ଫୁଲବାଣୀ,୯/୦୬,(ସୁନୀଲ ପଟ୍ଟନାୟକ):ଫୁଲବାଣୀ ସହରରେ ଭଲ ପାର୍କଟିଏ ନାହିଁ। ଜନସାଧାରଣ ଙ୍କ ଆମୋଦ ପ୍ରମୋଦ ପାଇଁ ଆକର୍ଷଣୀୟ ପାର୍କ ଟିଏ ନିତାନ୍ତ ଆବଶ୍ୟକ। ଏହାକୁ ହୃଦୟଙ୍ଗମ କରି କନ୍ଧମାଳ ପ୍ରଗତି ଚିନ୍ତନ ପରିଷଦ ପକ୍ଷରୁ ଗତ 5 ବର୍ଷ ହେଲା ଅହରହ ଉଦ୍ୟମ ଜାରି ରହିଛି। ଏହି ସମୟ ମଧ୍ୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ, କେନ୍ଦ୍ର ଗୃହ ମନ୍ତ୍ରୀ, କେନ୍ଦ୍ର ଶିକ୍ଷା ମନ୍ତ୍ରୀ, ଜିଲ୍ଲାପାଳ, ରାଜ୍ୟ ସରକାର ଙ୍କ ବିଭିନ୍ନ ବିଭାଗକୁ ଦାବିପତ୍ର ଦିଆଯାଇ ଦୃଷ୍ଟିଆକର୍ଷଣ କରାଯାଇଥିଲା। ତେବେ ଏହାର କୌଣସି ପ୍ରଭାବ ପଡ଼ିନଥିଲା। ବର୍ତମାନ ପୁଣି ଏହି ସଂଗଠନ ପକ୍ଷରୁ ପାର୍କ ପ୍ରତିଷ୍ଠା ପାଇଁ ଉଦ୍ୟମ ଆରମ୍ଭ ହୋଇଛି। ପଟାବାଲି ସାହି ନିକଟରେ ଥିବା ପିଲାସାଲୁଙ୍କି ନଦୀ ଶଯ୍ୟା ରେ ଏକ ଆକର୍ଷଣୀୟ ପାର୍କ ନିର୍ମାଣ ପାଇଁ ସଂଗଠକ ପକ୍ଷରୁ ପ୍ରସ୍ତାବ ଦିଆଯାଇଛି। କନ୍ଧମାଳ ପ୍ରଗତି ଚିନ୍ତନ ପରିଷଦ ର ସଭାପତି ଡ଼କ୍ଟର ଦିଲ୍ଲୀପ କୁମାର ସାହାଣୀ ଙ୍କ ନେତୃତ୍ୱ ରେ ଏକ ପ୍ରତିନିଧି ଦଳ ସ୍ଥାନୀୟ ସର୍କିଟ ହାଉସ ଠାରେ ଫୁଲବାଣୀ ବିଧାୟକ ଉମା ଚରଣ ମଲିକ ଙ୍କ ସହ ଏ ସମ୍ପର୍କ ରେ ଆଲୋଚନା କରିଥିଲେ। ଏହି ପ୍ରତିନିଧି ଦଳରେ ସଂଗଠନ ର ଉପସଭାପତି ଦ୍ବୟ ସୁବାସ ଚନ୍ଦ୍ର ପ୍ରଧାନ ଓ ଶୁଭେନ୍ଦୁ ତ୍ରିପାଠୀ, ବରିଷ୍ଠ ସଦସ୍ୟ ନୃସିଂହ ବେହେରା ଓ କିଶୋର ଚନ୍ଦ୍ର ଘଟାଲ ପ୍ରମୁଖ ସାମିଲ ଥିଲେ। ବିଧାୟକ ଶ୍ରୀ ମଲିକ ଏକ ଦାବିପତ୍ର ଦେବା ପାଇଁ ଅନୁରୋଧ କରିଥିଲେ। ଏହା ପରେ ସଭାପତି ଡ଼କ୍ଟର ସାହାଣୀ, ନୃସିଂହ ବେହେରା ଓ କିଶୋର ଚନ୍ଦ୍ର ଘଟାଲ ପ୍ରମୁଖ ବିଧାୟକ ଙ୍କୁ ଏକ ଦାବୀ ପତ୍ର ପ୍ରଦାନ କରିଥିଲେ। ଏହା ପରେ ବିଧାୟକ ସ୍ଥାନୀୟ ତହସିଲଦାର ଓ ଅନ୍ୟାନ୍ୟ ଅଧିକାରୀଙ୍କ ସହ ଆଲୋଚନା କରି ପାର୍କ ନିର୍ମାଣ ପାଇଁ ଆବଶ୍ୟକ ପଦକ୍ଷେପ ନେଇଥିବା ଜଣାଯାଇଛି।

