ପୋଲସରା,୨୯/୫,(ଶିବ ପ୍ରସାଦ ସାହୁ):ରାଜ୍ୟରେ ଦିନକୁ ଦିନ ବଢୁଥିବା ଅରାଜକତା ଏବଂ ନାରୀ ପ୍ରତି ଅଣଦେଖା, ମହିଳା ସଂରକ୍ଷଣ ଅଧିନିୟମ ତ୍ୱରିତ ବିଭିନ୍ନ ସଙ୍ଗିନୀ ଅଭିଯୋଗ କୁ ଭିର୍ତ୍ତିକରି ଶୁକ୍ରବାର ବିଜେପି ସରକାର ଉପରେ ହାଲ୍ଲାବୋଲ୍ କରିଥିଲେ ହଜାର ହଜାର ମହିଳା ଓ ବିଜେଡ଼ି ଦଳୀୟ କର୍ମୀ ମାନେ । ଯେଉଁଠି ପୋଲସରା ନିର୍ବାଚନ ମଣ୍ଡଳୀର ପୂର୍ବତନ ଶ୍ରମମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ଆହ୍ୱାନ କ୍ରମେ ହଜାର ହଜାର ମହିଳା ଲୁଣିଘାଟିସ୍ଥିତ ବିଜେଡ଼ିର ଶଙ୍ଖ ଭବନ କାର୍ଯ୍ୟାଳୟ ସମ୍ମୁଖରେ ଉପସ୍ଥିତ ହୋଇଥିଲେ । ପରେ ନାରୀ ସୁରକ୍ଷା ଏବଂ ବିଭିନ୍ନ ସମସ୍ୟା ଉପରେ ସରକାରଙ୍କ ଅପାରଗତା ଏବଂ ବିଫଳତା କୁ ନେଇ ଏକ ବିରାଟ ଶୋଭାଯାତ୍ରାରେ ବୁଗୁଡା ପୋଲସରା ର ସମସ୍ତ ମହିଳା କର୍ମୀ ରାଜରାସ୍ତାକୁ ଓହ୍ଲାଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ପରେ ପୋଲସରା ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଡ଼ବଲ ଇଞ୍ଜିନ ସରକାରଙ୍କ ବିରୁଦ୍ଧରେ ବିଦ୍ରୋହ ବିକ୍ଷୋଭ ପ୍ରଦର୍ଶନ କରି ସରକାରଙ୍କ ଉପରେ ଗର୍ଜିଲେ ପୂର୍ବତନ ଶ୍ରମମନ୍ତ୍ରୀ ଶ୍ରୀକାନ୍ତ ସାହୁ । ଏହି ମହିଳା ପ୍ରତିବାଦ ବିଶାଳ ରାଲିରେ କୋଦଳା ଏନଏସିର ଆସିକା ସାଂସଦ ପ୍ରାର୍ଥୀନୀ ରଞ୍ଜିତା ସାହୁ ଯୋଗଦେଇ ୨୦୨୩ ମସିହାରେ ବିଜେଡି ସହମତିରେ ପାସ୍ ହୋଇଥିବା ୩୩ ପ୍ରତିଶତ ମହିଳା ସଂରକ୍ଷଣ ବିଲ୍ କୁଆଡେ ଗଲା ବୋଲି ସର୍ବ ସାଧାରଣରେ ପ୍ରଶ୍ନ କରିଥିଲେ ।ବିଜେପି ସରକାର ରାଜ୍ୟରେ ଆସିବା ପରେ ଦୁଇ ବର୍ଷ ଧରି ନାରୀ ପ୍ରତି ହିଂସା, ଯୌନ ଉତ୍ପୀଡନ ବୃଦ୍ଧି ପାଇଛି।ଏନସିଆରବି ରିପୋର୍ଟ ଅନୁଯାୟୀ ଯୌନ ନିର୍ଯାତନା କ୍ଷେତ୍ରରେ ଓଡ଼ିଶା ପ୍ରଥମ ସ୍ଥାନ, ପ୍ରତ୍ୟେକ ଦିନ ଦୁଷ୍କର୍ମ, ଗଣଦୁଷ୍କର୍ମ ଓ ମହିଳାଙ୍କୁ ହତ୍ୟା ଭଳି ଅମାନୁଷିକ କାଣ୍ଡ ଘଟି ଚାଲିଛି। ରାଜ୍ୟ ସରକାରଙ୍କ ଅପାରଗତା,ବିଫଳତା ତଥା ଅପରାଧ ନିୟନ୍ତ୍ରଣ ଚରମ ଉଦାସୀନତା ହେତୁ ମହିଳା ହିଂସାକାଣ୍ଡ ଓ ଯୌନ ନିର୍ଯାତନା ମାମଲା ବିଭିନ୍ନ ଥାନାରେ ୪୮ ହଜାର ରେକର୍ଡ କରାଯାଇଛି। ଏପରିକି ପୋଲସରା ନିର୍ବାଚନ ମଣ୍ଡଳୀରେ ବ୍ଳକ ଓ ପୋଲିସ ପ୍ରଶାସନ ଦ୍ବାରା ବିଜେଡି କର୍ମୀଙ୍କୁ ଅଯଥାରେ ଥାନାରେ ଅଟକ ରଖିବା ଅତ୍ୟନ୍ତ ଦୁଃଖଦ ଘଟଣା । ପଞ୍ଚାୟତର ଜନପ୍ରତିନିଧିଙ୍କ ଜାଣି ଶୁଣି ବିଲ୍ ନ କରିବା ଭଳି ବିଷୟ ପୋଲସରା ବିଧାୟକ ତଥା ମନ୍ତ୍ରୀ ଏବଂ ବିଜେପି କର୍ମୀ ମାନଙ୍କ ଇଙ୍ଗିତରେ ପରିଚାଳିତ ହେଉଥିବା ନେଇ ପ୍ରକାଶ ପାଇଥିଲା। ୨୦୨୩ ମସିହାରେ ପାର୍ଲ୍ୟାମେଣ୍ଟରେ ଗୃହିତ ମହିଳା ସଂରକ୍ଷଣ ବିଲକୁ ଆଇନରେ ପରିଣତ,ଗତ ଦୁଇ ବର୍ଷ ମଧ୍ୟରେ କ୍ରମାଗତ ଭାବେ ବଢିଚାଲିଥିବା ନାରୀ ନିର୍ଯାତନାରେ ରୋକ ଲଗାଇ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପୋଲସରା ବିଡ଼ିଓ ଶଶିଭୂଷଣ ମହାପାତ୍ରଙ୍କ ଜରିଆରେ ସଂମ୍ବଳିତ ଲିଖିତ ଦାବିପତ୍ର ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଥିଲା। ଉକ୍ତ ବିକ୍ଷୋଭ ପ୍ରଦର୍ଶନରେ ଜିଲ୍ଲା ପରିଷଦ ସଭ୍ୟ ଅଶୋକ କୁମାର ବିଷୋୟୀ,ଝୁନୁ ଦାସ, ବୁଗୁଡ଼ା ଏନ୍ ଏ ସି ଉପାଧ୍ୟକ୍ଷା ଗୀତାଞ୍ଜଳି ପାଢ଼ୀ, ବ୍ଳକ ସଭାପତି ଖଦାଳ ଖଟେଇ ସମେତ ବହୁ ସରପଞ୍ଚ, ସମିତି ସଭ୍ୟ ,ଜନପ୍ରତିନିଧି ସମେତ ୩ ହଜାରରୁ ଉର୍ଦ୍ଧ୍ବ ବିଜେଡ଼ି କର୍ମୀ ସାମିଲ ହୋଇଥିବା ଦେଖିବାକୁ ମିଳିଛି ।

