ନୂଆପଡ଼ା,୦୫।୦୮(ପରମେଶ୍ୱର ମେହେର):ନୂଆପଡ଼ା ଜିଲ୍ଲାସ୍ତରୀୟ ନାର୍କୋ ସମନ୍ୱୟ କେନ୍ଦ୍ର (ଏନ୍ସିଓଆର୍ଡି) ମେକାନିଜମ କମିଟିର ବୈଠକ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ମୁଖ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛିl ବୈଠକରେ ଜିଲ୍ଲାରେ ମାଦକଦ୍ରବ୍ୟର ଅବୈଧ କାରବାର ରୋକିବା, ସଚେତନତାକୁ ଅଧିକ ବ୍ୟାପକ କରିବା ଏବଂ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱିତ କାର୍ଯ୍ୟପଦ୍ଧତିକୁ ସୁଦୃଢ଼ କରିବା ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲାl ପ୍ରାରମ୍ଭରେ ଇନ୍ସପେକ୍ଟର ଅଫ୍ ପୋଲିସ ବି. ରୁଦ୍ରିୟା ସମସ୍ତଙ୍କୁ ସ୍ୱାଗତ ଜଣାଇ ବୈଠକର ଉଦ୍ଦେଶ୍ୟ ସମ୍ପର୍କରେ ସୂଚନା ଦେଇଥିଲେ।ଜିଲ୍ଲାପାଳ ମାଦକ ବିରୋଧୀ ସଚେତନତା ଅଭିଯାନକୁ ବ୍ୟାପକ କରିବା ପାଇଁ ଜିଲ୍ଲା ସାମାଜିକ ସୁରକ୍ଷା କାର୍ଯ୍ୟାଳୟ, ଶିକ୍ଷା ବିଭାଗ ଓ ସ୍ୱାସ୍ଥ୍ୟ ବିଭାଗକୁ ସମନ୍ୱିତ ଭାବେ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ପ୍ରତି ମାସରେ ମାଦକ ବିରୋଧୀ ସାଂସ୍କୃତିକ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରି ଜନସାଧାରଣଙ୍କ ମଧ୍ୟରେ ସକାରାତ୍ମକ ବାର୍ତ୍ତା ପହଞ୍ଚାଇବାକୁ ମଧ୍ୟ ସେ କହିଥିଲେ।ଅବୈଧ ମାଦକ କାରବାର ବିରୋଧରେ କଠୋର ପଦକ୍ଷେପ ସ୍ୱରୂପ ପୋଲିସ ଓ ଅବକାରୀ ବିଭାଗ ପ୍ରତି ମାସରେ ଅତି କମରେ ଥରେ ମିଳିତ ଚଢ଼ାଉ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ।ଭାରପ୍ରାପ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ରେଶମଲାଲ ନାୟକ ସୂଚନା ଦେଇଥିଲେ ଯେ, ଜିଲ୍ଲାର ସମସ୍ତ ବିଦ୍ୟାଳୟରେ ମାଦକଦ୍ରବ୍ୟ ବିରୋଧୀ ସଚେତନତା କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଛି ଏବଂ ଆସନ୍ତା ସପ୍ତାହରେ ମଧ୍ୟ ଏଭଳି କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଏଥିସହ ସମସ୍ତ ଉଚ୍ଚ ବିଦ୍ୟାଳୟର ନବମ ଶ୍ରେଣୀର ଛାତ୍ରୀ ଏବଂ ଯେଉଁ ବିଦ୍ୟାଳୟରେ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା ହେଉଛି ସେଠାରେ ଏକାଦଶ ଶ୍ରେଣୀର ଛାତ୍ରୀମାନଙ୍କୁ “ବ୍ରାଣ୍ଡ ଆମ୍ବାସାଡର” ଭାବେ ମନୋନୀତ କରାଯାଇ “ଡ୍ରଗ୍ସକୁ ନା” ବାର୍ତ୍ତାର ପ୍ରଚାର କରାଯିବ।ବୈଠକରେ ଜୁଲାଇ-୨୦୨୬ ପର୍ଯ୍ୟନ୍ତ ପୋଲିସ ଓ ଅବକାରୀ ବିଭାଗ ପକ୍ଷରୁ କରାଯାଇଥିବା ମାଦକ ବିରୋଧୀ ପ୍ରବର୍ତ୍ତନମୂଳକ କାର୍ଯ୍ୟର ସମୀକ୍ଷା କରାଯାଇଥିଲା। ପୋଲିସ ପକ୍ଷରୁ ଚଳିତ ବର୍ଷ ୬ଟି ଏନ୍ଡିପିଏସ୍ ମାମଲା ରୁଜୁ କରାଯାଇ ୮ ଜଣଙ୍କୁ ଗିରଫ କରାଯାଇଥିବା ସହ ୪୨.୮ କିଲୋଗ୍ରାମ ଗଞ୍ଜେଇ ଓ ୨୦ ଲିଟର କଫ୍ ସିରପ୍ ଜବତ କରାଯାଇଛିl ଅବକାରୀ ବିଭାଗ ପକ୍ଷରୁ ୬୦୯ଟି ମାମଲା ଚିହ୍ନଟ କରାଯାଇ ୫୨୩ ଜଣଙ୍କୁ ଗିରଫ କରାଯାଇଥିବା ସହ ବିପୁଳ ପରିମାଣର ଦେଶୀ ମଦ, ପୋଚ, ତାଡ଼ି, ବିଦେଶୀ ମଦ, ଗଞ୍ଜେଇ ଓ ମହୁଲ ଫୁଲ ଜବତ କରାଯାଇଥିବା ସୂଚନା ଦିଆଯାଇଥିଲା।ଜିଲ୍ଲାପାଳ କହିଥିଲେ ଯେ, ମାଦକମୁକ୍ତ ସମାଜ ଗଠନ କେବଳ ଆଇନ ପ୍ରୟୋଗ ଦ୍ୱାରା ସମ୍ଭବ ନୁହେଁ; ଏଥିପାଇଁ ଜନସଚେତନତା, ପରିବାର, ଶିକ୍ଷାନୁଷ୍ଠାନ ଓ ସମସ୍ତ ସରକାରୀ ବିଭାଗର ସକ୍ରିୟ ସହଯୋଗ ଅତ୍ୟନ୍ତ ଆବଶ୍ୟକ। ଜିଲ୍ଲାକୁ ଅବୈଧ ମାଦକମୁକ୍ତ କରିବା ପାଇଁ ସମସ୍ତ ବିଭାଗ ଏକାଠି କାର୍ଯ୍ୟ କରିବାକୁ ସେ ଆହ୍ୱାନ ଦେଇଥିଲେ।ବୈଠକରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ରଞ୍ଜିତ ନାୟକ, ଉପଜିଲ୍ଲାପାଳ ସୁର୍ମୀ ସୋରେନ, ଭାରପ୍ରାପ୍ତ ସିଡିଏମ୍ଓ ଡ. ଦ୍ୱାରିକାନାଥ ଶତପଥୀ, ସିଡିଏଓ ପ୍ରଣତିରାଣୀ ପ୍ରଧାନ, ଅବକାରୀ ଅଧିକ୍ଷକ ସଂଘମିତ୍ରା ପ୍ରଧାନ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଅନନ୍ତ କୁମାର ହେମ୍ବ୍ରମ, ଭାରପ୍ରାପ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ରେଶମଲାଲ ନାୟକ, ଡ୍ରଗ୍ସ ଇନ୍ସପେକ୍ଟର ପ୍ରସନ୍ନଜିତ ମହାନ୍ତିଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ।

