ଭଞ୍ଜନଗର,୧୧।୯(ନିଲୁ ବିଷୋୟୀ):ପ୍ରଶାସନିକ ଅଧିକାରୀ ଓ ଜନପ୍ରତିନିଧି ଲୋକଙ୍କ ସମସ୍ତ ଆବଶ୍ୟକତାକୁ ପୂରଣ କରିବା ଦିଗରେ ସର୍ବଦା ତତ୍ପର ରହିବା ଜରୁରୀ ବୋଲି ଶୁକ୍ରବାର ଭଞ୍ଜନଗର ପଞ୍ଚାୟତ ସମିତିର ୪ର୍ଥ ବୈଠକ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ପ୍ରକାଶ କରିଛନ୍ତି। ଗ୍ରାମାଞ୍ଚଳର ସମସ୍ତ ଆବଶ୍ୟକତାକୁ ପୂରଣ କରି ଏହାକୁ ଏକ ବିକଶିତ ବ୍ଳକରେ ପରିଗଣିତ କରିବାକୁ ସମସ୍ତେ ଉଦ୍ୟମ କରିବା ଆବଶ୍ୟକ ବୋଲି ସେ କହିଥିଲେ।ବ୍ଳକ୍ ଅଧ୍ୟକ୍ଷ ନରୀସଭା ନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ବିଡ଼ିଓ ଭାରତୀ ଦେବୀ,ଅତିରିକ୍ତ ତହସିଲଦାର ଅବିନାଶ ମାହାର,ସାଂସଦ ପ୍ରତିନିଧି ଧୋବା ଗୌଡ,ଡିଆର୍ଡିଏ ସାଂସଦ ପ୍ରତିନିଧି ଶିବ ଶଙ୍କର ପ୍ରଧାନ,ସହକାରୀ ଯନ୍ତ୍ରୀ ଇଂ ନିତ୍ୟାନନ୍ଦ ପାତ୍ର,ଜିଲ୍ଲାପରିଷଦ ସଦସ୍ୟ ଶୌଳବାଳା ବିଷୋୟୀ,ଜିତେନ୍ଦ୍ର କେଶରୀ ଆରୁଖ,ଭାଗ୍ୟଲତା ସେଠୀଙ୍କ ସମେତ ବିଭିନ୍ନ ପଞ୍ଚାୟତର ସରପଞ୍ଚ, ସମିତିସଭ୍ୟ ପ୍ରମୁଖ ଯୋଗ ଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ବିଡ଼ିଓ ଜାରି ରହିଥିବା ଉନ୍ନୟନ ମୂଳକ କାର୍ଯ୍ୟ ସଂର୍ପକରେ ବକ୍ତବ୍ୟ ରଖିବା ସହ ପଞ୍ଚାୟତ ଗୁଡିକ ନିଜର ରାଜସ୍ବ ବୃଦ୍ଧି ଦିଗରେ ମଧ୍ୟ ସମସ୍ତେ ମିଳିମିଶ କାର୍ଯ୍ୟ କରିବାକୁ କହିଥିଲେ। ବ୍ଳକର ଗହପଦର,ଗିଡିପାବାଲି,ମିଟ୍ରିକିଆ ଦୁର୍ଗମ ଅଞ୍ଚଳ ହୋଇଥିବାରୁ ତୁରନ୍ତ ସେଠାରେ ସୋଲାର ପ୍ରକଳ୍ପ ମାଧ୍ୟମରେ ଜଳଯୋଗାଣ ପ୍ରକଳ୍ପ କରିବାକୁ ଆଲୋଚନା ହୋଇଥିଲା।ମେଗା ପାନୀୟ ଜଳ ପ୍ରକଳ୍ପରେ ୧୦୯ କିମି ମୁଖ୍ୟ ପାଇପ ଲାଇନ ପଡିବାକୁ ଥିବା ବେଳେ ଏବେ ୩୭ କିମି ମାତ୍ର ପଡିଛି। ଆଉ ଡ୍ରଷ୍ଟ୍ରିବୁସନ ପାଇପ ଲାଇନ ୩୩୬ କିମି ପଡିବାକୁ ଥିବା ବେଳେ ୨୧୨ କିମି ପଡିଛି। ତେବେ ପାଇପ ଲାଇନ ବିଛା ଯିବା ପରେ ଅଧିକାଂଶ ସ୍ଥାନରେ ମାଟି ପୋତା ଯାଉନଥିବାରୁ ଅଧିକାଂଶ ସଦସ୍ୟ ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ। ୩୬ ଟି ନୂଆ ଅଙ୍ଗନବାଡି କେନ୍ଦ୍ର ଖୋଲିବାକୁ ପ୍ରସ୍ତାବ ରହିଥିବା ସିଡିପିଓ ସୂଚନା ଦେଇଥିଲେ। ଜିଲୁଣ୍ଡି ପଞ୍ଚାୟତରେ କାଳିଆମ୍ବା ସ୍କୁଲକୁ ପୁଣି ଖୋଲିବାକୁ ସରପଞ୍ଚ ଦାବି କରିଥିବା ବେଳେ ବଦାଙ୍ଗିରେ ଜଣେ ଶିକ୍ଷକ ରହିଥିବା ସରପଞ୍ଚ ପ୍ରକାଶ କରିଥିଲେ।ସ୍କୁଲ ଗୁଡିକର ଶୌଚାଳୟ ଓ ପାଚେରୀ ସୁରକ୍ଷା ଉପରେ ଗୁରୁତ୍ବ ଦେବାକୁ ବିଧାୟକ କହିଥିଲେ। ଝିଲିମିଲି ଡ୍ୟାମରୁ ଦଳ ସଫା କରିବା,ଦୁର୍ବଳ ଚେକଡ୍ୟାମ ନିର୍ମାଣ କରିବା,ଭାଲିଙ୍ଗିଆ ରାସ୍ତା,ଟୋକାଗଣ୍ଡା-ଦଣ୍ଡିପଦର ରାସ୍ତା,ଗୋଲାପଡା-ସାଦରା ରାସ୍ତାର ଉନ୍ନତି କରଣ ଉପରେ ସଦସ୍ୟ ମାନେ ଜଣାଇଥିଲେ। ସହକାରୀ ଯନ୍ତ୍ରୀ ଶ୍ରୀ ପାତ୍ର ବିଭିନ୍ନ ଯୋଜନାରେ ଆସିଥିବା ଅର୍ଥ ଏବଂ ବିଭିନ୍ନ ପ୍ରକଳ୍ପ ସଂର୍ପକରେ ତଥ୍ୟ ଉପସ୍ଥାପନ କରିଥିଲେ।ଏବିଡିଓ ପୂର୍ଣ୍ଣଚନ୍ଦ୍ର ପାଢୀ ଧନ୍ୟବାଦ ଅର୍ପଣ କରିଥିଲେ।

