ବୁଗୁଡ଼ା,୧୦।୦୯(ପୂର୍ଣ୍ଣଚନ୍ଦ୍ର ବାରିକ):ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଲକ ଅନ୍ତର୍ଗତ ମୋଟାବାଡ଼ି ପଞ୍ଚାୟତରେ ଷ୍ଟ୍ରିଟ୍ଲାଇଟ ଅଚଳ ହୋଇପଡ଼ିବା ଯୋଗୁଁ ଗ୍ରାମବାସୀ ଏବେ ଅନ୍ଧାରରେ ରାତି କାଟୁଥିବା ଅଭିଯୋଗ ହୋଇଛି। ଗାଁର ବିଭିନ୍ନ ସାହିରେ ଲଗାଯାଇଥିବା ଷ୍ଟ୍ରିଟ୍ଲାଇଟ ବହୁ ଧରି ଜଳୁନଥିବାରୁ ସନ୍ଧ୍ୟା ହେଲେ ରାସ୍ତାଘାଟ ଅନ୍ଧାର ହେଉଛି।ବର୍ଷା ଋତୁରେ ଏହି ସମସ୍ୟା ଗ୍ରାମବାସୀଙ୍କ ଚିନ୍ତାକୁ ଆହୁରି ଦ୍ୱିଗୁଣିତ କରି ଦେଇଛି।ଅନ୍ଧାର ରାସ୍ତାରେ ରାତିରେ ଯାତାୟାତ କରିବା ସମୟରେ ବିଭିନ୍ନ ପ୍ରକାର ବିପଦର ଆଶଙ୍କା ରହୁଛି। ବିଶେଷ କରି ସନ୍ଧ୍ୟା ସମୟରେ ଟିଉସନ୍ ଯାଉଥିବା ଛାତ୍ରଛାତ୍ରୀ,ଶିଶୁ ଓ ବୃଦ୍ଧବୃଦ୍ଧାମାନେ ଅଧିକ ଅସୁବିଧାରେ ପଡ଼ୁଛନ୍ତି। ଏହାସହ ଚୋରିର ଭୟ ଏବଂ ବିଷାକ୍ତ ସାପ, କୀଟପତଙ୍ଗଙ୍କ ଆଶଙ୍କା ମଧ୍ୟ ଗ୍ରାମବାସୀଙ୍କୁ ଚିନ୍ତିତ କରିଛି। ମୋଟାବାଡି ପଞ୍ଚାୟତ ଅଧିନରେ ଥିବା ନାଗିରି,ଠଣାପଲ୍ଲୀ ଝାଟିକାପଲ୍ଲୀ ଗ୍ରାମରେ ମଧ୍ୟ ବହୁଦିନ ଧରି ଷ୍ଟ୍ରିଟ୍ ଲାଇଟ୍ ଗୁଡ଼ିକ ଅଚଳ ହୋଇ ପଡ଼ିରହିଛି ସମସ୍ୟାର ସମାଧାନ ପାଇଁ ଗ୍ରାମବାସୀ ପଞ୍ଚାୟତର ସରପଞ୍ଚଙ୍କ ଦୃଷ୍ଟି ଆକର୍ଷଣ କରିଥିବା ସତ୍ତ୍ୱେ ଏଯାଏଁ ପଦକ୍ଷେପ ନିଆଯାଇନଥିବା ଅଭିଯୋଗ ହୋଇଛି। ଅଭିଯୋଗ କରିଥିଲେ ସୁଦ୍ଧା ଏଯାବତ୍ କୌଣସି ସୁଫଳ ମିଳୁନଥିବା କହୁଛନ୍ତି ପଞ୍ଚାୟତବାସୀ କେବଳ ‘ଦେଖିବା’ ଆଉ କରିବା ବୋଲି ଜବାବ ମିଳୁ ଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ୁଛି।ଅନ୍ୟପକ୍ଷରେ ଲାଗିଥିବା ଷ୍ଟ୍ରିଟ୍ଲାଇଟର ରକ୍ଷଣାବେକ୍ଷଣ ଓ ମରାମତି ପାଇଁ ସରକାରୀ ଅନୁଦାନ ବ୍ୟବସ୍ଥା ଥିବା ବେଳେ ଅଚଳ ଲାଇଟ୍ଗୁଡ଼ିକ ମରାମତି ନହେବା ନେଇ ମଧ୍ୟ ପ୍ରଶ୍ନ ଉଠିଛି। ଏଥିପାଇଁ ଆସୁଥିବା ଅର୍ଥର ସଠିକ୍ ବିନିଯୋଗ ହେଉଛି କି ନାହିଁ, ତାହାର ଯାଞ୍ଚ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।ମୋଟାବାଡ଼ିର ନୂଆସାହିଁ ଏବଂ ନାଗିରି,ଠଣାପଲ୍ଲୀ ରେ ଅଚଳ ହୋଇପଡ଼ିଥିବା ଷ୍ଟ୍ରିଟ୍ଲାଇଟ ଗୁଡ଼ିକୁ ତୁରନ୍ତ ମରାମତି କରି ଆଲୋକ ବ୍ୟବସ୍ଥା ସ୍ୱାଭାବିକ କରିବା ସହ ସରକାରୀ ଅର୍ଥର ସଠିକ୍ ବିନିଯୋଗ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।

