ନୂଆପଡ଼ା,୧୧।୮(ପରମେଶ୍ୱର ମେହେର):ଡେଙ୍ଗୁ ରୋଗର ପ୍ରତିରୋଧ ଓ ନିରାକରଣ ସହ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ନୂଆପଡ଼ା ଜିଲ୍ଲା ସିନାପାଲି ସଦର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ଡେଙ୍ଗୁ ସଚେତନତା ରଥର ଶୁଭାରମ୍ଭ କରାଯାଇଛି।ଏହି ସଚେତନତା ରଥ ସିନାପାଲି ବ୍ଲକର ବିଭିନ୍ନ ଗ୍ରାମ ଓ ପଞ୍ଚାୟତ ପରିଭ୍ରମଣ କରି ଡେଙ୍ଗୁର କାରଣ, ଲକ୍ଷଣ, ପ୍ରତିରୋଧ ଓ ଚିକିତ୍ସା ସମ୍ପର୍କରେ ଲୋକଙ୍କୁ ସଚେତନ କରିବ। ଘର ଓ ଆଖପାଖରେ ପାଣି ଜମିବାକୁ ନଦେବା, ସପ୍ତାହକୁ ଅତି କମରେ ଥରେ ପାଣି ପାତ୍ର ସଫା କରିବା, ମଶାରି ବ୍ୟବହାର କରିବା ଓ ପୂର୍ଣ୍ଣହାତ ପୋଷାକ ପିନ୍ଧିବା ନେଇ ରଥ ମାଧ୍ୟମରେ ଜନସାଧାରଣଙ୍କୁ ସଚେତନ କରାଯାଉଛି।ଏଥିସହ ଜ୍ୱର ହେଲେ ଅବହେଳା ନକରି ତୁରନ୍ତ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରରେ ପରୀକ୍ଷା କରାଇବା ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି।ଗୋଷ୍ଠୀ ଚିକିତ୍ସା ଅଧିକାରୀ ଡାକ୍ତର ଶ୍ରୀମାନ ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏଥିରେ ପିଏଚ୍ଇଓ ଅଙ୍ଗଦରାମ ମାଝୀ, ବିପିଏମ୍ ରତ୍ନମଣୀ ଭୁଏ, ଭିବିଡିଟିଏସ୍ ଦିବ୍ୟରଞ୍ଜନ ନାଏକ, ବିଏଏମ୍ ଶୁଭ୍ରାଂଶୁ ଦଣ୍ଡସେନା, ବିଡିଏମ୍ ବୈଷମ୍ପାୟାନ ମେହେରଙ୍କ ସମେତ ସ୍ୱାସ୍ଥ୍ୟ ବିଭାଗର ବହୁ କର୍ମଚାରୀ ଉପସ୍ଥିତ ଥିଲେ।ଡେଙ୍ଗୁ ନିରାକରଣ ପାଇଁ କେବଳ ସ୍ୱାସ୍ଥ୍ୟ ବିଭାଗ ନୁହେଁ, ଜନସାଧାରଣଙ୍କ ସଚେତନତା ଓ ସହଯୋଗ ମଧ୍ୟ ଅତ୍ୟନ୍ତ ଜରୁରୀ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବାର୍ତ୍ତା ଦିଆଯାଇଛି।

