ବୋଲଗଡ଼,୧୪।୯(ସୁଶାନ୍ତ କୁମାର ପ୍ରଧାନ):ପବିତ୍ର ଗଣେଶ ଚତୁର୍ଥୀର ପୁଣ୍ୟ ଅବସରରେ ଆଜି ବୋଲଗଡ଼ ଅଞ୍ଚଳ ଭକ୍ତିର ରଙ୍ଗରେ ରଙ୍ଗାୟିତ ହୋଇ ଉଠିଛି। ବିଘ୍ନ ବିନାଶକ ଶ୍ରୀ ଗଣେଶଙ୍କ ଆଗମନରେ ସହରଠାରୁ ଆରମ୍ଭ କରି ଗ୍ରାମାଞ୍ଚଳର ପ୍ରତ୍ୟେକ ସାହି, ଗଳି, ଛକ ପର୍ଯ୍ୟନ୍ତ ଏକ ଅପୂର୍ବ ଆଧ୍ୟାତ୍ମିକ ଉଲ୍ଲାସ ପରିଲକ୍ଷିତ ହୋଇଛି।ଅଞ୍ଚଳର ସମସ୍ତ ଶିକ୍ଷାନୁଷ୍ଠାନ, କ୍ଲବ, ଅନୁଷ୍ଠାନ ଏବଂ ସାର୍ବଜନୀନ ପୂଜା ମଣ୍ଡପମାନଙ୍କରେ ସିଦ୍ଧିଦାତାଙ୍କ ମୃନ୍ମୟ ମୂର୍ତ୍ତି ସ୍ଥାପନ ପୂର୍ବକ ବିଧି ଅନୁଯାୟୀ ପୂଜାର୍ଚ୍ଚନା କରାଯାଇଛି। ଘଣ୍ଟ , ମୃଦଙ୍ଗ ଓ ଶଙ୍ଖ ଧ୍ୱନୀରେ ପ୍ରକମ୍ପିତ ହୋଇଛି ପରିବେଶ।ଏହି ଅବସରରେ ଅନେକ ସ୍ଥାନରେ ଭକ୍ତମାନଙ୍କ ନିମନ୍ତେ ପ୍ରସାଦ ସେବନର ସୁବ୍ୟବସ୍ଥା କରାଯାଇଥିଲା। ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ପୂଜା ମଣ୍ଡପମାନଙ୍କରେ ଶ୍ରଦ୍ଧାଳୁ ଭକ୍ତମାନଙ୍କର ଅହେତୁକ ଭିଡ଼ ପରିଲକ୍ଷିତ ହୋଇଥିଲା। ଶିଶୁଙ୍କଠାରୁ ବୃଦ୍ଧ ପର୍ଯ୍ୟନ୍ତ ସମସ୍ତେ ଭକ୍ତି ଓ ଆନନ୍ଦରେ ମଗ୍ନ ହୋଇଥିଲେ।ଆଜିର ଏହି ପବିତ୍ର ଦିନରେ ସମଗ୍ର ଅଞ୍ଚଳ ଏକ ଭକ୍ତିମୟ ଓ ଆନନ୍ଦମୟ ପରିବେଶରେ ପରିଣତ ହୋଇଛି। ସନ୍ଧ୍ୟା ସମୟରେ ବିଭିନ୍ନ ସ୍ଥାନରେ ସାଂସ୍କୃତିକ କାର୍ଯ୍ୟକ୍ରମ, ଭଜନ ସମାରୋହ ଓ ନୃତ୍ୟ ପରିବେଷଣ କରାଯିବାର ସୂଚନା ମିଳିଛି।

