ପୋଲସରା,୨୯/୦୬(ସୁଧାଂଶୁ ଶେଖର ସାହୁ):ଗଞ୍ଜାମ ଜିଲ୍ଲା ପୋଲସରା ଥାନା ଅଞ୍ଚଳ ରୁ ବିଭିନ୍ନ ସ୍ଥାନରୁ ଚୋରୀ ମାମଲାରେ ପୋଲସରା ଥାନା ପୁଲିସ ୩ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ମାନେ ହେଲେ ପୋଲସରା ଥାନା ଗରେଇଝୁଳି ଗ୍ରାମର ରାଜୀବ ପାତ୍ର (୩୨), ରଂଜିତ ନାହାକ ଓରଫ ପଣ୍ଡା (୨୭), ଓଡଗାଁ ଥାନା ଗଜେନ୍ଦ୍ରପଲ୍ଲୀ ଗ୍ରାମର ଜିତୁ ପ୍ରଧାନ ଓରଫ ଆଲକାନୁ ଜିତୁ (୩୩)। ଗିରଫ ଅଭିଯୁକ୍ତ ଙ୍କ ଠାରୁ ପୁଲିସ ୧୧୨ ଗ୍ରାମର ସୁନା, ୨୫୬ ଗ୍ରାମର ରୁପା, ନଗଦ ୩୫୦୦ ଟଙ୍କା, ମୋଟର ସାଇକେଲ, ମୋବାଇଲ ଓ ଚୋରୀ ରେ ବ୍ୟବହୃତ କିଛି ସାମଗ୍ରୀ ଜବତ ହୋଇଥିବା ପୁରୁଷୋତ୍ତମପୁର ଏସ୍ଡ଼ିପିଓ ସୁଜିତ କୁମାର ନାୟକ ସାମ୍ବାଦିକ ସମ୍ମିଳନୀ ରେ ସୂଚନା ଦେଇଛନ୍ତି। ସୂଚନା ଯେ ଗତ କିଛି ମାସ ଧରି ପୋଲସରା ଥାନା ଅଞ୍ଚଳ ବିଭିନ୍ନ ସ୍ଥାନରୁ ଘର କବାଟ ଭାଙ୍ଗି ସୁନା ଅଳଙ୍କାର, ନଗତ ଟଙ୍କା ସହ ଅନ୍ୟାନ ସାମଗ୍ରୀ ଚୋରୀ ହୋଇଥିବା ନେଇ ପୋଲସରା ଥାନାରେ ଅଭିଯୋଗ ହୋଇଥିଲା। ଏପରି କି ପୋଲସରା ଥାନା ପଛପଟୁ ମଧ୍ଯ କିଛିଦିନ ତଳେ ଜଣେ ପୁଲିସ କର୍ମଚାରୀ ଙ୍କ ଘରୁ ମଧ୍ଯ ଚୋରୀ ହୋଇଥିବା ସୂଚନା ମିଳିଛି। ପୁଲିସ ସୂଚନା ପ୍ରକାରେ ଜୁନ ମାସ ୨୪ ତାରିଖ ରେ ପୋଲସରା ଥାନା ଅନ୍ତର୍ଗତ ବର୍ତ୍ତିନୀ ଗ୍ରାମର ଅଙ୍ଗନବାଡି କର୍ମୀ ଲକ୍ଷ୍ମୀ ପାତ୍ର, ଏପ୍ରିଲ ମାସ ୧୧ ତାରିଖ ରେ ଷୋଡକ ଗ୍ରାମର ଜିତେନ୍ଦ୍ର ବେହେରା , ଫେବୃଆରୀ ମାସ ୨୨ ତାରିଖ ରେ ଲଛିପୁରୁ ଗ୍ରାମର ରୁଦ୍ର ପ୍ରଧାନ ଓ ପୋଲସରା ଥାନା ଜୟଗୁରୁ ନଗର ର ପଙ୍କଜ କାର୍ଜି ଙ୍କ ଘରୁ ପୃଥକ ପୃଥକ ଭାବେ ଘର ପଛପଟ ତାଲା ଭାଙ୍ଗି ବିଭିନ୍ନ ପ୍ରକାର ସୁନା ଅଳଙ୍କାର ସମେତ ନଗଦ ଟଙ୍କା ଚୋରୀ ହୋଇଥିବା ନେଇ ପୋଲସରା ଥାନାରେ କେସ ନମ୍ବର ୧୧୧, ୧୯୫, ୩୭୫, ୩୮୩ ଭାବେ ୪ ଟି ମାମଲା ରୁଜୁ ହୋଇଥିଲା । ପୋଲସରା ଥାନା ଅଞ୍ଚଳରେ ଦିନକୁ ଦିନ ବୃଦ୍ଧି ପାଉଥିବା ଚୋରୀ ଘଟଣା କୁ ନେଇ ଗଞ୍ଜାମ ଏସ.ପି ଙ୍କ ନିର୍ଦ୍ଦେଶରେ ପୋଲସରା ଥାନାଧିକାରୀ କୌଶିକ ମାଝୀଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ ଗଠନ କରି ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରିରହିଥିବା ବେଳେ ଗତକାଲି ଗରେଇଝୁଳି ପାହାଡ଼ ରୁ ତିନି ଅଭିଯୁକ୍ତ ଙ୍କୁ ପୁଲିସ ଗିରଫ କରିଥିବା ବେଳେ ଅନ୍ୟ ୨ ଅଭିଯୁକ୍ତ ଫେରାର ଥିବା ଏସ୍ଡ଼ିପିଓ ସୂଚନା ଦେଇଛନ୍ତି। ସେହିପରି ଅଭିଯୁକ୍ତ ମାନେ ସୁନା ଚୋରୀ ପରେ ବାଲିପଦର ଜଣେ ଅଳଙ୍କାର ବ୍ୟବସାୟୀ ଙ୍କୁ ଚୋରୀ ସୁନା ବିକ୍ରି କରୁଥିବା ବେଳେ ସମ୍ପୃକ୍ତ ବ୍ୟବସାୟୀ ଜି. ଅରବିନ୍ଦ ପାତ୍ର ଙ୍କୁ ପଚରାଉଚରା କରୁଥିବା ଏବଂ ଅତିଶୀଘ୍ର ଫେରାର ଅନ୍ୟ ଅଭିଯୁକ୍ତ ଙ୍କୁ ଗିରଫ କରାଯିବ ବୋଲି ଶ୍ରୀ ନାୟକ ସୂଚନା ଦେଇଛନ୍ତି। ସମସ୍ତ ଅଭିଯୁକ୍ତ ଙ୍କୁ ରିମାଇଣ୍ଡର ରେ ଅଣାଯାଇ ସମସ୍ତ ଚୋରୀ ଘଟଣାର ତଦନ୍ତ କରାଯିବ ବୋଲି ପୁଲିସ ସୂଚନା ଦେଇଛି। ଏବଂ ସହର ରେ ଅନେକ ସମୟରେ ବ୍ୟବସାୟ ଆଳରେ ଏରାଗୁଲା ସମ୍ପ୍ରଦାୟ ର କିଛି ଅସାମାଜିକ ବନ୍ଦ ଘରକୁ ଟାର୍ଗେଟ କରି ଚୋରୀ କରୁଥିବା ବେଳେ ସେମାନଙ୍କ ଠାରୁ ସବୁବେଳେ ସତର୍କତା ସହ ରହିବା ପାଇଁ ପୋଲସରା ଥାନା ପକ୍ଷରୁ ସଚେତନତା କରାଯାଇଛି।

