ବୋଲଗଡ଼,୧୩।୯(ସୁଶାନ୍ତ କୁମାର ପ୍ରଧାନ):ଗଣେଶ ପୂଜାଠାରୁ ଆରମ୍ଭ କରି ଆଗକୁ ଆସୁଛି ପାର୍ବଣ ଋତୁ। ଗଣେଶ ପୂଜା, ନୂଆଖାଇ, ଦୁର୍ଗାପୂଜା, ଦୀପାବଳି ଓ କୁମାର ପୂର୍ଣିମା ପର୍ଯ୍ୟନ୍ତ ଲଗାତାର ପର୍ବପର୍ବାଣୀ ଆସୁଛି। ଏହି ଅବସରରେ ବୋଲଗଡ଼ ଅଞ୍ଚଳର ବିଭିନ୍ନ ଫଳ ଦୋକାନରେ ଲୋକଙ୍କ ଭିଡ଼ ଲାଗିବା ଆରମ୍ଭ ହୋଇଛି।ପୂଜା ପାଇଁ କଦଳୀ, ସେଓ, ଅଙ୍ଗୁର, ଡାଳିମ୍ବ ଓ ନଡ଼ିଆ ଆଦି ଫଳର ଚାହିଦା ବଢ଼ିଛି। ଫଳ ବ୍ୟବସାୟୀମାନେ ମଧ୍ୟ ପର୍ବକୁ ନଜରରେ ରଖି ବାହାରୁ ଅଧିକ ଫଳ ମଗାଇ ଗଦା କରିଛନ୍ତି। ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଦୋକାନରେ ଗ୍ରାହକଙ୍କ ଭିଡ଼ ଦେଖିବାକୁ ମିଳୁଛି।ହେଲେ ଚିନ୍ତାର ବିଷୟ ହେଉଛି, ଏହି ସମୟରେ ଅଧିକ ଲାଭ ପାଇଁ କିଛି ଅସାଧୁ ବ୍ୟବସାୟୀ କଦଳୀଠାରୁ ଆରମ୍ଭ କରି ବିଭିନ୍ନ ଫଳରେ କେମିକାଲ୍ (କାର୍ବାଇଡ୍) ବ୍ୟବହାର କରି କୃତ୍ରିମ ଭାବେ ପାଚିବା ଆଶଙ୍କା ରହୁଛି। ଏହି ବିଷାକ୍ତ ଫଳ ଖାଇ ଲୋକେ ରୋଗାକ୍ରାନ୍ତ ହେବାର ଭୟ ରହିଛି। ବିଶେଷ କରି ଛୋଟ ପିଲା ଓ ବୟସ୍କ ଲୋକଙ୍କ ପାଇଁ ଏହା ଅଧିକ ବିପଦଜନକ ହୋଇପାରେ।ତେଣୁ ଏଥିପ୍ରତି ପ୍ରଶାସନ କଡ଼ା ନଜର ରଖିବା ସହ ଫଳ ନମୁନା ସଂଗ୍ରହ କରି ପରୀକ୍ଷା କରିବା ଓ ସଚେତନତା କରିବା ଆବଶ୍ୟକ ବୋଲି ବୁଦ୍ଧିଜୀବୀ ମହଲରେ ଦାବି ହେଉଛି। ଖାଦ୍ୟ ସୁରକ୍ଷା ବିଭାଗ ପକ୍ଷରୁ ଅଚାନକ ଚଢ଼ାଉ କରାଯାଉ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।

