ୍ଜିତ କୁମାର ବାରିକ୍ ଏବଂ ଇନର ହ୍ବିଲ କ୍ଲବ୍ ର ସଭା ନେତ୍ରୀ ସୁନୀତା ବାରିକ ଉପସ୍ଥିତ ରହି ନିଜ ଅଭିଭାଷଣରେ ସାହିତ୍ୟ, କଳା ଓ ସଂସ୍କୃତିର ବିକାଶ ପାଇଁ ଏପରି କାର୍ଯ୍ୟକ୍ରମର ଆବଶ୍ୟକତା ଉପରେ ମତ ପ୍ରକାଶ କରିଥିଲେ। ଆୟୋଜିତ ସଭାରେ ଶ୍ରୀଯୁକ୍ତ ଜଗବନ୍ଧୁ ଜେନା ସଭାପତିତ୍ୱ କରିଥିବା ବେଳେ ଉପସ୍ଥିତ ଅତିଥି ଓ ସଭ୍ୟମାନଙ୍କୁ ସ୍ୱାଗତ ଜଣାଇଥିଲେ ସମ୍ପାଦକ ତ୍ରିନାଥ ବେହେରା। ଉପସଭାପତି ସନ୍ତୋଷ ଜେନା କାର୍ଯକ୍ରମକୁ ସଂଯୋଜନା କରିଥିବା ବେଳେ ସହ ସମ୍ପାଦିକା ପ୍ରଭାତୀ ମଞ୍ଜରୀ ବେହେରା ଶେଷରେ ଧନ୍ୟବାଦ୍ ଅର୍ପଣ କରିଥିଲେ।କାର୍ଯ୍ୟକ୍ରମରେ ସାହିତ୍ୟ, ସଙ୍ଗୀତ ଓ ସାଂସ୍କୃତିକ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବିଭିନ୍ନ କ୍ଷେତ୍ରର ବିଶିଷ୍ଟ ବ୍ୟକ୍ତିଙ୍କୁ ସମ୍ମାନିତ କରାଯାଇଥିଲା। ଅନୁଷ୍ଠାନର ବାର୍ଷିକ ମୁଖପତ୍ର “ଉତ୍କଳ” ଏହି ଅବସରରେ ଅତିଥି ମାନଙ୍କ ଦ୍ବାରା ଉନ୍ମୋଚିତ ହୋଇଥିଲା। ଶେଷରେ ଆୟୋଜକମାନେ ଉପସ୍ଥିତ ସମସ୍ତ ଅତିଥି, ସଦସ୍ୟ ଏବଂ ସହଯୋଗୀଙ୍କୁ କୃତଜ୍ଞତା ଜଣାଇ ଭବିଷ୍ୟତରେ ମଧ୍ୟ ଏଭଳି ସାହିତ୍ୟ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅବ୍ୟାହତ ରଖିବା ପାଇଁ ବଦ୍ଧପରିକର ବୋଲି ପ୍ରକାଶ କରିଥିଲେ।

