ଭଞ୍ଜନଗର,୧୧।୯(ନିଲୁ ବିଷୋୟୀ):ଗଞ୍ଜାମ ଜିଲ୍ଲା ମୁଜାଗଡ଼ ସ୍ଥିତ ପି.ଏମ୍.ଶ୍ରୀ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଶୁକ୍ରବାର ସ୍ୱଚ୍ଛତା ପକ୍ଷ ପାଳନ ଅବସରରେ ସ୍ବଚ୍ଛତା ସଚେତନ ରାଲୀ ସହ ବିଦ୍ୟାଳୟ ପରିସର ସଫେଇ, ହାତ ଧୁଆର ସଠିକ୍ ଅଭ୍ୟାସ, ଛାତ୍ର ଛାତ୍ରୀଙ୍କ ମଧ୍ୟରେ ଚିତ୍ରାଙ୍କନ, ସ୍ବଚ୍ଛତା ସ୍ଲୋଗାନ ପ୍ରଦାନ ଆଦି କାର୍ଯ୍ୟକ୍ରମ ବିଦ୍ୟାଳୟର ଅଧ୍ୟକ୍ଷା ପି. କୁନିଆମ୍ମା ଦୋରାଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଛାତ୍ରଛାତ୍ରୀ, ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀ ଓ କର୍ମଚାରୀ ବୃନ୍ଦ ଉତ୍ସାହର ସହିତ ସ୍ୱଚ୍ଛତା ଅଭିଯାନରେ ଯୋଗଦେଇଥିଲେ। କାର୍ଯ୍ୟକ୍ରମର ଅଂଶ ଭାବେ ବିଦ୍ୟାଳୟ ପରିସରରେ ସଫେଇ କାର୍ଯ୍ୟ ଓ ପରିବେଶ ପରିଷ୍କାର ପରିଚ୍ଛନ୍ନ କରାଯାଇଥିଲା। ଛାତ୍ରଛାତ୍ରୀମାନେ ହାତରେ ପ୍ଲାକାର୍ଡ ଧରି ସ୍ୱଚ୍ଛତା ସଚେତନତା ରାଲିରେ ଯୋଗଦେଇ ଲୋକମାନଙ୍କୁ ଅଳିଆ ନ ଫିଙ୍ଗିବା, ପରିବେଶକୁ ସଫା ରଖିବା ଓ ସ୍ୱଚ୍ଛତାକୁ ଦୈନନ୍ଦିନ ଜୀବନର ଅଂଶ କରିବା ପାଇଁ ସଚେତନ କରିଥିଲେ। ବିଦ୍ୟାଳୟର ଶିକ୍ଷକ-ଶିକ୍ଷୟିତ୍ରୀମାନେ ମଧ୍ୟ ଛାତ୍ରଛାତ୍ରୀଙ୍କ ସହ ସଫେଇ କାର୍ଯ୍ୟରେ ସାମିଲ ହୋଇ “ସ୍ୱଚ୍ଛ ବିଦ୍ୟାଳୟ, ସୁସ୍ଥ ପରିବେଶ ଓ ସୁନ୍ଦର ସମାଜ” ଗଠନର ବାର୍ତ୍ତା ଦେଇଥିଲେ। ଏହି ଅଭିଯାନ ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ମନରେ ସ୍ୱଚ୍ଛତା, ପରିବେଶ ସୁରକ୍ଷା ଓ ସାମାଜିକ ଦାୟିତ୍ୱବୋଧ ସୃଷ୍ଟି କରିବା ମୁଖ୍ୟ ଉଦ୍ଦେଶ୍ୟ ଥିଲା ବୋଲି କର୍ଯ୍ୟକ୍ରମକୁ ପରିଚାଳନା କରୁଥିବା ଶିକ୍ଷକ ଶିକ୍ଷୟିତ୍ରୀ ମତବ୍ୟକ୍ତ କରିଛନ୍ତି। କାର୍ଯ୍ୟକ୍ରମରେ ସମସ୍ତଙ୍କ ସକ୍ରିୟ ଅଂଶଗ୍ରହଣ ଏହାକୁ ସଫଳ କରିଥିଲା। ଶେଷରେ ସ୍ବଚ୍ଛତା ବାର୍ତ୍ତା ପ୍ରଦାନ ନିମିତ୍ତ ଛାତ୍ରଛାତ୍ରୀ ମାନେ ଚିତ୍ରାଙ୍କନ, ସ୍ଲୋଗାନ ଲିଖନ ଆଦି ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ।

