ପୁରୁଷୋତ୍ତମପୁର,୧୨।୦୯(କୃଷ୍ଣ ଚନ୍ଦ୍ର ସାମନ୍ତରାୟ):ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁରସ୍ଥିତ ପିଏମ୍ ଶ୍ରୀ ନରସିଂହ ଦାଶ ଉଚ୍ଚ ବିଦ୍ୟାଳୟ ପରିସରରେବ୍ଲକ ଶିକ୍ଷା ଅଧିକାରୀ କିଶୋର ଚନ୍ଦ୍ର ବେହେରା ଙ୍କ ଦ୍ୱାରା ବ୍ଲକସ୍ତରୀୟ ସମୂହ ଦୁଇଦିନିଆ କ୍ରୀଡ଼ା ଓ ଖେଳକୁଦ ଚୟନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ପୂର୍ବରୁ ବ୍ଲକରେ ଆୟୋଜିତ ହୋଇଥିବା ୪ ଗୋଟି ଜୋନ ସ୍ତରୀୟ ପ୍ରତିଯୋଗିତାରେ କୃତକାର୍ଯ୍ୟ ହୋଇଥିବା ସମସ୍ତ ଉଚ୍ଚ ବିଦ୍ୟାଳୟ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ପ୍ରାୟ ୫୦୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଏଥିରେ ଅଂଶଗ୍ରହଣ କରିଥିଲେ। ଏହି ଅବସରରେ ଶିକ୍ଷା ବିଭାଗର ଏବିଇଓ ଦେବରାଜ ବେହେରା, ବିଜୟ ଚନ୍ଦ୍ର ବେହେରା ଓ ଭକ୍ତବତ୍ସଳ ଜାନୀ ଉପସ୍ଥିତ ଥିଲେ। ପ୍ରଥମ ଦିନରେ ଡିସକସ୍ ଥ୍ରୋ, ଉଚ୍ଚ ଡିଆଁ, ଲମ୍ବା ଡିଆଁ, ଦୌଡ଼ ଓ ସଟ୍ଫୁଟ୍ ଭଳି ବିଭିନ୍ନ ଆଥଲେଟିକ୍ସ ପ୍ରତିଯୋଗିତା ହୋଇଥିଲା। ଦ୍ୱିତୀୟ ଦିନରେ କବାଡ଼ି, ଖୋ-ଖୋ, ଭଲିବଲ୍, ଫୁଟବଲ୍ ଓ ଯୋଗାସନ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ବିଶେଷକରିପି ଏମ ଶ୍ରୀ ନରସିଂହ ଦାଶ ଉଚ୍ଚ ବିଦ୍ୟାଳୟର ଆଇଶା ବେହେରାଙ୍କ ପ୍ରଦର୍ଶନ ପ୍ରତିଯୋଗିତାର ଆକର୍ଷଣ ପାଲଟିଥିଲା। ସେ ୧୦୦, ୪୦୦ ଓ ୬୦୦ ମିଟର ଦୌଡ଼ରେ ପ୍ରଥମ ସ୍ଥାନ ଅଧିକାର କରି ନିଜ କ୍ରୀଡ଼ା ପ୍ରତିଭାର ପରିଚୟ ଦେଇଥିଲେ। ତାଙ୍କର ଏହି ସଫଳତା ଜିଲ୍ଲାସ୍ତରୀୟ ପ୍ରତିଯୋଗିତାରେ ବ୍ଲକର ପ୍ରଦର୍ଶନକୁ ଆହୁରି ମଜବୁତ କରିବ ବୋଲି ଆଶା ପ୍ରକାଶ ପାଇଛି। କାର୍ଯ୍ୟକ୍ରମର ସମ୍ପାଦକ ଜଗନ୍ନାଥ ଜେନାଙ୍କ ନେତୃତ୍ୱରେ ବ୍ଲକରେ କାର୍ଯ୍ୟରତ ସମସ୍ତ କ୍ରୀଡ଼ା ଶିକ୍ଷକ ପ୍ରତିଯୋଗିତାର ସୁଚାରୁ ପରିଚାଳନାରେ ସହଯୋଗ କରିଥିଲେ। ଦ୍ୱିତୀୟ ଦିନର ଉଦ୍ଯାପନୀ ସଭାରେ ପିଏମ୍ ଶ୍ରୀ ନରସିଂହ ଦାଶ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ପୂର୍ଣ୍ଣିମା ସର୍ଦ୍ଦାର ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ୪ଟି ଜୋନ ର ଅତିଥିମାନେ କହିଥିଲେ ଯେ, ଏଭଳି କ୍ରୀଡ଼ା ପ୍ରତିଯୋଗିତା ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରତିଯୋଗିତାମୂଳକ ମନୋଭାବ ସୃଷ୍ଟି କରିବା ସହ ଜିଲ୍ଲାସ୍ତରରେ ଆହୁରି ଭଲ ପ୍ରଦର୍ଶନ କରିବେ ବୋଲି ଆଶା ରଖିଛନ୍ତି।

