ଫୁଲବାଣୀ,୧୩।୦୯(ସୁନୀଲ ପଟ୍ଟନାୟକ):ସମାଜସେବୀ ତଥା ଯୁବ ନେତା ପ୍ରତାପ କୁମାର ପ୍ରଧାନଙ୍କ ନେତୃତ୍ୱରେ ଆଜି କନ୍ଧମାଳ ଜିଲ୍ଲାର ବରିଗୁଡାସ୍ଥିତ ଶାନ୍ତିପୀଠ ପରିସରରେ ଏକ ବିଶାଳ ବୃକ୍ଷରୋପଣ କାର୍ଯ୍ୟକ୍ରମ ସଫଳତାର ସହିତ ଆୟୋଜିତ ହୋଇଯାଇଛି ।ପରିବେଶ ସୁରକ୍ଷା, ପ୍ରକୃତି ସଂରକ୍ଷଣ ଏବଂ ଆଗାମୀ ପିଢ଼ି ପାଇଁ ସବୁଜ ଓ ସୁସ୍ଥ ପରିବେଶ ଗଠନର ଲକ୍ଷ୍ୟ ନେଇ ଆୟୋଜିତ ଏହି ଅଭିଯାନରେ ପ୍ରାୟ ୨୩୦ଟି ବିଭିନ୍ନ ପ୍ରକାରର ଫଳଦାୟୀ ଓ ଔଷଧୀୟ ବୃକ୍ଷ ରୋପଣ କରାଯାଇଥିଲା ।ଏଥିରେ ଆମ୍ବ, ଅଁଳା, ଜାମୁକୋଳି, ଡାଲିମ୍ବ, ପିଜୁଳି, ଆତ, ନିମ୍ବ, କଦମ୍ବ, କୃଷ୍ଣଚୂଡ଼ା, ବାଉଁଶ ଆଦି ବିଭିନ୍ନ ପ୍ରଜାତିର ବୃକ୍ଷ ସାମିଲ ଥିଲା ।ଏହି ମହତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମରେ ଜି.ଉଦୟଗିରି ଏନ୍ ଏ ସି ର କାଉନସିଲର ଯାକେଶ ପ୍ରଧାନ, ପୂର୍ବତନ ବ୍ଲକ ସଭାପତି ସଦାନନ୍ଦ ନାୟକ, ଜିଲ୍ଲା ଅନୁସୂଚିତ ଜାତି ଅଧ୍ୟକ୍ଷ ପ୍ରଫୁଲ୍ଲ ଦିଗାଳ, ଅମୂଲ୍ୟ ନାୟକ, ଜ୍ୟୋତିଷ ଚନ୍ଦ୍ର ନାୟକ, ଅନନ୍ତ ସାହୁ, ଯୁଧିଷ୍ଠିର ବେହେରା, ଅମନ ନାୟକଙ୍କ ସମେତ ବହୁ ବରିଷ୍ଠ ଓ ଯୁବ ନେତୃମଣ୍ଡଳୀ ଯୋଗଦାନ କରି କାର୍ଯ୍ୟକ୍ରମକୁ ସଫଳ କରିଥିଲେ ।ପ୍ରକୃତିକୁ ସୁରକ୍ଷା କରିବା ଆମ ସମସ୍ତଙ୍କର ନୈତିକ ଦାୟିତ୍ୱ । ଆଜି ଗୋଟିଏ ବୃକ୍ଷ ରୋପଣ ମାନେ ଆଗାମୀ ପିଢ଼ି ପାଇଁ ଜୀବନର ଏକ ନୂଆ ଆଶା ସୃଷ୍ଟି କରିବା । ଆସନ୍ତୁ, ସମସ୍ତେ ମିଶି ସବୁଜ ଓ ସୁସ୍ଥ ପରିବେଶ ଗଠନରେ ସହଯୋଗ କରିବାକୁ ସମାଜ ସେବୀ ପ୍ରତାପ ପ୍ରଧାନ ଆହ୍ବାନ ଦେଇଥିଲେ l

