ବେଗୁନିଆପଡ଼ା,୧୦।୯(ବାପୁନି ମାଲୁ):ଗଞ୍ଜାମ ଜିଲ୍ଲା କୋଦଳା ତହସିଲ ଅନ୍ତର୍ଗତ ମର୍ଦ୍ଦକୋଟ ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟ ନିର୍ମାଣ ଶେଷ ହୋଇ ଦେଢ଼ ବର୍ଷ ବିତିଥିଲେ ମଧ୍ୟ ଏଯାଏଁ କାର୍ଯ୍ୟକ୍ଷମ ହୋଇପାରିନାହିଁ। ଫଳରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଚିଙ୍ଗୁଡ଼ିଖୋଲ, ମର୍ଦ୍ଦକୋଟ ଓ ଚନ୍ଦନପୁର ପଞ୍ଚାୟତର ପ୍ରାୟ ୨୪ ଖଣ୍ଡ ଗାଁ ଏହି ରାଜସ୍ୱ ସର୍କଲ ଅଧୀନରେ ରହିଛି। ଲୋକଙ୍କ ସୁବିଧା ପାଇଁ ନିର୍ମାଣ ହୋଇଥିବା ଏହି ନୂଆ କାର୍ଯ୍ୟାଳୟ ଏଯାଏଁ ଲୋକଙ୍କ କାମରେ ଆସୁନଥିବାରୁ ରାଜସ୍ୱ ସମ୍ପର୍କିତ କାମ ପାଇଁ ଲୋକଙ୍କୁ ପ୍ରାୟ ୨୦ କିଲୋମିଟର ଦୂର ଯାଏଁ ଯିବାକୁ ପଡ଼ୁଛି। ବର୍ତ୍ତମାନ ମଧ୍ୟ ନୂଆଗାଁ ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟର ଉପର ମହଲାରେ ଅସ୍ଥାୟୀ ଭାବେ ମର୍ଦ୍ଦକୋଟ ସର୍କଲର କାର୍ଯ୍ୟ ଚାଲିଥିବା ଜଣାପଡ଼ିଛି। ନୂଆ କୋଠା ନିର୍ମାଣ ସରିବା ସହ ପୂଜାର୍ଚ୍ଚନା ମଧ୍ୟ କରାଯାଇଥିବା ଶୁଣିବାକୁ ମିଳୁଛି। ତଥାପି କାହିଁକି ଏହା କାର୍ଯ୍ୟକ୍ଷମ ହେଉନାହିଁ, ତାହାକୁ ନେଇ ଉଠିଛି ବଡ଼ ପ୍ରଶ୍ନ। ପୂର୍ବ ସରକାରଙ୍କ ସମୟରେ ଲୋକଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଏହି ରାଜସ୍ୱ ସର୍କଲ ନିର୍ମାଣ କରାଯାଇଥିଲା। କିନ୍ତୁ କୋଠା ନିର୍ମାଣ ଶେଷ ହୋଇ ଦେଢ଼ ବର୍ଷ ପରେ ମଧ୍ୟ ଲୋକଙ୍କୁ ଏହାର ସୁବିଧା ମିଳୁନାହିଁ। ତେବେ ପ୍ରଶ୍ନ ଉଠୁଛି କାହା ସ୍ୱାର୍ଥରେ ଅଟକିଛି ମର୍ଦ୍ଦକୋଟ ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟ? କାହା ଚାପରେ ନୂଆ କୋଠା କାର୍ଯ୍ୟକ୍ଷମ ହେଉନାହିଁ? ଲୋକଙ୍କ ସୁବିଧାରେ ବାଧକ ସାଜିଛି କିଏ? ଏନେଇ ପ୍ରଶାସନ ପକ୍ଷରୁ ସ୍ପଷ୍ଟୀକରଣ ସହ ଶୀଘ୍ର କାର୍ଯ୍ୟାଳୟଟିକୁ କାର୍ଯ୍ୟକ୍ଷମ କରିବାକୁ ଦାବି ହେଉଛି।

