ଚିକିଟି,୯।୯(ନିଗମାନନ୍ଦ ପଣ୍ଡା):ଚୋରା ମଦ ପ୍ରସ୍ତୁତି ଓ କାରବାର ବିରୋଧରେ ଅବକାରୀ ବିଭାଗର ବଡ଼ ଧରଣର ଚଢ଼ାଉ। ଜରଡା ଥାନା ଅନ୍ତର୍ଗତ ଡାହାବାଡ଼ ଓ ଗୁଜଲିଙ୍ଗ ଅଞ୍ଚଳର ପାହାଡ଼ିଆ ଜଙ୍ଗଲ ଏବଂ ନାଳ ନିକଟରେ ଚଢ଼ାଉ କରାଯାଇ ବିପୁଳ ପରିମାଣର ଚୋରା ମଦ ଭାଟି ନଷ୍ଟ କରାଯାଇଛି।ବ୍ରହ୍ମପୁର ଅବକାରୀ ଅଧୀକ୍ଷକ ପ୍ରବୀଣ କୁମାର ପ୍ରଧାନଙ୍କ ନିର୍ଦ୍ଦେଶ ଓ ଅବକାରୀ ଉପଅଧୀକ୍ଷିକା ସ୍ନେହଲତା ନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସୋମବାର ଏହି ଚଢ଼ାଉ ହୋଇଥିଲା। ଚଢ଼ାଉ ବେଳେ ମଦ ପ୍ରସ୍ତୁତିରେ ବ୍ୟବହୃତ ୩୪,୮୦୦ ଲିଟର ଗୁଡ଼ ପିଡ଼ିଆ ପୋଚ ଓ ୧,୫୧୦ ଲିଟର ଅପମିଶ୍ରିତ ଦେଶୀ ମଦ ଜବତ କରାଯାଇଛି। ଜବତ ସାମଗ୍ରୀର ଆନୁମାନିକ ମୂଲ୍ୟ ୨୦ ଲକ୍ଷ ୪୨ ହଜାର ଟଙ୍କା ବୋଲି ଅବକାରୀ ବିଭାଗ ପକ୍ଷରୁ ସୂଚନା ମିଳିଛି।ଚଢ଼ାଉରେ ଚିକିଟି ଅବକାରୀ ଥାନା ଅଧିକାରୀ ସଞ୍ଜୟ କୁମାର ଭୁକ୍ତା, ବ୍ରହ୍ମପୁର ଡିଏସ୍ଏଫ୍ ମୋବାଇଲ ଅଧିକାରୀ ମୋହନ ପ୍ରଧାନ, ଦିଗପହଣ୍ଡି ଅବକାରୀ ଅଧିକାରିଣୀ ସସ୍ମିତା ମଲ୍ଲିକଙ୍କ ସମେତ ଅବକାରୀ ଗୋଇନ୍ଦା ବିଭାଗର କର୍ମଚାରୀ, ଜରଡା ଥାନା ପୁଲିସ ଓ ବହୁ ସଂଖ୍ୟକ ଫୋର୍ସ ସାମିଲ ହୋଇଥିଲେ।ଚୋରା ମଦ ପ୍ରସ୍ତୁତି ଓ କାରବାର ରୋକିବା ପାଇଁ ଆଗାମୀ ଦିନରେ ମଧ୍ୟ ଏଭଳି ଚଢ଼ାଉ ଜାରି ରହିବ ଏବଂ ଦୋଷୀଙ୍କ ବିରୋଧରେ କଡ଼ା ପଦକ୍ଷେପ ନିଆଯିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।

