ଭଞ୍ଜନଗର,୧୯/୮(ନିଲୁ ବିଶୋୟୀ):ନୂଆ ଦୋକାନ ଖୋଲିବାକୁ ଯୋଜନା କରୁଥିଲେ। ହେଲେ ହଠାତ୍ ବିଦ୍ୟୁତ୍ ଆଘାତରେ ନିମିଷରେ ଜୀବନଦୀପ ଲିଭିଗଲା। ଭଞ୍ଜନଗର ସହର ବାଗ୍ଦେବୀ ରୋଡ୍ରେ ଆଜି ଏଭଳି ଏକ ଦୁଃଖଦ ଘଟଣା ଘଟିଛି। ମୃତକଜଣକ ହେଲେ, ଆରସି ରୋଡ୍ର ବାସିନ୍ଦା ବନମାଳୀ ପାତ୍ରଙ୍କ ପୁଅ ବିଶ୍ବଜିତ (୨୫)। ବିଶ୍ବଜିତ ଆଜି ଦୋକାନ ଖୋଲିବା ଲାଗି ଆନୁଷଙ୍ଗିକ କାମରେ ଲାଗିପଡ଼ିଥିଲେ। ହେଲେ ହଠାତ୍ ବିଦ୍ୟୁତ ଆଘାତରେ ସେ ଛିଟିକି ପଡ଼ିବାରୁ ପାଖରେ ଥିବା ଅନ୍ୟ ଲୋକମାନେ ତାଙ୍କୁ ଉଦ୍ଧାର କରି ଭଞ୍ଜନଗର ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତାଙ୍କ ମୃତ୍ୟୁରେ ବନମାଳୀ ସଂପୂର୍ଣ୍ଣ ଭାବେ ଭାଙ୍ଗିପଡ଼ିଛନ୍ତି। ବହୁ ଅଞ୍ଚଳବାସୀ ଡାକ୍ତରଖାନାରେ ପହଞ୍ଚି ଶୋକବ୍ୟକ୍ତ କରିଛନ୍ତି। ଭଞ୍ଜନଗର ଥାନାରେ କେସ ନମ୍ବର ୨୦ରେ ଏକ ଅପମୃତ୍ୟୁ ମାମଲା ରୁଜୁ ସହ ଶବ ବ୍ୟବଚ୍ଛେଦ ପରେ ପରିବାରବର୍ଗକୁ ହସ୍ତାନ୍ତର କରାଯାଇଛି।

