ଜଟଣୀ,୨୯।୯(କେଦାର ନାଥ ସାହୁ):ଗତ ୧୪ ସେପ୍ଟେମ୍ବର ସୋମବାର ଗଣେଶ ଚତୁର୍ଥୀ ଦିନଠାରୁ ଆରମ୍ଭ ହୋଇଥିବା ଓଡିଶା ପ୍ରସିଦ୍ଧ “ଜଟଣୀ ଗଣେଶ ମହୋତ୍ସବ” ଶନିବାର ୨୬ ସେପ୍ଟେମ୍ବର ଶନିବାର ଦିନ ଗଣେଶ ବିସର୍ଜନ ଶୋଭାଯାତ୍ରା ସମ୍ପନ୍ନ ହୋଇଛି। ଏହାର ଗୋଟିଏ ଦିନ ପୂର୍ବରୁ, ଅର୍ଥାତ୍ ୨୫ ସେପ୍ଟେମ୍ବର ଶୁକ୍ରବାର ସକାଳୁ ସମସ୍ତ ବଜାରରେ ଗଣେଶ ପ୍ରତିମା ପ୍ରତିଷ୍ଠା ସମୟରେ ବୈଦିକ ପରମ୍ପରା ଅନୁଯାୟୀ ସ୍ଥାପିତ କରାଯାଇଥିବା ‘ଘଟ’ର ବିଧିବଦ୍ଧ ପୂଜାର୍ଚ୍ଚନା ପରେ ତାହାକୁ ବିସର୍ଜନ କରାଯାଇଥିଲା। ଶନିବାର ଦିନ ସନ୍ଧ୍ୟା ୭ଟାରୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲିଥିବା ଗଣେଶ ପ୍ରତିମା ବିସର୍ଜନ ଶୋଭାଯାତ୍ରା ପରେ ଜଟଣୀର ଗଣେଶ ମହୋତ୍ସବ ସମ୍ପନ୍ନ ହୋଇଛି। ଚଳିତ ବର୍ଷ ତିଥି ବୃଦ୍ଧି ଯୋଗୁଁ ଏହି ମହୋତ୍ସବ ୧୧ ଦିନ ପରିବର୍ତ୍ତେ ୧୩ ଦିନ ଧରି ଚାଲିଥିଲା। ଓଡ଼ିଶାର ଏହି ପ୍ରସିଦ୍ଧ ଗଣେଶ ମହୋତ୍ସବର ବିସର୍ଜନ ଶୋଭାଯାତ୍ରା ଦେଖିବା ପାଇଁ ଆଖପାଖ ଗ୍ରାମରୁ ହଜାର ହଜାର ଲୋକ ପରିବାର ସହ ଜଟଣୀର ସୀତାରାମ ଛକଠାରୁ ହରିଭାଇନା ଛକ ପର୍ଯ୍ୟନ୍ତ ମୁଖ୍ୟ ରାସ୍ତାର ଉଭୟ ପାର୍ଶ୍ୱରେ ସନ୍ଧ୍ୟା ୭ଟାରୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଠିଆ ହୋଇ ରହିଥିଲେ। ହଜାର ହଜାର ଶ୍ରଦ୍ଧାଳୁ ନିଜର ବିଘ୍ନବିନାଶକ ଗଣପତି ମହାରାଜଙ୍କୁ ଅଶ୍ରୁସିକ୍ତ ନୟନରେ ବିଦାୟ ଦେବା ସହିତ ‘ଗଣପତି ବାପ୍ପା ମୋରିୟା, ମଙ୍ଗଳମୂର୍ତ୍ତି ମୋରିୟା, ଆଗାମୀ ବର୍ଷ ପୁଣି ଆସ’ ଧ୍ୱନିରେ ସମଗ୍ର ପରିବେଶକୁ ଭକ୍ତିମୟ କରିଦେଇଥିଲେ। ଅନ୍ୟପକ୍ଷରେ ବିଭିନ୍ନ ପୂଜା ପେଣ୍ଡାଲରେ ବିସର୍ଜନ ଶୋଭାଯାତ୍ରା ପାଇଁ ପ୍ରସ୍ତୁତ ବାଦ୍ୟବାଜା, ଆଲୋକସଜ୍ଜା, ନୃତ୍ୟ ଓ ଗୀତ ମଧ୍ୟ ଲୋକଙ୍କୁ ଭରପୂର ମନୋରଞ୍ଜନ ଯୋଗାଇଥିଲା। ଜାତି, ବର୍ଣ୍ଣ ଓ ଧର୍ମର ଊର୍ଦ୍ଧ୍ୱରେ ଉଠି ସ୍ଥାନୀୟ ଅଞ୍ଚଳ ସମେତ ଆଖପାଖ ଗ୍ରାମରୁ ହଜାର ହଜାର ଲୋକ ପରିବାର ସହ ଏହି ବିସର୍ଜନ ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ସମସ୍ତ ପୂଜା ପେଣ୍ଡାଲର ଗଣପତି ବାପ୍ପାଙ୍କ ପ୍ରତିମାଗୁଡ଼ିକ ଶୃଙ୍ଖଳିତ ଭାବରେ ଗୋଟିଏ ପରେ ଗୋଟିଏ ଶୋଭାଯାତ୍ରାରେ ଆଗକୁ ବଢ଼ୁଥିବା ଦୃଶ୍ୟ ସ୍ୱତଃ ଲୋକଙ୍କ ଦୃଷ୍ଟି ଆକର୍ଷଣ କରୁଥିଲା। ସୀତାରାମ ଛକରୁ ବାହାରି ପ୍ରାୟ ୩ କିଲୋମିଟର ରାସ୍ତା ଦେଇ ଯାଇଥିବା ସମସ୍ତ ଗଣେଶ ପ୍ରତିମାକୁ ସେଞ୍ଚୁରିଆନ୍ କଲେଜ ନିକଟରେ ପୌରପାଳିକା ପକ୍ଷରୁ ନିର୍ମିତ ଅସ୍ଥାୟୀ ପୋଖରୀରେ ବିସର୍ଜନ କରାଯାଇଥିଲା। ଜଟଣୀ ସହରର ପ୍ରାୟ ୨୦୦ଟି ପୂଜା ପେଣ୍ଡାଲରେ ଗଣପତି ମହାରାଜଙ୍କ ପ୍ରତିମା ସହିତ ମହାଲକ୍ଷ୍ମୀ ଓ ସରସ୍ୱତୀଙ୍କର ମଧ୍ୟ ୧୨ ଦିନ ଧରି ପୂଜାର୍ଚ୍ଚନା କରାଯାଇଥିଲା। ଏହି ପ୍ରତିମାଗୁଡ଼ିକୁ ମଧ୍ୟ ଭବ୍ୟ ଶୋଭାଯାତ୍ରାରେ ନେଇ ବିସର୍ଜନ କରାଯାଇଥିଲା। ବିଭିନ୍ନ ପୂଜା ପେଣ୍ଡାଲ ପକ୍ଷରୁ ବାହାରିଥିବା ଆକର୍ଷଣୀୟ ଝାଙ୍କିରେ ଭାଙ୍ଗଡ଼ା ନୃତ୍ୟ, ସମ୍ବଲପୁରୀ ନୃତ୍ୟ, ସିଂହ ବାଜା, ଢୋଲ, ଚାଙ୍ଗୁ ବାଜା, ଆଦିବାସୀ ନୃତ୍ୟ, ଘୋଡ଼ା ନୃତ୍ୟ, ଛଉ ନୃତ୍ୟ, ବଗୁଳା ବଗୁଳୀ ନୃତ୍ୟ, ଡାଣ୍ଡିଆ, ରାଜସ୍ଥାନୀ ନୃତ୍ୟ, ନବଦୁର୍ଗା ନୃତ୍ୟ, ଘଣ୍ଟ, ଶଙ୍ଖ ଓ ନଗାଡ଼ାର ଧ୍ୱନିରେ ପୂଜା ପେଣ୍ଡାଲଠାରୁ ବିସର୍ଜନ ସ୍ଥଳ ପର୍ଯ୍ୟନ୍ତ ସମଗ୍ର ପରିବେଶ ପ୍ରକମ୍ପିତ ହୋଇଉଠିଥିଲା।ସେହିପରି ଅଗ୍ନି କୌଶଳ, ବଣାଟି କୌଶଳ, ମୟୂର ନୃତ୍ୟ, ଓଟ ନୃତ୍ୟ, ବୃଷଭ, ବାଘ, ଶିବତାଣ୍ଡବ, ନାଗା ନୃତ୍ୟ, ମହିଳା ବ୍ୟାଣ୍ଡ ପାର୍ଟି ଆଦି ବିଭିନ୍ନ ଆକର୍ଷଣୀୟ ଦୃଶ୍ୟ ଶୋଭାଯାତ୍ରାର ଶୋଭା ବଢ଼ାଇଥିଲା। କେତେକ ପୂଜା କମିଟି ନଦିଆ ସଂକୀର୍ତ୍ତନ ମଣ୍ଡଳୀ ଓ ପାରମ୍ପରିକ ନୃତ୍ୟ ସହିତ ପ୍ରତିମା ନେଇ ଚାଲୁଥିବା ବେଳେ ଆଉ କେତେକ କମିଟି ଘୋଡ଼ା ନୃତ୍ୟ ସହିତ ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ଏହା ସହିତ ରଙ୍ଗବେରଙ୍ଗର ଆକର୍ଷଣୀୟ ଆଲୋକମାଳା ଓ ଆତସବାଜି ସ୍ୱତଃ ଲୋକଙ୍କ ଦୃଷ୍ଟି ନିଜ ଆଡ଼କୁ ଟାଣିଥିଲା। ବିସର୍ଜନ ଶୋଭାଯାତ୍ରାର ଏହି ମନୋରମ ଦୃଶ୍ୟକୁ ରାସ୍ତାର ଉଭୟ ପାର୍ଶ୍ୱରେ ଠିଆ ହୋଇଥିବା ହଜାର ହଜାର ଲୋକମାନେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଭରପୂର ଉପଭୋଗ କରିଥିଲେ। ବିସର୍ଜନ ଶୋଭାଯାତ୍ରା ସମୟରେ ବିଭିନ୍ନ ସମାଜସେବୀ ସଂସ୍ଥା ଏବଂ ବିଜେପି, କଂଗ୍ରେସ, ବିଜେଡି ଭଳି ରାଜନୈତିକ ଦଳର ନେତାମାନେ ବିସର୍ଜନ ପାଇଁ ବାହାରିଥିବା ଗଣେଶ ପ୍ରତିମାଗୁଡ଼ିକୁ ମାଲ୍ୟାର୍ପଣ କରି ବିଦାୟ ଜଣାଇଥିଲେ। ଶୋଭାଯାତ୍ରା ମାର୍ଗର ବିଭିନ୍ନ ସ୍ଥାନରେ ପ୍ରତିମାଗୁଡ଼ିକୁ ବିଦାୟ ଦେବା ପାଇଁ ଉପରୋକ୍ତ ସଂସ୍ଥାଗୁଡ଼ିକ ପକ୍ଷରୁ ଉଚ୍ଚ ମଞ୍ଚ ନିର୍ମାଣ କରାଯାଇଥିଲା। ବିସର୍ଜନ ଶୋଭାଯାତ୍ରାରେ ସାମିଲ ହେଉଥିବା ହଜାର ହଜାର ଶ୍ରଦ୍ଧାଳୁ ପରିବାରଙ୍କୁ ଦୃଷ୍ଟିରେ ରଖି ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମାରୱାଡ଼ୀ ଯୁବା ମଞ୍ଚ ଜଟଣୀ ସିଟି ଶାଖା ପକ୍ଷରୁ ସ୍ଥାନୀୟ ଥାନା ଛକ ନିକଟରେ ଏକ ଭବ୍ୟ ଜଳପାନ ଶିବିର ଆୟୋଜନ କରାଯାଇଥିଲା। ଶାଖା ସଭାପତି ନରେଶ ଅଗ୍ରୱାଲ, ସମ୍ପାଦକ ମୋହିତ ଗୋୟଲ, କୋଷାଧ୍ୟକ୍ଷ ରାହୁଲ ଗୁପ୍ତା, ପୂର୍ବତନ ସଭାପତି ସତୀଶ ଶର୍ମା, ସଂଯୋଜକ ଦୀପକ ଅଗ୍ରୱାଲ, ବିଶ୍ୱନାଥ ସରାଫ, ଗୋବିନ୍ଦ ସୋନୀ, ଶ୍ୟାମ ଯୋଶୀ, ଅଜୟ ଅଗ୍ରୱାଲଙ୍କ ସମେତ ମଞ୍ଚର ୫୦ରୁ ଅଧିକ ସଦସ୍ୟଙ୍କ ନେତୃତ୍ୱରେ ଏହି ଶିବିର ଆୟୋଜିତ ହୋଇଥିଲା। ଏହି ଶିବିରରେ ପ୍ରାୟ ୨୦ ହଜାର ଶ୍ରଦ୍ଧାଳୁଙ୍କ ପାଇଁ ଉପମା ଓ ଘୁଘୁନି ଭଳି ଅଲ୍ପାହାର ସହିତ ବିଶୁଦ୍ଧ ପାନୀୟ ଜଳର ବ୍ୟବସ୍ଥା କରାଯାଇଥିଲା। ଏହା ବ୍ୟତୀତ ଶିବିରରେ ଚିକିତ୍ସା ଓ ଆମ୍ବୁଲାନ୍ସ ସେବା ମଧ୍ୟ ଉପଲବ୍ଧ କରାଯାଇଥିଲା। ସେଠାରୁ ଅତିକ୍ରମ କରୁଥିବା ପ୍ରତ୍ୟେକ ଗଣେଶ ପ୍ରତିମାକୁ ଅବିର-ଗୁଲାଲ ଓ ସୁଗନ୍ଧିତ ଫୁଲରେ ପ୍ରସ୍ତୁତ ଗଜରା ମାଳା ଅର୍ପଣ କରି ବିଦାୟ ଜଣାଯାଇଥିଲା।ମାରୱାଡ଼ୀ ଯୁବା ମଞ୍ଚ ପକ୍ଷରୁ ପ୍ରତ୍ୟେକ ବଜାର ପୂଜା କମିଟିର ପଦାଧିକାରୀଙ୍କୁ ସୁନ୍ଦର ଫ୍ରେମରେ ମୁଦ୍ରିତ ସମ୍ପୃକ୍ତ ବଜାରର ଫଟୋ ପ୍ରଦାନ କରାଯିବା ସହିତ ଦୁପଟ୍ଟା ପିନ୍ଧାଇ ସମ୍ମାନିତ କରାଯାଇଥିଲା। ଏହି ସେବା ଶିବିରରେ ଜଟଣୀର ବହୁ ଗଣମାନ୍ୟ ବ୍ୟକ୍ତି ମଧ୍ୟ ସାମିଲ ହୋଇଥିଲେ। ଅଖିଳ ଭାରତୀୟ ମାରୱାଡ଼ୀ ମହିଳା ସମିତି, ଜଟଣୀ ଶାଖାର ସଦସ୍ୟାମାନେ ମଧ୍ୟ ଅଲ୍ପାହାର ବଣ୍ଟନରେ ମଞ୍ଚର ସଦସ୍ୟମାନଙ୍କୁ ଭରପୂର ସହଯୋଗ କରିଥିଲେ। ଏହିପରି ଭାବେ ଶନିବାର ଦିନ ଭବ୍ୟ ବିସର୍ଜନ ଶୋଭାଯାତ୍ରା ପରେ ୧୩ ଦିନ ଧରି ଚାଲିଥିବା ଜଟଣୀର ପ୍ରସିଦ୍ଧ ଗଣେଶ ମହୋତ୍ସବ ଧୁମଧାମରେ ସମ୍ପନ୍ନ ହୋଇଯାଇଛି।

