ବାଲିଗୁଡ଼ା,୧୩/୦୯(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଉପଖଣ୍ଡ ତୁମୁଡ଼ିବନ୍ଧ ଥାନା ଅନ୍ତର୍ଗତ ବଡ଼ସାହି ଅଞ୍ଚଳରେ ନିର୍ମାଣାଧୀନ ପାଇଖାନା ଟାଙ୍କିରୁ ଜଣେ ନବଜାତ ଶିଶୁର ମୃତଦେହ ଉଦ୍ଧାର ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି ହୋଇଥିବା ବେଳେ ଶିଶୁଟିର ମୃତଦେହ ଏଠାକୁ କିପରି ଆସିଲା, ତାହାକୁ ନେଇ ରହସ୍ୟ ଘନୀଭୂତ ହୋଇଛି। ସୂଚନା ଅନୁଯାୟୀ, ବଡ଼ସାହିର ରାମଚନ୍ଦ୍ର ଚାନ୍ଦ ଏକ ନୂତନ ଘର ନିର୍ମାଣ କରୁଛନ୍ତି। ଗତ କିଛି ଦିନ ଧରି ଲଗାଣ ବର୍ଷା ଯୋଗୁଁ ନିର୍ମାଣ କାର୍ଯ୍ୟ ବନ୍ଦ ରହିଥିଲା। ରବିବାର ସକାଳେ ପାଗ ଶୁଖିଲା ହେବାରୁ ଘର ମାଲିକ ଶ୍ରମିକମାନଙ୍କୁ ନେଇ ନିର୍ମାଣସ୍ଥଳରେ ପହଞ୍ଚିଥିଲେ। ସେଠାରେ ନିର୍ମାଣାଧୀନ ପାଇଖାନା ଟାଙ୍କିରେ ବର୍ଷାଜଳ ଭର୍ତ୍ତି ହୋଇଥିବା ବେଳେ ପାଣି ମଧ୍ୟରେ ଏକ ନବଜାତ ଶିଶୁର ମୃତଦେହ ଭାସୁଥିବା ଦେଖିବାକୁ ମିଳିଥିଲା। ଏହାପରେ ଘଟଣା ସମ୍ପର୍କରେ ତୁମୁଡ଼ିବନ୍ଧ ଥାନାକୁ ସୂଚନା ଦିଆଯାଇଥିଲା। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି। ତେବେ ନବଜାତ ଶିଶୁର ମୃତଦେହ ନିର୍ମାଣାଧୀନ ଟାଙ୍କି ମଧ୍ୟକୁ କିପରି ଆସିଲା, ଏହା ପଛରେ କାହାର ହାତ ରହିଛି କି ନାହିଁ ଏବଂ ଘଟଣାଟି କେବେ ଘଟିଛି—ସେନେଇ ଏପର୍ଯ୍ୟନ୍ତ ସ୍ପଷ୍ଟ ତଥ୍ୟ ମିଳିନାହିଁ। ପୁଲିସର ତଦନ୍ତ ପରେ ଘଟଣାର ପ୍ରକୃତ ରହସ୍ୟ ଉନ୍ମୋଚନ ହେବ ବୋଲି ଆଶା କରାଯାଉଛି। ଏଭଳି ସମ୍ବେଦନଶୀଳ ଘଟଣା ତୁମୁଡ଼ିବନ୍ଧ ଅଞ୍ଚଳରେ ପ୍ରଥମ ଥର ପାଇଁ ଘଟିଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ସହ ଚିନ୍ତା ପ୍ରକାଶ ପାଇଛି। ଘଟଣାର ସଠିକ୍ ତଦନ୍ତ କରି ପ୍ରକୃତ ତଥ୍ୟ ସାମ୍ନାକୁ ଆଣିବା ସହ ଦୋଷୀଙ୍କ ବିରୋଧରେ ଆଇନାନୁଯାୟୀ କାର୍ଯ୍ୟାନୁଷ୍ଠାନ ନେବାକୁ ସାଧାରଣରେ ଦାବି ହୋଇଛି।

