ଖୋରଧା:ଜନବାଣୀ, ୧୯/୬(କେଦାର ନାଥ ସାହୁ):ଖୋରଧା ପୌରପରିଷଦ ଅଧିନସ୍ଥ ୱାର୍ଡ଼ ନଂ -୨୦ ( ତଳସାହି)ଅଞ୍ଚଳରେ ପ୍ରସ୍ତାବିତ ଦେଶୀ ମଦ ଦୋକାନ ସ୍ଥାପନକୁ ନେଇ ଏବେ ତୀବ୍ର ଜନଅସନ୍ତୋଷ ଦେଖାଦେଇଛି। ସହର ର ଶାନ୍ତ ପରିବେଶ, ଶିକ୍ଷାନୁଷ୍ଠାନ, ଧାର୍ମିକ ସ୍ଥଳ ଏବଂ ଜନବସତି ମଧ୍ୟରେ ମଦ ଦୋକାନ ସ୍ଥାପନ ପାଇଁ ଉଦ୍ୟମ ଚାଲିଥିବା ଖବର ପ୍ରକାଶ ପାଇବା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଚିନ୍ତା ଓ ଅସନ୍ତୋଷ ବୃଦ୍ଧି ପାଇଛି। ଏହାର ପ୍ରତିବାଦ ସ୍ୱରୂପ ଅଞ୍ଚଳବାସୀ ଏକତ୍ରିତ ହୋଇ ଖୋରଧା ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିବା ସହିତ ଉକ୍ତ ପ୍ରସ୍ତାବକୁ ତୁରନ୍ତ ବାତିଲ କରିବାକୁ ଦାବି ଅନୁରୋଧ କରିଛନ୍ତି l ପ୍ଲଟ ନଂ ୪୫୭/୫୮୩୧/୬୧୭୫,୪୫୭/୫୮୩୧ ଏବଂ ଖାତା ନଂ -୬୪୮/୩୦୦୫, ୬୪୮/୨୦୬୩ ପ୍ଲଟ ନଂ – ୪୫୭/୫୦୭୯,୪୫୭/୫୩୧୬ ରେ ଏକ ଦେଶୀ ମଦ ଦୋକାନ ସ୍ଥାପନ ପାଇଁ ପ୍ରଶାସନିକ ସ୍ତରରେ ପ୍ରକ୍ରିୟା ଆରମ୍ଭ ହୋଇଥିବା ଜଣାପଡ଼ିଛି। କିନ୍ତୁ ଏହି ସ୍ଥାନର ଚାରିପାଖରେ ଶତାଧିକ ପରିବାର ବସବାସ କରୁଥିବା ବେଳେ ନିକଟରେ ବିଦ୍ୟାଳୟ, ଅଙ୍ଗନୱାଡି କେନ୍ଦ୍ର, ମନ୍ଦିର ଓ ଅନ୍ୟାନ୍ୟ ସାର୍ବଜନୀନ ପ୍ରତିଷ୍ଠାନ ରହିଥିବାରୁ ଏଠାରେ ମଦ ଦୋକାନ ଖୋଲିବା ଜନସ୍ୱାର୍ଥ ବିରୋଧୀ ବୋଲି ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି।ଗ୍ରାମବାସୀଙ୍କ କହିବା ଅନୁସାରେ, ଏହି ଅଞ୍ଚଳ ଦୀର୍ଘ ଦିନ ଧରି ଏକ ଶାନ୍ତିପୂର୍ଣ୍ଣ ପରିବେଶ ପାଇଁ ପରିଚିତ। ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଛାତ୍ରଛାତ୍ରୀ, ମହିଳା ଓ ବୃଦ୍ଧବୃଦ୍ଧାମାନେ ନିଜ ଦୈନନ୍ଦିନ କାର୍ଯ୍ୟରେ ଏହି ଅଞ୍ଚଳର ରାସ୍ତା ରେ ଯିବା ଆସିବା କରନ୍ତି। ଯଦି ଏଠାରେ ମଦ ଦୋକାନ ଖୋଲାଯାଏ, ତେବେ ମଦ୍ୟପାନକାରୀଙ୍କ ଭିଡ଼ ବୃଦ୍ଧି ପାଇବା ସହିତ ସାମାଜିକ ଅସୁରକ୍ଷା, ଝଗଡ଼ା, ଅଶାନ୍ତି ଓ ଅସାମାଜିକ କାର୍ଯ୍ୟକଳାପ ବଢ଼ିବାର ଆଶଙ୍କା ରହିଛି।ଦାବିପତ୍ରରେ ଉଲ୍ଲେଖ କରାଯାଇଛି ଯେ, ଓଡ଼ିଶା ଅବକାରୀ ଆଇନ -୨୦୦୮ ମଦ ବିକ୍ରୟ କେନ୍ଦ୍ର ସ୍ଥାପନ ସମୟ ରେ ସାର୍ବଜନୀନ ସ୍ବାର୍ଥ, ଧାର୍ମିକ ସ୍ଥାନ, ଶିକ୍ଷାନୁଷ୍ଠାନ ଏବଂ ବାସପୋଯୋଗୀ ଅଞ୍ଚଳ ର ସୁରକ୍ଷା ଓ ଶାନ୍ତି କୁ ବିଚାର କରାଯିବା ଆବଶ୍ୟକ l ମାତ୍ର ରାଜସ୍ୱ ସଂଗ୍ରହ ପାଇଁ ଲୋକଙ୍କ ସାମାଜିକ ସୁରକ୍ଷାକୁ ବିପଦରେ ପକାଇବା ଉଚିତ ନୁହେଁ ବୋଲି ସ୍ଥାନୀୟ ଅଞ୍ଚଳ ର ଅଧିବାସୀ ମାନେ କହିଛନ୍ତି।ବିଶେଷ କରି ମହିଳାମାନେ ଏହି ପ୍ରସ୍ତାବକୁ ନେଇ ଅଧିକ ଚିନ୍ତା ପ୍ରକଟ କରିଛନ୍ତି। ସେମାନଙ୍କ କହିବା ଅନୁଯାୟୀ, ମଦ ଦୋକାନ ଖୋଲିବା ପରେ ଘରୋଇ ହିଂସା, ପାରିବାରିକ କଳହ ଏବଂ ସାମାଜିକ ସମସ୍ୟା ବୃଦ୍ଧି ପାଇବାର ଅନେକ ଉଦାହରଣ ରାଜ୍ୟର ଅନ୍ୟାନ୍ୟ ଅଞ୍ଚଳରେ ଦେଖାଯାଇଛି। ଅନ୍ୟପଟେ, ଅଞ୍ଚଳର ଅଭିଭାବକମାନେ ମଧ୍ୟ ନିଜ ଚିନ୍ତା ପ୍ରକାଶ କରିଛନ୍ତି। ସେମାନଙ୍କ ମତରେ, ବିଦ୍ୟାଳୟ ଓ ଶିକ୍ଷାନୁଷ୍ଠାନ ନିକଟରେ ମଦ ଦୋକାନ ରହିଲେ ଛାତ୍ରଛାତ୍ରୀଙ୍କ ମାନସିକ ବିକାଶ ଓ ଶିକ୍ଷା ପରିବେଶ ଉପରେ ଖରାପ ପ୍ରଭାବ ପଡ଼ିପାରେ। ଏହା ସହିତ ମଦ୍ୟପ ଅବସ୍ଥାରେ ଲୋକଙ୍କ ଯାତାୟାତ ଫଳରେ ରାସ୍ତା ସୁରକ୍ଷା ମଧ୍ୟ ପ୍ରଭାବିତ ହେବ।ଦାବିପତ୍ରରେ ଆହୁରି କୁହାଯାଇଛି ଯେ, ମଦ ଦୋକାନ ସ୍ଥାପନ ସମ୍ପର୍କରେ ସ୍ଥାନୀୟ ଲୋକଙ୍କ ମତାମତକୁ ଯଥେଷ୍ଟ ଗୁରୁତ୍ୱ ଦିଆଯାଇନାହିଁ। ଅଞ୍ଚଳବାସୀ ଙ୍କ ଅଭିଯୋଗ ଯେ, ଏହି ପ୍ରସ୍ତାବ ସମ୍ପର୍କରେ ସାଧାରଣ ଲୋକଙ୍କ ସହ କୌଣସି ବ୍ୟାପକ ଆଲୋଚନା କରାଯାଇନଥିଲା। ତେଣୁ ଲୋକତାନ୍ତ୍ରିକ ମୂଲ୍ୟବୋଧକୁ ସମ୍ମାନ ଜଣାଇ ପ୍ରଶାସନ ଲୋକଙ୍କ ଆପତ୍ତିକୁ ଗୁରୁତ୍ୱ ସହ ବିଚାର କରିବା ଆବଶ୍ୟକ।ଏହି ଘଟଣା ବର୍ତ୍ତମାନ ସମଗ୍ର ଅଞ୍ଚଳରେ ଆଲୋଚନାର ବିଷୟ ପାଲଟିଛି। ଗ୍ରାମବାସୀମାନେ ସ୍ପଷ୍ଟ କରିଛନ୍ତି ଯେ, ଯଦି ପ୍ରଶାସନ ସେମାନଙ୍କ ଦାବିକୁ ଅଣଦେଖା କରେ, ତେବେ ସେମାନେ ଆଇନସମ୍ମତ ଏବଂ ଗଣତାନ୍ତ୍ରିକ ଉପାୟରେ ବୃହତ୍ତର ଜନଆନ୍ଦୋଳନ ଆରମ୍ଭ କରିବେ। ଏଥିପାଇଁ ଆବଶ୍ୟକ ପଡ଼ିଲେ ଗଣଧାରଣା, ବିକ୍ଷୋଭ ଏବଂ ଉଚ୍ଚସ୍ତରୀୟ କର୍ତ୍ତୃପକ୍ଷଙ୍କ ହସ୍ତକ୍ଷେପ ଲୋଡ଼ାଯିବ ବୋଲି ଚେତାବନୀ ଦେଇଛନ୍ତି। ବର୍ତ୍ତମାନ ସମସ୍ତଙ୍କ ନଜର ଜିଲ୍ଲା ପ୍ରଶାସନର ନିଷ୍ପତ୍ତି ଉପରେ ରହିଛି। ଜନସ୍ୱାର୍ଥ, ସାମାଜିକ ସୁରକ୍ଷା ଓ ଆଇନ-ଶୃଙ୍ଖଳାକୁ ପ୍ରାଥମିକତା ଦେଇ ପ୍ରଶାସନ କି ପଦକ୍ଷେପ ନେବ, ତାହା ଆଗାମୀ ଦିନରେ ସ୍ପଷ୍ଟ ହେବ। ତେବେ ଅଞ୍ଚଳବାସୀ ଙ୍କ ଏକମାତ୍ର ଦାବି ହେଉଛି—“ ଅଞ୍ଚଳ ର ଶାନ୍ତି ଓ ଭବିଷ୍ୟତକୁ ସୁରକ୍ଷିତ ରଖିବା ପାଇଁ ଦେଶୀ ମଦ ଦୋକାନ ସ୍ଥାପନ ପ୍ରସ୍ତାବକୁ ତୁରନ୍ତ ବାତିଲ କରାଯାଉ।”

