ଫୁଲବାଣୀ,୨୬।୦୬( ସୁନୀଲ ପଟ୍ଟନାୟକ):ଫୁଲବାଣୀର ଚିକିତ୍ସା ସେବା କ୍ଷେତ୍ରରେ ଦେଖାଯାଉଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ, ଫୁଲବାଣୀ ନାଗରିକ ସମାଜର ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରୁଥିବା ବ୍ୟକ୍ତି ବିଶେଷ ମାନଙ୍କ ସହ ରାଜ୍ୟ ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶକ ଡ଼ା. ସନ୍ତୋଷ କୁମାର ପାଢ଼ୀ ଆଲୋଚନା କରିଥିଲେ। ଆଜି ଫୁଲବାଣୀ ସ୍ଥିତ ମୁଖ୍ୟ ଚିକିତ୍ସାଳୟ ପରିସରରେ ଅନୁଷ୍ଠିତ ଏହି ବୈଠକରେ, ପ୍ରାରମ୍ଭରେ ବରିଷ୍ଠ ଆଇନଜୀବୀ ବିଜୟକୃଷ୍ଣ ପଟ୍ଟନାୟକ ନିର୍ଦ୍ଦେଶକ ଡ଼ା. ପାଢୀଙ୍କ ପ୍ରଚେଷ୍ଟାରେ ମୁଖ୍ୟ ଡାକ୍ତରଖାନାରେ ଆରମ୍ଭ ହୋଇଥିବା ଅଲଟ୍ରାସାଉଣ୍ଡ ଓ ଅନ୍ୟ ସ୍ୱତନ୍ତ୍ର ବ୍ୟବସ୍ଥା ନିମନ୍ତେ ଧନ୍ୟବାଦ ଦେଇଥିଲେ । ସହରର ବିଭିନ୍ନ ଅନୁଷ୍ଠାନରୁ ଯୋଗଦେଇଥିବା ନାଗରିକ ମୁଖ୍ୟତଃ ହୃଦ୍ ରୋଗ ବିଶେଷଜ୍ଞ ଓ ସ୍ନାୟୁ ବିଶେଷଜ୍ଞ ମାସରେ ଅନ୍ତତଃ ପାଞ୍ଚ ଦିନ ପାଇଁ ଡେପୁଟେସନ୍ ରେ ଆଣିବା ପାଇଁ ଦାବୀ କରିଥିଲେ। ସେପରି ବରିଷ୍ଠ ନାଗରିକଙ୍କ ପାଇଁ ସ୍ୱତନ୍ତ୍ର ଚିକିତ୍ସା ସୁବିଧା ଯୋଗାଇଦେବା ନିମନ୍ତେ ଅନୁରୋଧ କରିଥିଲେ। ଏପରିକି ରୋଗୀ ମାନଙ୍କ ପ୍ରତି ଡାକ୍ତର ଓ କର୍ମଚାରୀଙ୍କ ନମ୍ର ବ୍ୟବହାର, ସଠିକ୍ ସମୟରେ କାର୍ଯ୍ୟସ୍ଥଳରେ ଡାକ୍ତରଙ୍କ ଉପସ୍ଥିତି ସହ ଉପଲବ୍ଧ ସମସ୍ତ ଉପକରଣର ସଠିକ୍ ବ୍ୟବହାର ପ୍ରତି ଦୃଷ୍ଟି ଦେବାକୁ ଅନୁରୋଧ କରିଥିଲେ। ବିଭିନ୍ନ ସଂଗଠନର ଉପସ୍ଥିତ ସଦସ୍ୟମାନେ ଆଭ୍ୟନ୍ତରୀଣ ଅଞ୍ଚଳରେ ଡାକ୍ତର ନିଯୁକ୍ତି ସହ ଜରୁରୀ ଚିକିତ୍ସା ସେବା ନଥିଲେ ଘରୋଇ ଚିକିତ୍ସାଳୟକୁ ରେଫର ବନ୍ଦ କରିବା ପାଇଁ ଅନୁରୋଧ କରିଥିଲେ। ଏହି ଆଲୋଚନାରେ, ବରିଷ୍ଠ ବ୍ଯକ୍ତି ମାନେ ଫୁଲବାଣୀ ରେ ହୃଦ୍ଘାତ ତଥା ତତ୍ ସମ୍ବନ୍ଧୀୟ ଗୁରୁତ୍ତର ରୋଗୀ (କାର୍ଡିଆକ୍) ଏବଂ ନ୍ୟୁରୋରୋଲୋଜି ବିଭାଗର ଚିକିତ୍ସା ସେବା ଯୋଗାଇବା ପାଇଁ ଜିଲ୍ଲା କୁ ଏହି ଉଭୟ ରୋଗର ବିଶେଷଜ୍ଞଙ୍କୁ ମାସରେ ଥରେ କିମ୍ବା ଦୁଇ ଥର ରାଜ୍ୟ ସରକାର ତୁରନ୍ତ ବ୍ୟବସ୍ଥା କରିବା ଆବଶ୍ୟକ ବୋଲି ଦାବୀ ହୋଇଥିଲା। ମାସରେ ଥରେ ଲେଖାଏଁ ରାଜ୍ୟ ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶକ ଫୁଲବାଣୀ ରେ ନାଗରିକ ସମାଜ ର ବ୍ଯକ୍ତି ବିଶେଷ ମାନଙ୍କ ସହିତ ଏକ ଆଲୋଚନା ଚକ୍ର ସହିତ ଜିଲ୍ଲା ରେ ଉନ୍ନତ ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ପ୍ରଚେଷ୍ଟା କରୁଥିବା ବେଳେ ଏହି ବୈଠକରେ ଜିଲ୍ଲାର ସ୍ଵସ୍ଥ୍ଯ ବିଭାଗର ମୁଖ୍ୟ ଚିକିତ୍ସାଧିକାରୀ କିମ୍ବା ଅନ୍ୟ ଉଚ୍ଚ ଅଧିକାରୀ ଯୋଗ ନ ଦେବା ନେଇ ଉପସ୍ଥିତ ସମସ୍ତଙ୍କ ମଧ୍ୟରେ ଉଦବେଗ ଦେଖା ଦେଇଥିଲା। ଶେଷରେ ବରିଷ୍ଠ ଆଇନଜୀବୀ ବିଜୟକୃଷ୍ଣ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

