ବେଗୁନିଆପଡା,୧୨।୯(ବାପୁନି ମାଲୁ):ନାଁରେ ‘ବିଜ୍ଞାନ’, କିନ୍ତୁ ନାହିଁ ବିଜ୍ଞାନ ବିଭାଗ! ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ଜନତା ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଏଭଳି ଅବ୍ୟବସ୍ଥାକୁ ନେଇ ଏବେ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି। ୧୯୯୧ରେ ପ୍ରତିଷ୍ଠିତ ଏହି ଶିକ୍ଷାନୁଷ୍ଠାନରେ ପୂର୍ବରୁ ବିଜ୍ଞାନ ବିଭାଗ ଥିଲା। ହେଲେ ଗତ କିଛି ବର୍ଷ ହେଲା ଯୁକ୍ତ ଦୁଇ ବିଜ୍ଞାନ ବିଭାଗ ନାହିଁ। ଏହି ବିଦ୍ୟାଳୟ କାହା ପାଇଁ? ବର୍ତ୍ତମାନ ଏଠାରେ କେବଳ ଯୁକ୍ତ ଦୁଇ କଳା ବିଭାଗ ଚାଲୁଛି। ବେଗୁନିଆପଡ଼ା ବ୍ଲକର ପ୍ରାୟ ୧୭ଟି ପଞ୍ଚାୟତ ଏବଂ ଖଲ୍ଲିକୋଟ ବ୍ଲକ ପ୍ରାୟ ୨ଟି ପଞ୍ଚାୟତର ଛାତ୍ରଛାତ୍ରୀ ଏହି ଶିକ୍ଷାନୁଷ୍ଠାନ ଉପରେ ନିର୍ଭର କରୁଥିବାବେଳେ ବିଜ୍ଞାନ ବିଭାଗ ନଥିବାରୁ ମେଧାବୀ ଛାତ୍ରଛାତ୍ରୀଙ୍କୁ ଦୂର ଶିକ୍ଷାନୁଷ୍ଠାନକୁ ଦୌଡ଼ିବାକୁ ପଡ଼ୁଛି। ଯାତାୟାତରେ ଯାଉଛି ସମୟ, ଖର୍ଚ୍ଚ ହେଉଛି ଟଙ୍କା। ଗରିବ ଓ ନିମ୍ନ ଆୟବର୍ଗର ପରିବାରର ପିଲାମାନଙ୍କ ପାଇଁ ଦୂର ସ୍ଥାନକୁ ଯାଇ ବିଜ୍ଞାନ ପଢ଼ିବା ଆହୁରି କଷ୍ଟକର ହେଉଛି। ଫଳରେ ଅନେକ ଛାତ୍ରଛାତ୍ରୀ ନିଜ ଇଚ୍ଛା ଓ ଯୋଗ୍ୟତା ଥିଲେ ମଧ୍ୟ ବାଧ୍ୟ ହୋଇ କଳା ବିଭାଗରେ ନାମ ଲେଖାଉଥିବା ଅଭିଯୋଗ ହେଉଛି। ବିଦ୍ୟାଳୟରେ ବିଜ୍ଞାନ ବିଭାଗ କାହିଁକି ବନ୍ଦ ହେଲା? ଏହା ପାଇଁ ବିଦ୍ୟାଳୟ କର୍ତ୍ତୃପକ୍ଷ ଦାୟୀ କି? ଉଚ୍ଚଶିକ୍ଷା ବିଭାଗର ଅବହେଳା ଯୋଗୁଁ ଏଭଳି ସ୍ଥିତି ସୃଷ୍ଟି ହୋଇଛି କି? ନା ଜନପ୍ରତିନିଧିଙ୍କ ଇଚ୍ଛାଶକ୍ତିର ଅଭାବ ଯୋଗୁଁ ଅଞ୍ଚଳର ପିଲାମାନେ ବିଜ୍ଞାନ ଶିକ୍ଷାରୁ ବଞ୍ଚିତ ହେଉଛନ୍ତି? ଏମିତି ଅନେକ ପ୍ରଶ୍ନ ଏବେ ଅଞ୍ଚଳବାସୀଙ୍କ ମନରେ ସୃଷ୍ଟି ହୋଇଛି । ଯାହାର ଉତ୍ତର ସେମାନେ ଦାବି କରିଛନ୍ତି । ସରକାର ବିଜ୍ଞାନ ଶିକ୍ଷାର ପ୍ରସାର ଓ ଛାତ୍ରଛାତ୍ରୀଙ୍କୁ ବିଜ୍ଞାନ ପଢ଼ିବା ପାଇଁ ଉତ୍ସାହିତ କରୁଥିବା ବେଳେ ବେଗୁନିଆପଡ଼ା ଭଳି ଅଞ୍ଚଳର ଏକ ପୁରାତନ ଶିକ୍ଷାନୁଷ୍ଠାନରେ ବିଜ୍ଞାନ ବିଭାଗ ନଥିବା ଘଟଣା ଚିନ୍ତାଜନକ। ଅଞ୍ଚଳର ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ଜନତା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ତୁରନ୍ତ +୨ ବିଜ୍ଞାନ ବିଭାଗ ଖୋଲିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି। ଅଧ୍ୟକ୍ଷ ଅଭିମନ୍ୟୁ ସ୍ବାଇଁଙ୍କ କହିବାନୁସାରେ, ୨୦୨୭-୨୮ ଶିକ୍ଷାବର୍ଷରୁ ବିଜ୍ଞାନ ବିଭାଗ ଖୋଲିବା ପାଇଁ ପ୍ରୟାସ ଚାଲିଛି। ଏହି ବିଦ୍ୟାଳୟକୁ ବିଜ୍ଞାନ ବିଭାଗ କେବେ ମିଳିବ ତାକୁ ହିଁ ଅପେକ୍ଷା ।

