ବାଲିଗୁଡ଼ା,୧୨।୦୯(ସଞ୍ଜୟ କୁମାର ପାଣିଗ୍ରାହୀ):ଜାତୀୟ ଆଇନ ସେବା ପ୍ରାଧୀକରଣଙ୍କ ଆଦେଶ ଅନୁଯାୟୀ ଶନିବାର ବାଲିଗୁଡ଼ା ସ୍ଥିତ ଦେୱାନୀ ଓ ଫୌଜଦାରି ଅଦାଲତ ପରିସରରେ ତାଲୁକ ଆଇନ ସେବା କମିଟି, ବାଲିଗୁଡ଼ା ପକ୍ଷରୁ ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ- ୨୦୨୬ ଅତିରିକ୍ତ ଜିଲ୍ଲା ଜଜ୍ ତଥା ତାଲୁକ ଆଇନ ସେବା କମିଟିର ଅଧ୍ୟକ୍ଷ ଶୁଭଶ୍ରୀ ତ୍ରିପାଠୀ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି। ଲୋକ ଅଦାଲତରେ ବିଭିନ୍ନ ଅଦାଲତ ସମେତ ବିଭିନ୍ନ ସରକାରୀ ଓ ଆର୍ଥିକ ଅନୁଷ୍ଠାନର ମାମଲା ଗୁଡ଼ିକର ଆପୋସ ବୁଝାମଣା ମାଧ୍ୟମରେ ସମାଧାନ କରାଯାଇଥିଲା। ଅତିରିକ୍ତ ଜିଲ୍ଲା ଜଜ୍ ଅଦାଲତରେ ମୋଟ ୩ଟି ମାମଲା ନିଆଯାଇଥିବା ବେଳେ ମାମଲା ଗୁଡ଼ିକର ସମାଧାନ ପ୍ରକ୍ରିୟାରେ ମୋଟ ୨୭,୭୦,୦୦୦ ଟଙ୍କାର କ୍ଷତିପୂରଣ ପୁରସ୍କାର କରାଯାଇଥିଲା। ସେହିପରି ସିଭିଲ୍ ଜଜ୍ (ସିନିୟର ଡିଭିଜନ) ଅଦାଲତରେ ମୋଟ ୬ଟି ମାମଲା ନିଆଯାଇଥିବା ବେଳେ ୨ଟି ମାମଲାର ଫଇସଲା ହୋଇଥିଲା। ଏଥିରେ ମୋଟ ୫,୪୧,୧୯୪ ଟଙ୍କାର ସେଟଲମେଣ୍ଟ ହୋଇଥିଲା। ଏସଡିଜେଏମ ଙ୍କ ଅଦାଲତ ରେ ମୋଟ ୧୯ଟି ମାମଲା ନିଆଯାଇଥିବା ବେଳେ ୪ଟି ମାମଲାର ସମାଧାନ ହୋଇଥିଲା। ଏଥିରେ ମୋଟ ୧୧ ଲକ୍ଷ ଟଙ୍କାର ସେଟଲମେଣ୍ଟ ହୋଇଥିବା ଜଣାପଡ଼ିଛି।ବ୍ୟାଙ୍କ ମାମଲାରେ ମଧ୍ୟ ଆପୋସ ସମାଧାନ ଲୋକ ଅଦାଲତ ରେ ପାଞ୍ଚଟି ଜାତୀୟକରଣ ବ୍ୟାଙ୍କ ଅଂଶଗ୍ରହଣ କରିଥିଲେ। ସେଗୁଡ଼ିକ ହେଲା ବାଲିଗୁଡା, କ. ନୂଆଗାଁ, ବାରଖମା, ସାରଙ୍ଗଡ଼ ର ଷ୍ଟେଟ ବ୍ୟାଙ୍କ, ବାଲିଗୁଡା ର ଓଡିଶା ଗ୍ରାମୀଣ ବ୍ୟାଙ୍କ ଏହି ବ୍ୟାଙ୍କ ଗୁଡ଼ିକର ପ୍ରି-ଲିଟିଗେସନ୍ ବ୍ୟାଙ୍କ ରିକଭରି ମାମଲା ମଧ୍ୟରୁ ମୋଟ ୨୧୧ଟି ମାମଲା ନିଆଯାଇଥିବା ବେଳେ ୧୬ଟିର ସମାଧାନ ହୋଇଛି। ଏଥିରେ ମୋଟ ୭,୯୪,୯୨୭ ଟଙ୍କାର ସେଟଲମେଣ୍ଟ ହୋଇଥିଲା। ଏଥିସହ ଟିପିଏସଓଡିଏଲ ମଧ୍ୟ ଲୋକ ଅଦାଲତରେ ଅଂଶଗ୍ରହଣ କରିଥିଲା। ଟିପିଏସଓଡିଏଲ ସମ୍ବନ୍ଧୀୟ ମୋଟ ୧୬୦ଟି ମାମଲା ନିଆଯାଇଥିବା ବେଳେ ୩ଟିର ସମାଧାନ ହୋଇଥିଲା ଏବଂ ୪୪,୧୭୭ ଟଙ୍କାର ସେଟଲମେଣ୍ଟ ହୋଇଥିଲା। ଅନ୍ୟପକ୍ଷରେ ବାଲିଗୁଡ଼ା ତହସିଲର ରାଜସ୍ୱ ମାମଲା ମଧ୍ୟ ଲୋକ ଅଦାଲତରେ ନିଆଯାଇଥିଲା। ମୋଟ ୩୭୯ଟି ରାଜସ୍ୱ ମାମଲା ନିଆଯାଇ ୩୭୯ଟି ମାମଲାର ହିଁ ସମାଧାନ କରାଯାଇଛି।ଲୋକ ଅଦାଲତ ମାଧ୍ୟମରେ ଦୀର୍ଘଦିନ ଧରି ଚାଲିଥିବା ବିବାଦର ଶୀଘ୍ର ଓ ସହଜ ଆପୋସ ସମାଧାନ ହୋଇଥିବାରୁ ଏହା ମାମଲା ପକ୍ଷଭୁକ୍ତ ଲୋକଙ୍କ ପାଇଁ ଆଶ୍ୱସ୍ତିର କାରଣ ହୋଇଛି। ଆଇନ ସେବା ପ୍ରାଧୀକରଣର ଏଭଳି ପଦକ୍ଷେପ ନ୍ୟାୟକୁ ସାଧାରଣ ଲୋକଙ୍କ ନିକଟତର କରିବା ସହ ଅଦାଲତରେ ମାମଲାର ଚାପ ହ୍ରାସ କରିବାରେ ସହାୟକ ହେଉଛି।

