ଜଗନ୍ନାଥପ୍ରସାଦ,୧୨/୦୮(ପୂର୍ଣ୍ଣଚନ୍ଦ୍ର ବାରିକ):ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଲକ୍ ଅଧୀନସ୍ଥ ଗେରେଡ଼ା ସେବା ସମବାୟ ସମିତିରେ ଏକ ବଡ଼ଧରଣର ଆର୍ଥିକ ଅନିୟମିତତା ଓ ଜାଲିଆତି ଅଭିଯୋଗ ସାମ୍ନାକୁ ଆସିଛି। ସୋସାଇଟିରୁ ଟଙ୍କାଟିଏ ବି ଋଣ ନେଇନଥିବା ଗରିବ ଚାଷୀଙ୍କ ନାମରେ ବେଆଇନ ଭାବେ ଋଣ ଦର୍ଶାଯାଇ ଲକ୍ଷାଧିକ ଟଙ୍କା ହଡ଼ପ କରାଯାଇଥିବା ନେଇ ଚାଷୀମାନେ ଅଭିଯୋଗ କରିଛନ୍ତି।ମିଳିଥିବା ସୂଚନା ଅନୁଯାୟୀ, ଜଗନ୍ନାଥପ୍ରସାଦ ବ୍ଲକ୍ ଅଧୀନସ୍ଥ କ୍ଷେତମୁଣ୍ଡାଳି ଗ୍ରାମପଞ୍ଚାୟତର ଏକାଧିକ ଚାଷୀ ଗେରେଡ଼ା ସୋସାଇଟିରୁ କୌଣସି ପ୍ରକାର ଋଣ ଗ୍ରହଣ କରିନଥିଲେ। ହେଲେ ନିକଟରେ ସେମାନଙ୍କ ନାମରେ ଋଣ ବାକି ଥିବା କୁହାଯିବା ପରେ ଚାଷୀମାନେ ଆଶ୍ଚର୍ଯ୍ୟ ହୋଇପଡ଼ିଛନ୍ତି। ଅଭିଯୋଗ ଅନୁସାରେ, ସୋସାଇଟିର ସେକ୍ରେଟାରୀ ଚାଷୀମାନଙ୍କୁ ଏହି ଅଜଣା ଋଣ ଟଙ୍କା ପରିଶୋଧ ବା ରିନ୍ୟୁ କରିବା ପାଇଁ କ୍ରମାଗତ ଭାବେ ଚାପ ପକାଉଛନ୍ତି।ଚାଷୀମାନେ ସିଧାସଳଖ ଅଭିଯୋଗ କରିଛନ୍ତି ଯେ, ବର୍ତ୍ତମାନର ସୋସାଇଟି ସଭାପତି ସରୋଜ କୁମାର ପ୍ରଧାନ ଏବଂ ସୋସାଇଟି ସେକ୍ରେଟାରୀ ଭାଗୀରଥି ପ୍ରଧାନ ଉଭୟ ମିଶି ସେମାନଙ୍କ ଅଜାଣତରେ ସେମାନଙ୍କ ନାମରେ ଜାଲ୍ କାଗଜପତ୍ର ପ୍ରସ୍ତୁତ କରି ଟଙ୍କା ହଡ଼ପ କରିଛନ୍ତି। ଗ୍ରାମର ବିକ୍ରମ କେଶରୀ ପ୍ରଧାନ, ବୁଲୁ ବାରିକ, ବାବୁଲା ବାରିକ, ଗଗନ କୁମାର ପ୍ରଧାନ, ଲୋଚନ ବାରିକ, ସନାତନ ସାହୁ ବହୁ ଚାଷୀ ଆଜି ଏକତ୍ରିତ ହୋଇ ସହକାରୀ ନିବନ୍ଧକ ଆସ୍କା ଙ୍କୁ ଅଭିଯୋଗ ଦେବାପାଇଁ ଗଣମାଧ୍ଯମ ଆଗରେ ପ୍ରକାଶ କରିଛନ୍ତି।ପ୍ରକାଶ ଥାଉକି ପୁର୍ବରୁ ମଧ୍ୟ ଗେରେଡା ସମବାୟ ସମିତିର ସେକ୍ରେଟାରୀ ଭାଗିରଥି ପ୍ରଧାନଙ୍କ ନାମରେ ସାର ହରିଲୁଟର ଅଭିଯୋଗ ବର୍ଷେ ନ ପୁରୁଣୁ ପୁଣି ଚଳିତ ବର୍ଷ ଆସାଧୁ ଉପାୟରେ ଚାଷୀଙ୍କ ଟଙ୍କା ହରିଲୁଟ୍ କରାଯାଇଥିବାରୁ ସ୍ଥାନୀୟ କ୍ଷେତମୁଣ୍ଡାଳି ଓ ଗେରେଡ଼ା ଅଞ୍ଚଳର ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଚରମ ସୀମାରେ ପହଞ୍ଚିଛି। ଏହି ଘଟଣାର ଉଚ୍ଚସ୍ତରୀୟ ନିରପେକ୍ଷ ତଦନ୍ତ କରାଯାଇ ଜାଲିଆତିରେ ସମ୍ପୃକ୍ତ ସଭାପତି ଓ ସେକ୍ରେଟାରୀଙ୍କ ବିରୋଧରେ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ନିରୀହ ଚାଷୀମାନଙ୍କୁ ଦାୟମୁକ୍ତ କରିବାକୁ ଚାଷୀମାନେ ଦାବି କରିଛନ୍ତି।

