ଭଞ୍ଜନଗର,୨୬/୦୬(ନିଲୁ ବିଷୋୟୀ) :ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବ୍ଳକ ଅନ୍ତର୍ଗତ ନେଟଙ୍ଗା ଗ୍ରାମର ଶିକ୍ଷକ ଦ୍ଵିତୀକୃଷ୍ଣ ଲେଙ୍କା ନିଜର ଜନ୍ମ ଦିନକୁ ନିଆରା ଢଙ୍ଗରେ ପାଳନ କରିଛନ୍ତି। ନିଜର ଜନ୍ମଦିନକୁ ସମାଜ ସେବା ପାଇଁ ଉତ୍ସର୍ଗ କରିବା ପାଇଁ ଛାତ୍ରଛାତ୍ରୀ ମାନଙ୍କୁ ଚକୋଲେଟ୍ ବଣ୍ଟନ ଏବଂ ବୃକ୍ଷ ଚାରା ରୋପଣ କରିବା ସହ ଭଞ୍ଜନଗର ବିପଦର ବନ୍ଧୁ ଅନୁଷ୍ଠାନ ସହଯୋଗରେ ଭଞ୍ଜନଗର ବ୍ଳକର ଚିଦାନନ୍ଦ କୁଷ୍ଠାଶ୍ରମର ଅନ୍ତେବାସୀଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ ସହ ସେମାନଙ୍କ ଗ୍ରହଣ ରେ କେକ୍ କାଟି ଭଜନ କୀର୍ତ୍ତନ ସହ ଜନ୍ମଦିନ ପାଳନ କରିଥିଲେ। ସେହିପରି ବେଲଗୁଣ୍ଠା ବ୍ଳକ ଅନ୍ତର୍ଗତ ତନରଡା ଠାରେ ଥିବା ସତ୍ୟଶ୍ରୀ ଜରାଶ୍ରମ ଠାରେ ମଧ୍ୟ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଭଜନ କୀର୍ତ୍ତନ ସହ ଜନ୍ମଦିନ ପାଳନ କରିଥିଲେ। ଏହି ଅବସରରେ ଆଶ୍ରମ ର ସମସ୍ତ ଅନ୍ତେବାସୀ ଙ୍କୁ ଶୁଖିଲା ଖାଦ୍ୟ ସହ ଚକୋଲେଟ୍ ଓ ବିସ୍କୁଟ ବଣ୍ଟନ କରାଯାଇଥିଲା। ଏଥି ସହିତ ବିପଦର ବନ୍ଧୁ ଅନୁଷ୍ଠାନ ର ସଦସ୍ୟ ମାନଙ୍କ ଉଦ୍ୟମରେ ଭଞ୍ଜନଗର ଅଞ୍ଚଳର ତିନୋଟି ଅସହାୟ ଗରୀବ ପରିବାରର ସଦସ୍ୟମାନଙ୍କୁ ରାସନ୍ ଯୋଗାଇ ଦିଆଯାଇଥିଲା। ବିପଦର ବନ୍ଧୁ ଅନୁଷ୍ଠାନର ଉଦ୍ୟୋକ୍ତା ଅରକ୍ଷିତ ପରିଛାଙ୍କ ସମେତ ଅନ୍ୟ ସଦସ୍ୟମାନେ ଉପସ୍ଥିତ ରହି ସମସ୍ତ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ସତ୍ୟଶ୍ରୀ ଜରାଶ୍ରମ ର ପରିଚାଳକ ଶିକ୍ଷକ ତଥା ଯୋଗଗୁରୁ ରବିନ୍ଦ୍ର କୁମାର ପାତ୍ର, ପୂର୍ବତନ ସହ ଗୋଷ୍ଠୀ ଶିକ୍ଷାଧିକାରୀ ତଥା କବି ନେତାଜୀ ବିଷୋୟୀ, ପୂର୍ବତନ ସିଆରସିସି ତଥା ଶିକ୍ଷକ ମୋହନ ସାହୁ, ଗୁରୁଜୀ ପ୍ରଫୁଲ୍ଲ କୁମାର ମହାରଣା, ୟୁବି ହାଇସ୍କୁଲର ଶିକ୍ଷକ ଅନ୍ତର୍ଯ୍ୟାମୀ ନାୟକ ଓ କ୍ଲାର୍କ ହିତେଶ କୁମାର ନାୟକ କାର୍ଯ୍ୟକ୍ରମ ରେ ଅଂଶଗ୍ରହଣ କରି ସମସ୍ତଙ୍କୁ ଉତ୍ସାହିତ କରିଥିଲେ। ପ୍ରକାଶ ଥାଉକି,ବର୍ତ୍ତମାନ ଭଞ୍ଜନଗର ବ୍ଳକ ଗୋଷ୍ଠୀ ଶିକ୍ଷାଧିକାରୀ ଙ୍କ ଅଧୀନ ଟୋକାଗଣ୍ଡା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବିଜ୍ଞାନ ଶିକ୍ଷକ ରୁପେ ଅବସ୍ଥାପିତ ଏବଂ ବଡ଼କୋଦଣ୍ଡା କ୍ଲଷ୍ଟରର ସିଆରସିସି କାର୍ଯ୍ୟ ନିର୍ବାହ କରୁଛନ୍ତି। ପିଲାଟି ଦିନରୁ ତାଙ୍କର ସାମାଜିକ ଜନହିତକର କାର୍ଯ୍ୟ, ପରିବେଶ ସୁରକ୍ଷା, ପ୍ରକୃତି ସଂରକ୍ଷଣ ଏବଂ ବୃକ୍ଷ ଚାରା ରୋପଣ ଉପରେ ରହିଛି ଦୁର୍ବଳତା ଓ ଅହେତୁକ ମୋହ। ଛାତ୍ର ଜୀବନରୁ ସେ ପଢିଥିବା ବିଦ୍ୟାଳୟ ମାନଙ୍କ ରେ ଫୁଲ ଗଛ ଓ ବୃକ୍ଷ ଚାରା ରୋପଣ କରିଆସୁଛନ୍ତି। ନିଜ ର ବୃତ୍ତିଗତ ଜୀବନ ରେ ନିଜର କାର୍ଯ୍ୟସ୍ଥଳି ବିଦ୍ୟାଳୟ ମାନଙ୍କ ରେ ଏବଂ ଅନ୍ୟ କେତେକ ବିଦ୍ୟାଳୟ ଓ ସ୍ଥାନ ମାନଙ୍କରେ ସେ ଅନେକ ବୃକ୍ଷ ଚାରା ରୋପଣ କରିଛନ୍ତି। ସେଥିପାଇଁ ସେ ଅନ୍ୟମାନଙ୍କୁ ପ୍ରେରଣା, ଆହ୍ଵାନ କରିବା ସହ ସହଯୋଗ ଯୋଗାଇ ଦେଇଥାନ୍ତି। ତାଙ୍କର ଆଦର୍ଶ, ପ୍ରେରଣା, ଆହ୍ବାନ ଓ ସହଯୋଗ ରେ ପ୍ରାୟ ୮ ଟି ଅନୁଷ୍ଠାନ ର କର୍ମଚାରୀ ତଥା ଅନୁଷ୍ଠାନ ଓଡ଼ିଶା ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ୧୧ ଥର ପ୍ରକୃତି ବନ୍ଧୁ/ ପ୍ରକୃତି ମିତ୍ର/ବେଷ୍ଟ ଇନଷ୍ଟିଚ୍ୟୁନାଲ ଆଓ୍ଵାର୍ଡ ପୁରସ୍କାର ରେ ସମ୍ମାନିତ ହୋଇଛନ୍ତି। ପରିବେଶର ସନ୍ତୁଳନତା ରକ୍ଷା କରିବା ପାଇଁ ସେ ଅନ୍ୟମାନଙ୍କୁ ଆହ୍ଵାନ ଓ ନିବେଦନ କରିବା ସହ ସହଯୋଗ ଯୋଗାଇ ଦିଅନ୍ତି। ପ୍ରକୃତି ସଂରକ୍ଷଣ, ପରିବେଶ ସୁରକ୍ଷା, ବୃକ୍ଷ ଚାରା ରୋପଣ, ପରିବେଶ ସୁରକ୍ଷା କବିତା ଲେଖା, ସାମାଜିକ କାର୍ଯ୍ୟ ଓ ରକ୍ତଦାନ ଭଳି ମହତ୍ କାର୍ଯ୍ୟ ପାଇଁ ପ୍ରାୟ ୨୦ ରୁ ଉର୍ଦ୍ଧ ସମୟ ସମ୍ମାନିତ ହୋଇଛନ୍ତି।

