ବେଗୁନିଆପଡ଼ା,୧୪।୯(ବାପୁନି ମାଲୁ):ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ୍ କୁମ୍ଭାରଗାଁ ପଞ୍ଚାୟତର କୁମାରୀପାରୀ ଠାରୁ ଡାଇକି ଛକ ପର୍ଯ୍ୟନ୍ତ ରାସ୍ତାର ଅବସ୍ଥା ଏବେ ଅତ୍ୟନ୍ତ ଶୋଚନୀୟ ହୋଇପଡ଼ିଛି । ରାସ୍ତାସାରା ଖାଲଖମା, ଆଉ ଏହି ଖାଲ ଭିତରେ ପ୍ରତିଦିନ ଯାତାୟାତ କରୁଛନ୍ତି ଶହ ଶହ ଲୋକ । ଏହି ରାସ୍ତା ଦେଇ ଦୈନନ୍ଦିନ ଭାବେ ବହୁ ଯାନବାହାନ ଚଳାଚଳ କରୁଥିବା ବେଳେ ରାସ୍ତାର ମରାମତି ନେଇ ବିଭାଗୀୟ ତତ୍ପରତା ଦେଖାଯାଉନଥିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ, ରାସ୍ତାଟି ପୂର୍ତ୍ତ ବିଭାଗ ଅଧୀନରେ ରହିଛି। ଆଗରୁ ଗ୍ରାମ୍ୟ ନିର୍ମାଣ ବିଭାଗ ଅଧିନରେ ଥିଲା । ତଥାପି ରାସ୍ତାର ଏଭଳି ଦୁରବସ୍ଥା ପ୍ରତି ବିଭାଗର ନଜର ନପଡ଼ିବା ଏବେ ସାଧାରଣ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ାଇଛି। ଏନେଇ ବିଭାଗୀୟ ଅଧିକାରୀଙ୍କ ସହ ଯୋଗାଯୋଗ ଚେଷ୍ଟା କରାଯାଇଥିଲେ ମଧ୍ୟ ଯୋଗାଯୋଗ ହୋଇପାରିନି । ଏବେ ପ୍ରଶ୍ନ ଉଠିଛି, ଲୋକେ ଆଉ କେତେଦିନ ଏଭଳି ଖାଲଖମା ରାସ୍ତାରେ ଯାତାୟାତ କରିବେ? ଅଧିକାରୀଙ୍କ ନିରବତା କେବେ ଭାଙ୍ଗିବ?ଅଞ୍ଚଳବାସୀଙ୍କ ଦାବି, ତୁରନ୍ତ ବିଭାଗୀୟ ଅଧିକାରୀ ଘଟଣାସ୍ଥଳକୁ ଆସି ରାସ୍ତାର ସ୍ଥିତି ଯାଞ୍ଚ କରନ୍ତୁ। ଖାଲଖମା ପୂରଣ ସହ ରାସ୍ତାର ମରାମତି କରାଯାଉ। କେବଳ ପ୍ରତିଶ୍ରୁତି ନୁହେଁ, ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ କାମ ଆରମ୍ଭ କରାଯାଉ। ନଚେତ୍ ଦାବି ପୂରଣ ପାଇଁ ଅଞ୍ଚଳବାସୀ ଜନ ଆନ୍ଦୋଳନକୁ ଓହ୍ଲାଇବେ ବୋଲି କହିଛନ୍ତି ।

