ରିପୋର୍ଟ : ପାତ୍ରପୁର, ଗରିବ ଲୋକଙ୍କ ମୁହଁରେ ହସ ଫୁଟାଇବା ପାଇଁ ସରକାର ମାଳ ମାଳ ଯୋଜନା ଘୋଷଣା କରୁଛନ୍ତି। କିନ୍ତୁ ଆଜି ମଧ୍ୟ ଅନେକ ଅସହାୟ ପରିବାର ସରକାରୀ ସହାୟତାରୁ ବଞ୍ଚିତ ହୋଇ ଅଭାବ-ଅନଟନରେ ଜୀବନ କାଟୁଛନ୍ତି। ଏଭଳି ଏକ ହୃଦୟବିଦାରକ ଚିତ୍ର ସାମ୍ନାକୁ ଆସିଛି ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ ଅଧିନସ୍ଥ ସାମନ୍ତରାପୁର ପଞ୍ଚାୟତର ଗୋପୀନାଥପୁର ଗାଁରୁ।
ଏଠାରେ ଜଣେ ବୃଦ୍ଧ ଓ ବୃଦ୍ଧା ଦମ୍ପତି ଭଙ୍ଗା ଦଦରା ଘରେ ନିଜ ଭାଗ୍ୟକୁ ଆଦରି ଦିନକୁ ଦିନ କଷ୍ଟରେ ଜୀବନ ବିତାଉଛନ୍ତି। ଘରର ଅବସ୍ଥା ଏତେ ଦୟନୀୟ ଯେ, ଯେକୌଣସି ମୁହୂର୍ତ୍ତରେ ଘର ଭାଙ୍ଗି ପଡ଼ିବାର ଭୟ ରହିଛି।
ଏହି ବୃଦ୍ଧ ଦମ୍ପତି ହେଲେ ଖେଳ ବଡ଼ମୁଣ୍ଡି ଓ ତାଙ୍କ ପତ୍ନୀ ସୁନି ବଡ଼ମୁଣ୍ଡି। ଜୀବନର ଶେଷ ପର୍ଯ୍ୟାୟରେ ପହଞ୍ଚି ସେମାନେ ଯେଉଁ ଦୁଃଖ ଭୋଗୁଛନ୍ତି, ତାହା ସମଗ୍ର ପ୍ରଶାସନୀୟ ବ୍ୟବସ୍ଥାକୁ ପ୍ରଶ୍ନବାଚକ ଚିହ୍ନରେ ଠିଆ କରିଦେଇଛି।
ଜଙ୍ଗଲରୁ କାଠ କାଟି ଆଣି ଚାଲିଥିଲା ସଂସାର
ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ଗୋପୀନାଥପୁର ଗାଁ ସ୍ଥାପନ ହେବା ଦିନଠାରୁ ଏହି ବୃଦ୍ଧ ଦମ୍ପତି ନିଜ ପରିବାରକୁ ବଞ୍ଚାଇବା ପାଇଁ ଦିନରାତି ପରିଶ୍ରମ କରିଆସୁଛନ୍ତି। ଜଙ୍ଗଲରୁ କାଠ କାଟି ଆଣିବା, ପର ଘରେ ମୁଲ ଲାଗି କାମ କରିବା ଓ ଅନେକ ସଂଘର୍ଷରେ ସେମାନେ ନିଜ ସଂସାର ଚଲାଇଥିଲେ।
ଅନେକ ସ୍ୱପ୍ନ ଦେଖି ସେମାନେ ଏକ ଛୋଟ ଝାଟିମାଟି ଘର ତିଆରି କରିଥିଲେ। ସେମାନଙ୍କ ଆଶା ଥିଲା ଯେ, ବୃଦ୍ଧାବସ୍ଥାରେ ସେଇ ଘରେ ସୁଖରେ ରହିବେ। କିନ୍ତୁ ଆଜି ସେ ଘର ତାଙ୍କ ପାଇଁ ସୁରକ୍ଷା ନୁହେଁ, ବରଂ ଭୟର ଘର ହୋଇପଡ଼ିଛି।
ମାଟିକାନ୍ଥ ଭାଙ୍ଗିଛି, ଘର ପଛପଟେ ଦିଓଲ ନାହିଁ
ବର୍ତ୍ତମାନ ଘରର ଅବସ୍ଥା ଏପରି ଯେ, କେଉଁଠି ମାଟି କାନ୍ଥ ଭାଙ୍ଗିଯାଇଛି, ତ କେଉଁଠି ଘରର ପଛପଟ ଦିଓଲ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଛି। ଘର ଭିତରେ ଆଉ ଚାରିପଟେ ଗଛ ଉଠିଯାଇଛି। ଯାହାଫଳରେ ସାପ, ବେଙ୍ଗ ଓ ଶରୀସୃପ ପ୍ରାଣୀମାନଙ୍କ ଭୟ ସବୁବେଳେ ମନରେ ଲାଗିରହୁଛି।
ବର୍ଷା ଦିନେ ଘର ଭିତରେ ପାଣି ପସିଯାଏ। ଶୀତ ଦିନେ ଛାତ ଓ କାନ୍ଥର ଫାଟରୁ ଥଣ୍ଡା ପବନ ପସି ଆସେ। ଏଭଳି ପରିସ୍ଥିତିରେ ବର୍ଷ ବର୍ଷ ଧରି ସେମାନେ ଯନ୍ତ୍ରଣା ଭୋଗୁଛନ୍ତି।
ପ୍ରଶାସନ ପାଖକୁ ଦୌଡ଼ିଛନ୍ତି, କିନ୍ତୁ ସହାୟତା ମିଳୁନି
ବୃଦ୍ଧ ଦମ୍ପତି କହିଛନ୍ତି ଯେ, ସେମାନେ ପଞ୍ଚାୟତ ସରପଞ୍ଚଙ୍କ ଠାରୁ ଆରମ୍ଭ କରି ବ୍ଲକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଅନେକଥର ଯାଇଛନ୍ତି। ଅନେକ ଥର ନିଜ ଦୁଃଖ ଜଣାଇଛନ୍ତି। ହେଲେ ଆଜି ପର୍ଯ୍ୟନ୍ତ ନା ତାଙ୍କୁ ବୃଦ୍ଧଭତ୍ତା ମିଳିଛି, ନା ଆବାସ ଯୋଜନାରେ ଘର ମଞ୍ଜୁର ହୋଇଛି।
ସେମାନଙ୍କ ପାଖରେ କେବଳ ଏକ ରାସନ କାର୍ଡ ଥିବାବେଳେ ତାହାକୁ ଦେଇ ପ୍ରଶାସନ ନିଜ ଦାୟିତ୍ୱ ସମାପ୍ତ କରିଦେଇଥିବା ଅଭିଯୋଗ ଉଠିଛି।
ଦେହରେ ବଳ ନାହିଁ, କିପରି ତିଆରି କରିବେ ନୂଆ ଘର?
ବୟସର ଭାର ନେଇ ଚାଲୁଥିବା ଏହି ବୃଦ୍ଧ ଦମ୍ପତିଙ୍କ ଦେହରେ ଏବେ ଆଉ ବଳ ନାହିଁ। ଯଦି କେବେ ମୁଲ ଲାଗି କାମ ମିଳିଯାଏ, ତେବେ ଦୁଇ ମୁଠା ଖାଇବାକୁ ମିଳିଯାଏ। କିନ୍ତୁ ଭଙ୍ଗା ଦଦରା ଘରକୁ ମରାମତି କିମ୍ବା ନୂଆ ଘର ତୋଳିବା ସେମାନଙ୍କ ପାଇଁ ସମ୍ପୂର୍ଣ୍ଣ ଅସମ୍ଭବ।
ଏଭଳି ଅବସ୍ଥାରେ ପ୍ରଶ୍ନ ଉଠୁଛି—
ସରକାର ଯଦି ଗରିବଙ୍କ ପାଇଁ ଯୋଜନା କରୁଛନ୍ତି, ତେବେ ଏମାନଙ୍କ ଭଳି ଅସହାୟ ଲୋକଙ୍କ ପାଖକୁ ସେ ସହାୟତା କାହିଁକି ପହଞ୍ଚୁନି?
୭ ବର୍ଷର ନାତୁଣୀ ପାୟଲର ଭବିଷ୍ୟତ ଅନ୍ଧକାର
ଏହି ଘଟଣାକୁ ଆହୁରି ହୃଦୟବିଦାରକ କରିଦେଇଛି ୭ ବର୍ଷର ଛୋଟ ନାତୁଣୀ ‘ପାୟଲ’। ଛୋଟ ବୟସରେ ତାଙ୍କ ଉପରେ ଆସିପଡ଼ିଛି ଜୀବନର ଅସହ୍ୟ ଯନ୍ତ୍ରଣା ଓ ଭାର ଭାର ଦୁଃଖ।
ସ୍ଥାନୀୟ ସୂତ୍ରରୁ ଜଣାପଡ଼ିଛି, ପାୟଲର ବାପା ଓ ମାଆ ତାକୁ ଛାଡ଼ି ଅନ୍ୟତ୍ର ଚାଲି ଯାଇଛନ୍ତି। ନିଜ ସଂସାର ଗଢ଼ିବା ପାଇଁ ସେମାନେ ନାତୁଣୀକୁ ବୃଦ୍ଧ ଅଜା-ଆଇଙ୍କ ଗଳାରେ ବାନ୍ଧି ଦେଇ ଚାଲିଯାଇଥିବା ପେଟ ପୋଷିବା ପାଇଁ ଦାଦନ ଖଟିବାକୁ ଦେଶାନ୍ତର ।
ଏବେ ପାୟଲର ଭରଣ ପୋଷଣ, ଶିକ୍ଷା ଓ ଭବିଷ୍ୟତ ନେଇ ଗ୍ରାମବାସୀମାନେ ଚିନ୍ତା ପ୍ରକାଶ କରିଛନ୍ତି।
ବୃଦ୍ଧ ଦମ୍ପତିଙ୍କ ମୃତ୍ୟୁ ପରେ ଏହି କୁନି ଝିଅଟି କାହା ଆଶ୍ରୟରେ ରହିବ ତାହା ଏବେ ଏକ ବଡ଼ ପ୍ରଶ୍ନ ହୋଇଉଠିଛି।
ସରକାରୀ ବିଭିନ୍ନ ମାଳ ମାଳ ଯୋଜନାରେ ଅନ୍ତର୍ଭୁକ୍ତ ହେବାକୁ ଜନ ସାଧାରଣ ମହଲ ରେ ଆଶା ପ୍ରକଟ କରିଛନ୍ତି l
ବିଡିଓ କେମେରା ସମ୍ମୁଖରେ ପ୍ରତିକ୍ରିୟା ଦେଲେନି
ଏହି ଘଟଣାକୁ ନେଇ ପାତ୍ରପୁର ବ୍ଲକ ବିଡିଓଙ୍କ ପ୍ରତିକ୍ରିୟା ନେବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ, ସେ କେମେରା ସମ୍ମୁଖରେ କିଛି କହିବାକୁ ମନା କରିଥିଲେ।
ତଥାପି ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ମାଧ୍ୟମରେ ସୂଚନା ମିଳିଛି ଯେ, ସମ୍ପୂର୍ଣ୍ଣ ଘଟଣାର ସର୍ଭେ କରାଯିବ ଏବଂ ବୃଦ୍ଧ ଦମ୍ପତିଙ୍କୁ ଯୋଗ୍ୟ ସରକାରୀ ସୁବିଧା ଯୋଗାଇ ଦିଆଯିବ ବୋଲି ପ୍ରତିଶୃତି ଦିଆଯାଇଛି।
ତୁରନ୍ତ ସହାୟତା ଦିଆଯାଉ ବୋଲି
ଗୋପୀନାଥପୁର ଗାଁର ଲୋକମାନେ ଦାବି କରିଛନ୍ତି

