ପୋଲସରା,୪।୮(ସୁଧାଂଶୁ ଶେଖର ସାହୁ):ଗଞ୍ଜାମ ଜିଲ୍ଲା ପୋଲସରା ପୌରପାଳିକା ନିର୍ବାଚନକୁ ନେଇ ସହରର ରାଜନୈତିକ ପରିବେଶ ଧୀରେ ଧୀରେ ସରଗରମ ହେବାରେ ଲାଗିଛି। ସରକାରଙ୍କ ପକ୍ଷରୁ ପୌର ନିର୍ବାଚନ ସମ୍ପର୍କିତ ବିଜ୍ଞପ୍ତି ପ୍ରକାଶ ପାଇବା ଏବଂ ପୋଲସରା ଏନ୍ଏସି ପୌର ପରିଷଦ ରେ ପରିଣତ ହେବାପରେ ପୋଲସରା ପୌର ଆସନ ଅଣସରଂକ୍ଷିତ ପାର୍ଥିଙ୍କ ପାଇଁ ଘୋଷଣା ହେବାପରେ ସହରବାସୀ ନିଜ ମନପସନ୍ଦ ର ନେତୃତ୍ୱକୁ ବାଛିବା ପାଇଁ ଜନମତ ସକ୍ରିୟ ହେଉଛି। ପୋଲସରା ପୌର ଆସନ ଟି ଯଦିବା ଅଣ ସରଂକ୍ଷିତ ପାର୍ଥିଙ୍କ ପାଇଁ ଘୋଷଣା ହୋଇଛି ଯଦି ଏଥିପାଇଁ କୌଣସି ଆପତ୍ତି ଅଭିଯୋଗ ଆସେ ତାହେଲେ ଏହି ସିଟ ଟି ଭବିଷ୍ୟତ ରେ ପରିବର୍ତନ ହୋଇପାରେ। କିନ୍ତୁ ୫ବର୍ଷ ପରେ ହେବାକୁ ଯାଉଥିବା ପୌର ନିର୍ବାଚନକୁ ନେଇ ଭୋଟରଙ୍କ ମଧ୍ୟରେ ଏବେଠୁ ଉତ୍ସାହ ଦେଖାଦେଇଥିବା ବେଳେ ବିଭିନ୍ନ ରାଜନୈତିକ ଦଳ ଓ ସମ୍ଭାବ୍ୟ ପ୍ରାର୍ଥୀମାନେ ମଧ୍ୟ ନିଜ ନିଜ ପ୍ରସ୍ତୁତି ଜୋରଦାର କରିଛନ୍ତି। ସହରର ବିଭିନ୍ନ ୱାର୍ଡରେ ଲୋକଙ୍କ ସହ ଆଲୋଚନା, ଘରକୁ ଘର ବୁଲି ସମ୍ପର୍କ ସ୍ଥାପନ ଏବଂ ସଂଗଠନ ସୁଦୃଢ଼ କରିବାରେ ରାଜନୈତିକ ଦଳଗୁଡ଼ିକ ଏବେଠୁ ଅଂଟା ଭିଡ଼ିଲେଣି । ଚା’ଦୋକାନଠାରୁ ଆରମ୍ଭ କରି ବିଭିନ୍ନ ସାର୍ବଜନିକ ସ୍ଥାନରେ ନିର୍ବାଚନକୁ ନେଇ ଆଲୋଚନା ଜୋର ଧରିଛି। ସହରର ଆଗାମୀ ବିକାଶ ପାଇଁ କିଏ ଯୋଗ୍ୟ ନେତୃତ୍ୱ ଦେଇପାରିବ, ସେନେଇ ଲୋକେ ନିଜ ନିଜ ମତ ପ୍ରକାଶ କରୁଛନ୍ତି।ପୋଲସରା ସହରରେ ପାନୀୟ ଜଳ, ଭଲ ରାସ୍ତା, ଡ୍ରେନେଜ୍ ବ୍ୟବସ୍ଥା, ପରିମଳ, ରାସ୍ତା ଆଲୋକୀକରଣ, ବର୍ଜ୍ୟବସ୍ତୁ ପରିଚାଳନା ଏବଂ ସହରର ସୌନ୍ଦର୍ଯ୍ୟକରଣ ଭଳି ମୌଳିକ ସମସ୍ୟା ଏବେ ମଧ୍ୟ ଜନସାଧାରଣଙ୍କ ପ୍ରମୁଖ ପ୍ରସଙ୍ଗ ହୋଇ ରହିଛି। ଏହି ସମସ୍ୟାଗୁଡ଼ିକର ସ୍ଥାୟୀ ସମାଧାନ କରିପାରୁଥିବା ନେତୃତ୍ୱକୁ ବାଛିବା ପାଇଁ ଭୋଟରମାନେ ମନସ୍ଥ କରିଥିବା କହୁଛନ୍ତି। ରାଜନୈତିକ ବିଶ୍ଳେଷକଙ୍କ ମତରେ ଏଥର ପୌର ନିର୍ବାଚନରେ ସ୍ଥାନୀୟ ବିକାଶ, ସ୍ୱଚ୍ଛ ପ୍ରଶାସନ, ଜନସେବା ଏବଂ ଜନସାଧାରଣଙ୍କ ସହ ସିଧାସଳଖ ସମ୍ପର୍କ ମୁଖ୍ୟ ପ୍ରସଙ୍ଗ ହୋଇପାରେ। ସହରବାସୀ ମଧ୍ୟ ଦଳୀୟ ପରିଚୟ ଅପେକ୍ଷା ଯୋଗ୍ୟ, ସଚ୍ଚୋଟ ପ୍ରାର୍ଥୀ କୁ ଗୁରୁତ୍ବ ଦେବେ ।

