ବ୍ରହ୍ମପୁର:ଜନବାଣୀ,୨୨/୦୬(ହିମାଂଶୁ ଶେଖର ସାବତ):ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଥାନା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ଜଣେ ଇଞ୍ଜିନିୟରିଂ ଛାତ୍ରୀଙ୍କ ମୃତ୍ୟୁ ମାମଲାରେ ପୋଲିସକୁ ମିଳିଛି ଏକ ବଡ଼ ସଫଳତା । ଏହି ହତ୍ୟା ବା ଆତ୍ମହତ୍ୟା ଅଭିଯୋଗ ମାମଲାରେ ମୃତ ଛାତ୍ରୀଙ୍କ ପୁରୁଷ ବନ୍ଧୁ ବିଶ୍ୱଜିତ ଜେନାକୁ ପୋଲିସ ଗିରଫ କରିଛି । ଗିରଫ ବିଶ୍ୱଜିତ ରାଜ୍ୟ ଖଣି ମନ୍ତ୍ରୀଙ୍କ ପୁତୁରା ବୋଲି ଜଣାପଡ଼ିବା ପରେ ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ରାଜନୈତିକ ଓ ସାମାଜିକ ସ୍ତରରେ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ପୋଲିସ ଅଭିଯୁକ୍ତ ବିଶ୍ୱଜିତକୁ ଗିରଫ କରିବା ସହ ରବିବାର କୋର୍ଟ ଚାଲାଣ କରିଥିବା ସୂଚନା ମିଳିଛି । ସୂଚନା ଅନୁସାରେ, ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ପ୍ରତିଷ୍ଠିତ ଇଞ୍ଜିନିୟରିଂ କଲେଜରେ ପଢ଼ୁଥିବା ଜଣେ ମେଧାବୀ ଛାତ୍ରୀଙ୍କର ଝୁଲନ୍ତା ମୃତଦେହ ଗତ କିଛି ଦିନ ତଳେ ତାଙ୍କ ହଷ୍ଟେଲ ରୁମରୁ ଉଦ୍ଧାର କରାଯାଇଥିଲା । ପ୍ରଥମେ ଏହାକୁ ଏକ ଆତ୍ମହତ୍ୟାର ରୂପ ଦେବାକୁ ଚେଷ୍ଟା କରାଯାଉଥିବା ବେଳେ, ପରିବାର ଲୋକେ ଏହାକୁ ସହଜରେ ଗ୍ରହଣ କରିପାରି ନଥିଲେ । ମୃତ୍ୟୁ ପଛରେ କୌଣସି ବଡ଼ ଷଡ଼ଯନ୍ତ୍ର ବା ମାନସିକ ନିର୍ଯାତନା ଥିବା ନେଇ ସନ୍ଦେହ ପ୍ରକାଶ ପାଇଥିଲା । ଏହି ସନ୍ଦେହଜନକ ମୃତ୍ୟୁକୁ ନେଇ ମୃତ ଛାତ୍ରୀଙ୍କ ପରିବାର ପକ୍ଷରୁ ତୁରନ୍ତ ଗୋଳନ୍ଥରା ଥାନାରେ ଏକ ଲିଖିତ ଅଭିଯୋଗ ଦାୟର କରାଯାଇଥିଲା । ପରିବାର ଲୋକଙ୍କ ଅଭିଯୋଗ ଏବଂ ଝିଅର ପୁରୁଷ ବନ୍ଧୁ ବିଶ୍ୱଜିତ ସହ ଥିବା ସମ୍ପର୍କକୁ ଆଧାର କରି ପୋଲିସ ତଦନ୍ତ ପ୍ରକ୍ରିୟାକୁ ଜୋରଦାର କରିଥିଲା । ମନ୍ତ୍ରୀଙ୍କ ପରିବାର ସହ ସମ୍ପର୍କ ଥିବାରୁ ପ୍ରଥମେ ମାମଲାକୁ ଚାପି ଦେବା ପାଇଁ ଚେଷ୍ଟା କରାଯାଉଥିବା ନେଇ ଚର୍ଚ୍ଚା ହେଉଥିଲା, କିନ୍ତୁ ପୋଲିସ ସମସ୍ତ ଦିଗକୁ ଅନୁଧ୍ୟାନ କରି ଶେଷରେ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏହି ସାଙ୍ଘାତିକ ଘଟଣା ସାମ୍ନାକୁ ଆସିବା ପରେ କଲେଜ କ୍ୟାମ୍ପସ ଏବଂ ସାଧାରଣ ଜନତାଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଜଣେ ଉଚ୍ଚଶିକ୍ଷିତ ଛାତ୍ରୀଙ୍କର ଏଭଳି ଦୁଃଖଦ ମୃତ୍ୟୁ ପଛର ପ୍ରକୃତ କାରଣ କଣ ଏବଂ ଗିରଫ ବିଶ୍ୱଜିତର ଏଥିରେ କେତେ ସଂପୃକ୍ତି ରହିଛି, ତାହା ସମ୍ପୂର୍ଣ୍ଣ ତଦନ୍ତ ପରେ ହିଁ ସ୍ପଷ୍ଟ ହେବ । ଛାତ୍ରୀଙ୍କ ପରିବାର ଲୋକେ ଦୋଷୀକୁ କଠୋରରୁ କଠୋର ଦଣ୍ଡ ଦେବା ସହ ସେମାନଙ୍କ ଝିଅକୁ ନ୍ୟାୟ ପ୍ରଦାନ କରିବାକୁ ପ୍ରଶାସନ ନିକଟରେ ଦୃଢ଼ ଦାବି କରିଛନ୍ତି । ବିଶ୍ବଜିତ୍ଙ୍କ ନାମରେ ଗୋଳନ୍ଥରା ଥାନାରେ ବିଏନଏସ୍ ଦଫା (ଆତ୍ମହତ୍ୟା ପ୍ରରୋଚନା) ମାମଲା ରୁଜୁ କରିଥିଲା। ମୃତକଙ୍କ ଲାପଟପ ଓ ମୋବାଇଲ ଜବତ କରାଯାଇଥିବା ସହ କଲ ଡିଟେଲସ୍ ରିପୋର୍ଟ ମାଗିଥିଲା ପୋଲିସ l ରବିବାର ରାତିରେ ବିଶ୍ବଜିତଙ୍କୁ ଗୋଳନ୍ଥରା ଥାନା ପୁଲିସ ଗିରଫ କରିଛି। ସେହି ଶିକ୍ଷାନୁଷ୍ଠାନରେ ହିଁ ପାଠ ପଢ଼ୁଥିବା ସ୍ମୃତିଙ୍କ ବଡ଼ଭଉଣୀ କହିଛନ୍ତି, ବିଶ୍ବଜିତ ତାଙ୍କ ଭଉଣୀକୁ ଭଲ ପାଉଥିଲେ ଓ ବିବାହ ପ୍ରତିଶ୍ରୁତି ଦେଇଥିଲେ। ହେଲେ କିଛିମାସ ହେଲା ବ୍ଲାକମେଲିଂ କରିବା ସହ ମାନସିକ ନିର୍ଯାତନା ଦେଇ ଆସୁଥିଲେ। ଶୁକ୍ରବାର ରାତିରେ ବିଶ୍ବଜିତ୍ କଲ୍ କରି ସ୍ମୃତିଙ୍କୁ ଛାତ୍ରୀନିବାସ ବାହାରକୁ ଡାକିଥିଲେ। ଶନିବାର ପୂର୍ବାହ୍ଣରେ ତାଙ୍କ ଝୁଲନ୍ତା ଶବ ମିଳିଥିଲା। ବିଶ୍ବଜିତ୍ ହିଁ ତାଙ୍କୁ ତଣ୍ଟି ଚିପି ହତ୍ୟା କରିଛି ଓ ଏହାକୁ ଆତ୍ମହତ୍ୟାର ରୂପ ଦେବାକୁ ଉଦ୍ୟମ କରିଛନ୍ତି। ସେହିପରି ମାମୁ ମଙ୍ଗୁଳୁ ପ୍ରଧାନ ମଧ୍ୟ ଅନୁରୂପ କଥା କହିଛନ୍ତି, ଏକମାସ ହେଲା ସେ ପ୍ରେମକୁ ନେଇ ମାନସିକ ଚାପରେ ଥିଲେ। ଏକସପ୍ତାହ ତଳେ ଘରକୁ ଯାଇ ବି କିଛି କଥାବାର୍ତ୍ତା କରି ନଥିଲେ। ଏହା ଆତ୍ମହତ୍ୟା ନୁହେଁ, ବରଂ ଯୋଜନାବଦ୍ଧ ହତ୍ୟା। ଗତକାଲି ସ୍ମୃତିଙ୍କ ଝୁଲନ୍ତା ଶବ ମିଳିବା କ୍ଷଣି ବିଶ୍ବଜିତ ତରବରିଆ ଭାବେ ଆମ୍ବୁଲାନ୍ସ୍ ଡାକି ଶବକୁ ହସ୍ପିଟାଲ ନେଇଯାଇଥିଲେ। ଏହାର ଉଚ୍ଚସ୍ତରୀୟ ତଦନ୍ତ କରାଯିବା ଆବଶ୍ୟକ। ଅନ୍ୟପଟେ ଏହି ଘଟଣାରେ ବିରୋଧୀ ବିଜେଡି ପକ୍ଷରୁ ତୀବ୍ର ନିନ୍ଦା କରାଯାଇଛି। ବ୍ରହ୍ମପୁରରେ ରବିବାର ଏକ ସାମ୍ବାଦିକ ସମ୍ମିଳନୀରେ ମନ୍ତ୍ରୀଙ୍କ ଇସ୍ତଫା ସହ ବିଚାରବିଭାଗୀୟ ଓ ନିରପେକ୍ଷ ତଦନ୍ତ ଦାବି କରାଯାଇଛି l ସେପଟେ ମନ୍ତ୍ରୀ ଶ୍ରୀଜେନା ମାମଲାକୁ ପ୍ରଭାବିତ କରୁଥିବା ଅଭିଯୋଗକୁ ଖଣ୍ଡନ କରିବା ସହ ତଦନ୍ତ ଚାଲିଛି, ସେ ଆଇନରେ ବିଶ୍ବାସ କରନ୍ତି ବୋଲି କହିଛନ୍ତି।

