ଭଞ୍ଜନଗର,୨୨।୯(ନିଲୁ ବିଷୋୟୀ):ଘରୁ ଟାଣି ଆଣି ହତ୍ୟା କରିବା ମାମଲାରେ ଶୁକ୍ରବାର ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ମହମ୍ମଦ କଏସ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଭଞ୍ଜନଗର ଥାନା ଦଣ୍ଡିପଦର ଗ୍ରାମର କେଶବ ଗୌଡ଼ ଓରଫ ପ୍ରଧାନକୁ ହତ୍ୟା ମାମଲାରେ କାରାଦଣ୍ଡ ସହ ୧୦ ହଜାର ଟଙ୍କା ଜରିମାନା ଦେବାକୁ ରାୟରେ ଶୁଣାଇଛନ୍ତି। ଜରିମାନା ଅନାଦେୟ ଅଧିକ ୧ ବର୍ଷ ଜେଲଦଣ୍ଡ ଭୋଗିବାକୁ ରାୟ ଦେଇଥିବା ସରକାରୀ ଆଇନଜୀବୀ ଦିପାଞ୍ଜଳି ମହାପାତ୍ର ସୂଚନା ଦେଇଛନ୍ତି।ସୂଚନା ଅନୁଯାୟୀ,ଦଣ୍ଡିପଦର୍ ଗ୍ରାମର ପରଖିତ ପ୍ରଧାନ ତାର ଭାଇ କୃଷ୍ଣଚନ୍ଦ୍ର ପ୍ରଧାନ ସହ ସାର୍ଦୂଳ ଗ୍ରାମରୁ ଭୋଜି ଖାଇ ଫେରୁଥିଲେ। ଏହି ସମୟରେ ଗ୍ରାମର ରବୀନ୍ଦ୍ର ପ୍ରଧାନ ଓ କେଶବ ଗୌଡ଼ ଗାଳିଗୁଲଜ କରୁଥିଲେ। ପରଖିତ ଗ୍ରାମ କମିଟିରେ ଥିବାରୁ ସେ ଏଭଳି ନକରିବାକୁ ତାଗିଦ୍ କରିଥିଲେ। ସେଠାରୁ ସେ ନିଜ ଘରକୁ ପଳାଇଥିଲେ। ଏହାପରେ ରବୀନ୍ଦ୍ର ଓ କେଶବ ମିଶି ପରଖିତର ଘରକୁ ଯାଇ କବାଟ ବାଡେଇବା ସହ ପାଟିକରି ଡାକିଥିଲେ। ପରିକ୍ଷୀତ କବାଟ ଖୋଲିବା ପରେ ଏକ ଧାରୁଆ ଛୁରୀରେ ଆକ୍ରମଣ କରିଥିଲେ। ପାଟି ଶୁଣି ତାଙ୍କ ପତ୍ନୀ ମଧ୍ୟ ସେଠାକୁ ଦୌଡି ଆସିଥିଲେ। ଏହାପରେ ସେମାନେ ସେଠାରୁ ପଳାଇବା ପରେ ପରଖିତକୁ ଡାକ୍ତରଖାନା ନିଆଯାଇଥିବା ବେଳେ ସେଠାରେ ତାର ମୃତ୍ୟୁ ଘଟିଥିଲା। ଏହାପରେ ପୁଲିସ ସେହି ସମୟରେ କେସ ନମ୍ୱର୍ ୨୪୪ ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ ମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଏହାପରେ ଏସ୍ ଟି ୯/୨୦୨୪ ମାମଲାର ବିଚରଣ କରି ୧୮ ଜଣଙ୍କ ସାକ୍ଷ୍ୟ ଓ ପ୍ରମାଣ ଆଧାରରେ ଆଜି ଏଡିଜେ କେଶବକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥିପୂର୍ବରୁ ୨୦୨୪ ମସିହା ଡିସେମ୍ବର ମାସରେ ଅନ୍ୟତମ ଅଭିଯୁକ୍ତ ରବୀନ୍ଦ୍ର କୁ ମଧ୍ୟ କୋର୍ଟ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥିରେ ଏପିପି ବସନ୍ତ କୁମାର ଦାସ ସହଯୋଗ କରିଥିଲେ।

