ବୁଗୁଡ଼ା,୦୫।୦୯(ପୂର୍ଣ୍ଣଚନ୍ଦ୍ର ବାରିକ):ଗଞ୍ଜାମ ଜିଲ୍ଲା ବୁଗୁଡ଼ା ସହର ଓ ଏହାର ଆଖପାଖ ଅଞ୍ଚଳର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଗୁରୁ-ଶିଷ୍ୟ ପରମ୍ପରାକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ମହାନ୍ ଦାର୍ଶନିକ, ପୂର୍ବତନ ରାଷ୍ଟ୍ରପତି ଡଃ ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ ଜୟନ୍ତୀ ତଥା ଗୁରୁ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଭାରତର ପୂର୍ବତନ ରାଷ୍ଟ୍ରପତି ତଥା ବିଶିଷ୍ଟ ଶିକ୍ଷାବିତ୍ ଡଃ ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ତାଙ୍କର ଶିକ୍ଷା କ୍ଷେତ୍ରରେ ଅବଦାନକୁ ସ୍ମରଣ କରାଯାଇଥିଲା।କାର୍ଯ୍ୟକ୍ରମରେ ଶିକ୍ଷକମାନଙ୍କୁ ସମ୍ବର୍ଦ୍ଧନା ଦିଆଯିବା ସହ ଛାତ୍ରଛାତ୍ରୀମାନେ ସାଂସ୍କୃତିକ କାର୍ଯ୍ୟକ୍ରମ, ଭାଷଣ, କବିତା ପାଠ ଓ ଗୁରୁଙ୍କ ପ୍ରତି କୃତଜ୍ଞତା ଜ୍ଞାପନ କରିଥିଲେ। ଅନେକ ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀମାନେ ଶିକ୍ଷକଙ୍କ ଭୂମିକା ନିର୍ବାହ କରି ଶ୍ରେଣୀ ପରିଚାଳନା କରିଥିଲେ, ଯାହା ଉତ୍ସବକୁ ଅଧିକ ଆକର୍ଷଣୀୟ କରିଥିଲା।ବକ୍ତାମାନେ ନିଜ ଅଭିଭାଷଣରେ ଶିକ୍ଷକଙ୍କୁ ସମାଜ ଗଠନର ପ୍ରମୁଖ ସ୍ତମ୍ଭ ବୋଲି ଅଭିହିତ କରିଥିଲେ। ଜଣେ ଶିକ୍ଷକ କେବଳ ଜ୍ଞାନ ପ୍ରଦାନ କରନ୍ତି ନୁହେଁ, ବରଂ ଛାତ୍ରଛାତ୍ରୀଙ୍କ ଚରିତ୍ର ଗଠନ ଓ ଉଜ୍ଜ୍ୱଳ ଭବିଷ୍ୟତ ନିର୍ମାଣରେ ମଧ୍ୟ ମୁଖ୍ୟ ଭୂମିକା ଗ୍ରହଣ କରନ୍ତି ବୋଲି କୁହାଯାଇଥିଲା।ଗୁରୁ ଦିବସ ପାଳନ ଅବସରରେ ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏକ ସ୍ନେହପୂର୍ଣ୍ଣ ପରିବେଶ ସୃଷ୍ଟି ହୋଇଥିଲା ଏବଂ ସମସ୍ତେ ଶିକ୍ଷାର ଗୁରୁତ୍ୱ ଓ ଗୁରୁଙ୍କ ମହତ୍ତ୍ୱକୁ ସ୍ମରଣ କରିଥିଲେ।

