ବ୍ରହ୍ମପୁର,୧୬।୮(ହିମାଂଶୁ ଶେଖର ସାବତ):ସିଲ୍ ଥାଇ ମଧ୍ୟ ଉପଭୋକ୍ତାଙ୍କୁ ଖାଲି ଏଲ୍ପିଜି ସିଲିଣ୍ଡର ଯୋଗାଇବା ଏବଂ ପରେ ତାହା ବଦଳାଇବାକୁ ମନା କରିବା ଏକ ଗ୍ୟାସ୍ ଏଜେନ୍ସି ପାଇଁ ମହଙ୍ଗା ପଡ଼ିଛି। ଏଭଳି ଏକ ସେବାଗତ ତ୍ରୁଟି ମାମଲାର ବିଚାର କରି ଗଞ୍ଜାମ ଜିଲ୍ଲା ଖାଉଟି ବିବାଦ ବିଚାର ଆୟୋଗ, ବ୍ରହ୍ମପୁର ବିପକ୍ଷ ‘ମେସର୍ସ ଆର୍.ସି. ଭାରତ ଗ୍ୟାସ୍’ (ଦିଗପହଣ୍ଡି) କୁ ଉପଭୋକ୍ତାଙ୍କୁ ତୁରନ୍ତ ନୂଆ ଭର୍ତ୍ତି ସିଲିଣ୍ଡର କିମ୍ବା ଟଙ୍କା ଫେରସ୍ତ ସହ କ୍ଷତିପୂରଣ ଏବଂ ମକଦ୍ଦମା ଖର୍ଚ୍ଚ ପ୍ରଦାନ କରିବାକୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ଘଟଣାର ବିବରଣୀ: ଦିଗପହଣ୍ଡି କୋର୍ଟ ଷ୍ଟ୍ରିଟ୍ର ବାସିନ୍ଦା ତଥା ଆଇନଜୀବୀ କୁରେଶୁ ପଣ୍ଡା ମେସର୍ସ ଆର୍.ସି. ଭାରତ ଗ୍ୟାସ୍ ଅଧୀନରେ ଡବଲ୍ ସିଲିଣ୍ଡର ସଂଯୋଗ ରଖିଛନ୍ତି। ସେ ୧୮ ଅଗଷ୍ଟ ୨୦୨୩ ତାରିଖରେ ଏକ ରିଫିଲ୍ ସିଲିଣ୍ଡର ବୁକିଂ କରିଥିଲେ। ୨୦ ଅଗଷ୍ଟରେ ଏଜେନ୍ସିର ଡେଲିଭରି ବୟ ତାଙ୍କ ଘରେ ସିଲିଣ୍ଡର ପହଞ୍ଚାଇବା ପରେ ଶ୍ରୀ ପଣ୍ଡା ନିର୍ଦ୍ଧାରିତ ମୂଲ୍ୟ ୧,୧୫୦.୫୦ ଟଙ୍କା ପଇଠ କରି କ୍ୟାସ୍ ମେମୋ ନେଇଥିଲେ। ଘରେ ପୂର୍ବରୁ ଅନ୍ୟ ଏକ ସିଲିଣ୍ଡର ବ୍ୟବହାର ହେଉଥିବାରୁ, ଏହି ନୂଆ ସିଲିଣ୍ଡରଟିକୁ ସେ ନିରାପଦ ସ୍ଥାନରେ ସାଇତି ରଖିଥିଲେ। ପ୍ରାୟ ୪୫ ଦିନ ପରେ, ଅର୍ଥାତ୍ ୩ ଅକ୍ଟୋବର ୨୦୨୩ରେ ପୂର୍ବ ସିଲିଣ୍ଡରଟି ସରିଯିବାରୁ ସେ ଏହି ନୂଆ ସିଲିଣ୍ଡରକୁ ସଂଯୋଗ କରିବାକୁ ଯାଇଥିଲେ। କିନ୍ତୁ କମ୍ପାନୀର ନିରାପତ୍ତା ସିଲ୍ ଅକ୍ଷୁଣ୍ଣ ଥିବା ସତ୍ତ୍ୱେ ସିଲିଣ୍ଡରଟି ସମ୍ପୂର୍ଣ୍ଣ ଖାଲି ଥିବା ଜଣାପଡ଼ିଥିଲା। ଉକ୍ତ ଦିନ ହିଁ ଶ୍ରୀ ପଣ୍ଡା ସିଲ୍ ଲାଗିଥିବା ଖାଲି ସିଲିଣ୍ଡରଟିକୁ ଧରି ଗ୍ୟାସ୍ ଏଜେନ୍ସି ଅଫିସକୁ ଯାଇ ବଦଳାଇବାକୁ ଅନୁରୋଧ କରିଥିଲେ। ମାତ୍ର ଏଜେନ୍ସି କର୍ମଚାରୀମାନେ ୪୦-୪୫ ଦିନର ବିଳମ୍ବ ଦର୍ଶାଇ ତାହା ବଦଳାଇବାକୁ ରୋକଠୋକ୍ ମନା କରିବା ସହ ଖରାପ ବ୍ୟବହାର କରିଥିଲେ। ଫଳରେ ବାଧ୍ୟ ହୋଇ ସେ ଦିଗପହଣ୍ଡି ଥାନାର ଦ୍ୱାରସ୍ଥ ହୋଇଥିଲେ ମଧ୍ୟ ସେଠାରେ ଏଜେନ୍ସି କୌଣସି ସମାଧାନ କରିନଥିଲା। ଶେଷରେ ନ୍ୟାୟ ନପାଇ ସେ ଜିଲ୍ଲା ଖାଉଟି ଆୟୋଗରେ ମାମଲା (C.C. No. 126/2023) ରୁଜୁ କରିଥିଲେ। ଏଜେନ୍ସିର ଯୁକ୍ତି ଓ ଆୟୋଗଙ୍କ ଆଭିମୁଖ୍ୟ:ଏଜେନ୍ସି ତରଫରୁ ଦର୍ଶାଯାଇଥିଲା ଯେ, ଡେଲିଭରି ସମୟରେ ଓଜନ ଯାଞ୍ଚ କରି ରସିଦରେ ଦସ୍ତଖତ ନିଆଯାଇଥିଲା ଏବଂ ଉପଭୋକ୍ତା ୪୫ ଦିନ ପରେ ଅଭିଯୋଗ କରିବା ସହ ସିଲ୍ ସହ ଛେଡ଼ଛାଡ଼ ହୋଇଥିବା ଦାବି କରାଯାଇଥିଲା। କିନ୍ତୁ ଆୟୋଗଙ୍କ ଭାରପ୍ରାପ୍ତ ଅଧ୍ୟକ୍ଷ ସତୀଶ କୁମାର ପାଣିଗ୍ରାହୀ ଏବଂ ମହିଳା ସଦସ୍ୟା ସାବିତ୍ରୀ ପଟ୍ଟନାୟକ ଉଭୟ ପକ୍ଷର ଦସ୍ତାବିଜ୍ ଯାଞ୍ଚ କରି ଏହି ଯୁକ୍ତିକୁ ଖାରଜ କରିଦେଇଥିଲେ—କ) ଉପଭୋକ୍ତାଙ୍କ ଘରେ ଡବଲ୍ ସିଲିଣ୍ଡର ସଂଯୋଗ ଥିବାରୁ ଗୋଟିଏ ସରିବା ପର୍ଯ୍ୟନ୍ତ ଅନ୍ୟଟିକୁ ସାଇତି ରଖିବା ଏକ ସ୍ୱାଭାବିକ ପ୍ରକ୍ରିୟା।ଖ) କେବଳ କ୍ୟାସ୍ ମେମୋ କାଉଣ୍ଟରଫଏଲ୍ରେ ଦସ୍ତଖତ ରହିବା ଅର୍ଥ ନୁହେଁ ଯେ ଡେଲିଭରି ବୟ ଦ୍ୱାରମୁହଁରେ ଇଲେକ୍ଟ୍ରୋନିକ୍ ମାପ ଯନ୍ତ୍ର ସାହାଯ୍ୟରେ ଓଜନ କରିଥିଲା; ଏହାର କୌଣସି ନିର୍ଦ୍ଦିଷ୍ଟ ପ୍ରମାଣ ଏଜେନ୍ସି ଦେଇପାରି ନାହିଁ।ଗ) ଉପଭୋକ୍ତା ଖାଲି ସିଲିଣ୍ଡର ପାଇବା ଦିନ ହିଁ ତୁରନ୍ତ ଥାନା ଓ ଏଜେନ୍ସି ନିକଟରେ ଅଭିଯୋଗ କରିଥିଲେ, ଯାହା ତାଙ୍କର ସତ୍ୟତାକୁ ପ୍ରମାଣିତ କରୁଛି।ଚୂଡ଼ାନ୍ତ ରାୟ:ଆୟୋଗଙ୍କ ରାୟ ଓ ନିର୍ଦ୍ଦେଶ: ଉଭୟ ପକ୍ଷଙ୍କ ଯୁକ୍ତି ଓ ପ୍ରମାଣକୁ ତର୍ଜମା କରି ଏହାକୁ ସେବାରେ ଚରମ ଅବହେଳା ବୋଲି ଦର୍ଶାଇ ଆୟୋଗର କାର୍ଯ୍ୟକାରୀ ଅଧ୍ୟକ୍ଷ ଶ୍ରୀ ସତୀଶ କୁମାର ପାଣିଗ୍ରାହୀ ଏବଂ ମହିଳା ସଦସ୍ୟା ସରିତ୍ରୀ ପଟ୍ଟନାୟକ ଏହି ମାମଲାଟିକୁ ଗ୍ରାହକଙ୍କ ସପକ୍ଷରେ ରାୟ ପ୍ରଦାନ କରିଛନ୍ତି। ନିର୍ଦ୍ଦେଶ ଅନୁଯାୟୀ, ଆଦେଶ ପାଇବାର ୪୫ ଦିନ ମଧ୍ୟରେ ବିତରକ ସଂସ୍ଥା: କ) ଅଭିଯୋଗକାରୀଙ୍କୁ ମାଗଣାରେ ଗୋଟିଏ ୧୪.୨ କିଲୋଗ୍ରାମର ସମ୍ପୂର୍ଣ୍ଣ ଭର୍ତ୍ତି ନୂଆ ଗ୍ୟାସ୍ ସିଲିଣ୍ଡର ପ୍ରଦାନ କରିବେ କିମ୍ବା ପୂର୍ବରୁ ନେଇଥିବା ୧,୧୫୦.୫୦ ଟଙ୍କା ଫେରସ୍ତ କରିବେ। ଖ) ମାନସିକ ଯନ୍ତ୍ରଣା ଓ ହଇରାଣ ହରକତ ପାଇଁ ୭,୦୦୦ ଟଙ୍କା କ୍ଷତିପୂରଣ ଦେବେ। ଗ) ମାମଲା ପରିଚାଳନା ଖର୍ଚ୍ଚ ବାବଦକୁ ୫,୦୦୦ ଟଙ୍କା ପ୍ରଦାନ କରିବେ। ଧାର୍ଯ୍ୟ ୪୫ ଦିନ ମଧ୍ୟରେ ଏହି ଅର୍ଥ ପଇଠ ନକଲେ, ମାମଲା ଦାୟର ତାରିଖ (୧୦.୧୧.୨୦୨୩) ଠାରୁ ବାର୍ଷିକ ୯ ପ୍ରତିଶତ ସୁଧ ସହ ସମସ୍ତ ଅର୍ଥ ଆଦାୟ କରାଯିବ ଏବଂ ଖାଉଟି ସୁରକ୍ଷା ଆଇନ-୨୦୧୯ର ଧାରା ୭୧ ଓ ୭୨ ଅନୁଯାୟୀ ଦଣ୍ଡବିଧାନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଆୟୋଗ କଡ଼ା ଚେତାବନୀ ଦେଇଛନ୍ତି।

