ବ୍ରହ୍ମପୁର,୨୧।୯(ହିମାଂଶୁ ଶେଖର ସାବତ):ପୋଖରୀ ଓ ଜଳାଶୟରେ ଗଣେଶ ମୂର୍ତ୍ତି ବିସର୍ଜନ ଯୋଗୁଁ ହେଉଥିବା ଜଳ ପ୍ରଦୂଷଣକୁ ରୋକିବା ସହ ପୋଖରୀର ପରିବେଶକୁ ସ୍ୱଚ୍ଛ ରଖିବା ଉଦ୍ଦେଶ୍ୟରେ ବ୍ରହ୍ମପୁର ସବୁଜ ବାହିନୀ ଓ ବ୍ରହ୍ମପୁର କାର୍ଯ୍ୟରତ ସାମ୍ବାଦିକଙ୍କ ମିଳିତ ସହଯୋଗରେ ଏକ ସ୍ୱତନ୍ତ୍ର ଗଣେଶ ମୂର୍ତ୍ତି ସଂଗ୍ରହ ଓ ବିସର୍ଜନ ଅଭିଯାନ ଅନୁଷ୍ଠିତ ହୋଇଥିଲା।ଏହି ଅଭିଯାନରେ ବ୍ରହ୍ମପୁର ସହରର ବିଭିନ୍ନ ବନ୍ଧ ନିକଟରେ ଅର୍ଦ୍ଧ ବିସର୍ଜିତ ଅବସ୍ଥାରେ ପଡ଼ିରହିଥିବା ପାଞ୍ଚ ଶହରୁ ଅଧିକ ଛୋଟ ଓ ବଡ଼ ପ୍ରଭୁ ଶ୍ରୀ ଗଣେଶଙ୍କ ମୂର୍ତ୍ତିଗୁଡ଼ିକୁ ସଂଗ୍ରହ କରାଯାଇଥିଲା। ପରେ ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ପ୍ରସ୍ତୁତ ଅସ୍ଥାୟୀ ପୋଖରୀରେ ମୂର୍ତ୍ତିଗୁଡ଼ିକୁ ଯଥାବିଧି ବିସର୍ଜନ କରାଯାଇଥିଲା।ପୋଖରୀରେ ସିଧାସଳଖ ମୂର୍ତ୍ତି ବିସର୍ଜନ କରାଯିବା ଦ୍ୱାରା ମୂର୍ତ୍ତିରେ ବ୍ୟବହୃତ ରଙ୍ଗ ଓ ଅନ୍ୟାନ୍ୟ ସାମଗ୍ରୀ ପାଣିରେ ମିଶି ଜଳ ପ୍ରଦୂଷଣର କାରଣ ସାଜୁଛି। ଏହା ସହିତ ପୋଖରୀ ପରିବେଶ ମଧ୍ୟ ଅପରିଷ୍କାର ହୋଇଥାଏ। ତେଣୁ ଅସ୍ଥାୟୀ ପୋଖରୀରେ ମୂର୍ତ୍ତି ବିସର୍ଜନ କରିବା ଦ୍ୱାରା ପୋଖରୀ ଜଳକୁ ପ୍ରଦୂଷଣରୁ ସୁରକ୍ଷା କରିବା ସହ ପରିବେଶକୁ ସ୍ୱଚ୍ଛ ରଖିବା ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ ଥିଲା।ପୂର୍ବବର୍ଷ ଭଳି ଚଳିତବର୍ଷ ମଧ୍ୟ ଏହି ଅଭିଯାନ ଆରମ୍ଭ ହେଇଥିବା ବେଳେ ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ସବୁଜ ବାହିନୀର ସଭାପତି ଶିବରାମ ପାଣିଗ୍ରାହୀ, ସମ୍ପାଦକ ସାଗର ପ୍ରସାଦ ପାତ୍ର, ପରିବେଶବିତ୍ ସ୍ୱାଧୀନ କୁମାର ସାହୁ, ବ୍ରହ୍ମପୁର ପ୍ରେସ କ୍ଳବ ର ଶିବ ନାରାୟଣ ପଣ୍ଡାଙ୍କ ସମେତ ସବୁଜ ବାହିନୀର ସଦସ୍ୟ ପ୍ରମୁଖ ସହଯୋଗ କରିଥିଲେ।ଏହି ଅଭିଯାନ ମାଧ୍ୟମରେ ଆୟୋଜକମାନେ ସହରବାସୀଙ୍କୁ ସଚେତନ କରିବା ସହ ଅନୁରୋଧ କରାଯାଇଛି ଗଣେଶ ମୂର୍ତ୍ତିଗୁଡ଼ିକୁ ପୋଖରୀ କିମ୍ବା ଅନ୍ୟ ଜଳାଶୟରେ ନପକାଇ ନିର୍ଦ୍ଧାରିତ ଅସ୍ଥାୟୀ ପୋଖରୀରେ ବିସର୍ଜନ କରନ୍ତୁ। ଏହା ଦ୍ୱାରା ଜଳ ପ୍ରଦୂଷଣ ରୋକିବା ସହ ପୋଖରୀ ଓ ଜଳାଶୟର ପରିବେଶକୁ ସ୍ୱଚ୍ଛ ରଖିବାରେ ସମସ୍ତଙ୍କ ସହଯୋଗ ମିଳିପାରିବ।

