ବୁଗୁଡ଼ା,୦୫।୦୯(ପୂର୍ଣ୍ଣଚନ୍ଦ୍ର ବାରିକ):ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବ ପରେ ନନ୍ଦ ମହାରାଜଙ୍କ ଗୃହରେ ଆନନ୍ଦ ଉଲ୍ଲାସରେ ପାଳିତ ହୋଇଥିବା ନନ୍ଦୋତ୍ସବର ସ୍ମୃତିକୁ ଚିରସ୍ମରଣୀୟ କରିବା ଉଦ୍ଦେଶ୍ୟରେ ଷୋହଳଖଣ୍ଡ ଗୋପାଳ ସମାଜ ଗଞ୍ଜାମ ଜିଲ୍ଲା ବୁଗୁଡ଼ା ମୁଠା ଅନ୍ତର୍ଗତ ଭୋଗଡା ଗ୍ରାମରେ ଭକ୍ତି ଓ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ନନ୍ଦୋତ୍ସବ ଧୁମଧାମରେ ପାଳିତ ହୋଇଯାଇଛି। ପୁରାଣ ବର୍ଣ୍ଣିତ କଥାନୁସାରେ ଶ୍ରୀକୃଷ୍ଣଙ୍କ ଜନ୍ମ ଖବର ପାଇ ନନ୍ଦ ମହାରାଜ ଓ ଗୋକୁଳବାସୀ ଅପାର ଆନନ୍ଦରେ ମଗ୍ନ ହୋଇ ଦଧି, ମାଖନ ଓ ବିଭିନ୍ନ ମିଷ୍ଟାନ୍ନ ବଣ୍ଟନ କରି ଉତ୍ସବ ପାଳନ କରିଥିଲେ। ସେହି ପରମ୍ପରାକୁ ଅବ୍ୟାହତ ରଖି ଭୋଗଡା ଗ୍ରାମର ଗୋପାଳ ସମାଜ ପକ୍ଷରୁ ଏହି ନନ୍ଦୋତ୍ସବ ଆୟୋଜନ କରାଯାଇଥିଲା । ଗୋପାଳ ସମାଜର ଗ୍ରାମ ସଭାପତି ବଂଶିଧର ଗୌଡ଼, ଉପ-ସଭାପତି ହର୍ଷ ଗୌଡ଼, ସମ୍ପାଦକ ରାଧାମୋହନ ଗୌଡ଼, କୋଷାଧ୍ୟକ୍ଷ ଲକ୍ଷ୍ମଣ ଗୌଡ଼ ଓ କମିଟି ସଦସ୍ୟ ନକୁଳ ଗୌଡ଼ଙ୍କ ଉପସ୍ଥିତିରେ ଉତ୍ସବ ପାଳନ କରାଯାଇଥିଲା। ଏହି ଅବସରରେ ଦଧିଭାଣ୍ଡ ଭଞ୍ଜନ, ନଗର ପରିକ୍ରମା, ହରିନାମ ସଂକୀର୍ତ୍ତନ,ଶିଶୁ କୃଷ୍ଣଙ୍କ ବେଶଭୂଷା ପ୍ରତିଯୋଗିତା, ଝୁଲଣ ଉତ୍ସବ ଏବଂ ବିଭିନ୍ନ ସାଂସ୍କୃତିକ ଓ ଭକ୍ତିମୂଳକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଶ୍ରୀକୃଷ୍ଣଙ୍କ ଜୟଧ୍ୱନି ଓ ଭଜନ-କୀର୍ତ୍ତନରେ ସମଗ୍ର ଅଞ୍ଚଳ ମୁଖରିତ ହୋଇଉଠିଥିବା ବେଳେ ଭକ୍ତମାନେ ଉତ୍ସାହର ସହିତ ଉତ୍ସବରେ ସାମିଲ ହୋଇଥିଲେ। ଶେଷରେ ସମସ୍ତ ଭକ୍ତଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା। ନନ୍ଦୋତ୍ସବ ମାଧ୍ୟମରେ ଭଗବାନ ଶ୍ରୀକୃଷ୍ଣଙ୍କ ଆଦର୍ଶ ଓ ସନାତନ ସଂସ୍କୃତିର ପ୍ରଚାର ପ୍ରସାର ହେବା ସହ ସାମାଜିକ ସଦଭାବନା ଓ ଭାତୃତ୍ୱର ବାର୍ତ୍ତା ପ୍ରସାରିତ ହେଉଛି। ଉତ୍ସବକୁ ସଫଳ କରିବାରେ ଗ୍ରାମବାସୀ ଓ ଯୁବ ସ୍ୱେଚ୍ଛାସେବୀମାନେ ସକ୍ରିୟ ସହଯୋଗ କରିଥିଲେ।ଗ୍ରାମବାସୀଙ୍କ ସାମୂହିକ ସହଯୋଗ ଓ ଭକ୍ତିଭାବ ମଧ୍ୟରେ ସମ୍ପନ୍ନ ହୋଇଥିବା ଏହି ନନ୍ଦୋତ୍ସବ ଅଞ୍ଚଳରେ ଆଧ୍ୟାତ୍ମିକ ଚେତନାର ବାର୍ତ୍ତା ପ୍ରସାର କରିଥିଲା।

