ବୋଲଗଡ଼,୨୮/୮(ସୁଶାନ୍ତ କୁମାର ପ୍ରଧାନ):ପୁରାଣ ଅନୁସାରେ ଅଷ୍ଟମ ଅବତାରରେ ବିଷ୍ଣୁ ବଳରାମ ନାମରେ ଶ୍ରାବଣ ପୂର୍ଣ୍ଣିମା ତିଥିରେ ପୃଥିବୀ ପୃଷ୍ଠରେ ଅବତୀର୍ଣ୍ଣ ହୋଇଥିଲେ। ହଳଧର ରୂପେ ବିଦିତ ପ୍ରଭୁ ବଳଭଦ୍ର ଗୋ ସମ୍ପଦର ପାଳନକର୍ତା ଓ ରକ୍ଷକ। ମାନବର ଦୀର୍ଘ ଏବଂ ନିରାମୟ ଜୀବନ ନିମିତ୍ତ ଗୋମାତାଙ୍କ ଦାନ ଅତୁଳନୀୟ। ତେଣୁ ଶ୍ରାବଣ ପୂର୍ଣ୍ଣିମା ଦିନ ଶ୍ରୀ ବଳଭଦ୍ରଙ୍କ ସମେତ ଗୋ ଜାତିକୁ ପୂଜା କରାଯାଏ। ଏହି ଦିବସକୁ ପୂର୍ବ କାଳରେ ଗୋ ପୂର୍ଣ୍ଣିମା କୁହାଯାଉଥିଲା। ପରେ ଗୋ ପୂର୍ଣ୍ଣିମା ଶବ୍ଦଟି ଅପଭ୍ରଂଶ ହୋଇ ଗହ୍ମା ପୂର୍ଣ୍ଣିମାରେ ପରିଣତ ହୋଇଛି। ଲୀଳାକ୍ଷେତ୍ର ପୁରୀ ଶ୍ରୀମନ୍ଦିରରେ କନିଷ୍ଠ ଭଗ୍ନୀ ଶୁଭଦ୍ରା ଏହି ତିଥିରେ ବଳଭଦ୍ର ଓ ଜଗନ୍ନାଥଙ୍କୁ ପାଟ ରାକ୍ଷୀ ପରିଧାନ କରାନ୍ତି। ପାଣ୍ଡବଙ୍କ ମାତା କୁନ୍ତୀ କୌରବଙ୍କ କବଳରୁ ନିଜ ସନ୍ତାନମାନଙ୍କୁ ରକ୍ଷା କରିବା ଦାୟିତ୍ୱ ଶ୍ରୀକୃଷ୍ଣଙ୍କୁ ଅର୍ପଣ କରି ରାକ୍ଷୀ ପିନ୍ଧାଇଥିଲେ। ପୁରାଣ ମତେ, ୧୨ ବର୍ଷ ଧରି ଚାଲିଥିବା ଯୁଦ୍ଧରେ ଦାନବମାନଙ୍କ ଠାରୁ ଦେବତା ପରାସ୍ତ ହୋଇଥିଲେ। ଇନ୍ଦ୍ର ବ୍ରହ୍ମାଙ୍କ ଅନୁମତି ନେଇ ନିଜର ପ୍ରଧାନ ଶତ୍ରୁ ବୃତ୍ରାସୁରଙ୍କ ସହ ଯୁଦ୍ଧ କରିବାକୁ ଯିବା ବେଳେ ଇନ୍ଦ୍ରାଣୀ ଶ୍ରାବଣ ପୂର୍ଣ୍ଣିମା ଦିନ ଯୁଦ୍ଧରେ ସଫଳ ହେବା ପାଇଁ ତାଙ୍କ ଦକ୍ଷିଣ ହସ୍ତରେ ରାକ୍ଷୀ ବାନ୍ଧିଥିଲେ। ଇନ୍ଦ୍ର ବିଜୟୀ ହେବାରୁ ସେହି ଦିବସ ଠାରୁ ରାକ୍ଷୀ ବନ୍ଧନ ପାଳିତ ହୋଇ ଆସୁଛି। ସମସ୍ତ ସଙ୍କଟକୁ ମୁକାବିଲା କରିବାର ଉପାୟ ଯୁଧିଷ୍ଠିର ଭଗବାନ ଶ୍ରୀକୃଷ୍ଣଙ୍କୁ ପଚାରିବାରୁ ସେନାଙ୍କ ହସ୍ତରେ ରାକ୍ଷୀ ବନ୍ଧନ କରିବାକୁ ସେ ପରାମର୍ଶ ଦେଇଥିଲେ। ଶିଶୁପାଳ ବଧ ସମୟରେ କୃଷ୍ଣଙ୍କ ଶରୀରରେ ଆଘାତ ଲାଗିଥିଲା। ରକ୍ତସ୍ରାବ ବନ୍ଦ କରିବାକୁ ଦ୍ରୌପଦୀ ନିଜ ଶାଢ଼ୀ ଚିରି ଶ୍ରୀକୃଷ୍ଣଙ୍କ କ୍ଷତ ସ୍ଥାନରେ ବାନ୍ଧିଥିଲେ। ସେଥିପାଇଁ ଶ୍ରାବଣ ପୂର୍ଣ୍ଣିମା ରାକ୍ଷୀ ପୂର୍ଣ୍ଣିମା ରୂପେ ପରିଚିତ। ରାକ୍ଷୀ ପୂର୍ଣ୍ଣିମାରେ ଭଉଣୀ ଭାଇକୁ କାଠ ନିର୍ମିତ ପିଢ଼ା ଉପରେ ବସାଇ ସିନ୍ଦୂର ଟିକା ଲେପନ କରି ଦକ୍ଷିଣ ହସ୍ତରେ ରାକ୍ଷୀ ବାନ୍ଧିବା ପରେ ଆରତି କରି ମିଷ୍ଟାନ୍ନ ଖୁଆଇ ତା’ର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିବା ସହ ଶୁଭ ମନାସିଥାଏ। ଭାଇ ତା’ର ଭଉଣୀକୁ ସୁରକ୍ଷା ଦେବାକୁ ସଂକଳ୍ପ ନେଇଥାଏ। ପ୍ରତ୍ୟେକ ଓଡ଼ିଆ ଏହି ଦିନ ଗୋରୁ ଗାଈଙ୍କୁ ଗାଧୋଇ, ମସ୍ତକରେ ସିନ୍ଦୂର, ଚନ୍ଦନ, ପୁଷ୍ପ ଲଗାଇ ବନ୍ଦନା କରିବା ସହ ରାକ୍ଷୀ ବାନ୍ଧିଥାଆନ୍ତି ।

