ଚିକିଟି,୧୧।୦୯(ନିଗମାନନ୍ଦ ପଣ୍ଡା):ଶିକ୍ଷାର ଗୁଣାତ୍ମକ ଉନ୍ନତି ଓ ବିଦ୍ୟାଳୟ ସ୍ତରରେ ଶୈକ୍ଷିକ କାର୍ଯ୍ୟକ୍ରମକୁ ଅଧିକ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ଚିକିଟି ବ୍ଲକର ସମସ୍ତ ୧୨ଟି କ୍ଲଷ୍ଟରରେ ତୃତୀୟ କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି।ଗୋଷ୍ଠୀ ଶିକ୍ଷା ଅଧିକାରୀ ପନ୍ନଗ ଭୂଷଣ ମାଝୀ, ବିଆରସିସି ତ୍ରିନାଥ ମଲ୍ଲିକଙ୍କ ସମେତ ସମସ୍ତ ଏବିଇଓ ବିଭିନ୍ନ କ୍ଲଷ୍ଟର ପରିଦର୍ଶନ କରି ବୈଠକର ତଦାରଖ କରିବା ସହ ଆବଶ୍ୟକ ପରାମର୍ଶ ପ୍ରଦାନ କରିଥିଲେ।ଗିରିସୋଲା କ୍ଲଷ୍ଟର ଅନ୍ତର୍ଗତ ଲବଣ ପ୍ରାଥମିକ ବିଦ୍ୟାଳୟ, କେ ସୁବାଣୀ ଠାରେ ସିଆରସିସି ବି ଭେଙ୍କେଟ ରାଓଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ବିଦ୍ୟାଳୟ ପରିଦର୍ଶନର ସମୀକ୍ଷା, ପୂର୍ବ ବୈଠକର କାର୍ଯ୍ୟକାରିତା,ଆକଳନ,ଏଫଏଲଏନ୍ ଶ୍ରେଣୀ ପରିଚାଳନା, ଜିଲ୍ଲାଭିତ୍ତିକ ଶୈକ୍ଷିକ ଆଲୋଚନା, ଶିକ୍ଷଣ ସୋପାନ ରେଜିଷ୍ଟର, ଶ୍ରେଣୀ ପରିଚାଳନା ଏବଂ ଗ୍ୟାଲେରୀ କାର୍ଯ୍ୟ ସମ୍ପର୍କରେ ଫଳପ୍ରଦ ଆଲୋଚନା କରାଯାଇଥିଲା।ଏବିଇଓ ମେଘନାଥ ବେହେରା ବୈଠକରେ ଉପସ୍ଥିତ ରହି ଶିକ୍ଷାର ଗୁଣାତ୍ମକ ବିକାଶ, ଶ୍ରେଣୀଗୃହ ଶିକ୍ଷଣର ଉନ୍ନତି ଏବଂ ଏଫଏଲଏନ୍ କାର୍ଯ୍ୟକ୍ରମର ସଫଳ କାର୍ଯ୍ୟାନ୍ୱୟନ ଉପରେ ମାର୍ଗଦର୍ଶନ ପ୍ରଦାନ କରିଥିଲେ। କ୍ଲଷ୍ଟର ଅନ୍ତର୍ଗତ ୯ଟି ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କ ସହ ଏଫଏଲଏନ୍ ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ।ସେହିପରି ବଡ଼ପଲଙ୍କ କ୍ଲଷ୍ଟରରେ ସିଆରସିସି ଅମର କୁମାର ସାହୁ, ଝାଟିପଦର କ୍ଲଷ୍ଟରରେ ଏ ଦମୟନ୍ତୀ ପରିଚାଳନା କରିଥିବା ବେଳେ ବିଇଓ ପନ୍ନଗ ଭୂଷଣ ମାଝୀ ପରିଦର୍ଶନ କରିଥିଲେ। କେ ନୂଆଗାଁ କ୍ଲଷ୍ଟରରେ ନାରାୟଣ ପ୍ରଧାନ,କଳବାଡ଼ କ୍ଲଷ୍ଟରରେ ସୁଜିତ କୁମାର ପାଢ଼ୀ, ନୂଆପଡା କ୍ଲଷ୍ଟରରେ କୁରେଶ ସାହୁ ବୈଠକ ପରିଚାଳନା କରିଥିବା ବେଳେ ଏବିଇଓ ତ୍ରିନାଥ ମଲ୍ଲିକ ଓ ନାୟକ ସେଠି ଶିବିର ପରିଦର୍ଶନ କରିଥିଲେ।

