ଜଟଣୀ,୨୯।୯(କେଦାର ନାଥ ସାହୁ):ଶନିବାର ରାତି ପ୍ରାୟ ୧୧ଟା ସମୟରେ ଗଣେଶ ପ୍ରତିମାର ବିସର୍ଜନ ଶୋଭାଯାତ୍ରା ଚାଲିଥିବା ବେଳେ ଏକ ଅପ୍ରତ୍ୟାଶିତ ଦୁର୍ଘଟଣା ଘଟିବା ପରେ ପ୍ରଶାସନ ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ହଇଚଇ ଓ ଆତଙ୍କର ପରିବେଶ ସୃଷ୍ଟି ହୋଇଥିଲା।ପ୍ରଶାସନ ପକ୍ଷରୁ ବାରମ୍ବାର ମନା କରାଯାଇଥିଲେ ମଧ୍ୟ ଅଧିକାଂଶ ପୂଜା କମିଟି ଗଣେଶ ଭଶାଣି ଶୋଭାଯାତ୍ରାରେ ଅତ୍ୟଧିକ ଶବ୍ଦଯୁକ୍ତ ଡିଜେ ସାଉଣ୍ଡ ନେଇ ଯାଉଥିଲେ। ଏହି ପ୍ରକମ୍ପିତ ଶବ୍ଦ ଯୋଗୁଁ ଅଗ୍ରୱାଲ ଧର୍ମଶାଳା ନିକଟସ୍ଥ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଉପରେ ଥିବା କୋଠା ଛାତ ର ଅଂଶ ଭାଙ୍ଗି ଶୋଭାଯାତ୍ରାରେ ସାମିଲ ଲୋକଙ୍କ ଉପରେ ପଡ଼ିଥିଲା।ଏହି ଘଟଣାରେ ୨୫ରୁ ଅଧିକ ଲୋକ ଆହତ ହୋଇଥିବା ଖବର ମିଳିଛି। ସାମାନ୍ୟ ଆହତଙ୍କ ବ୍ୟତୀତ ୮ ଜଣ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି। ଗୁରୁତର ଆହତମାନଙ୍କୁ ତୁରନ୍ତ ଭୁବନେଶ୍ୱରସ୍ଥିତ ଘରୋଇ ହସ୍ପିଟାଲକୁ ନିଆଯାଇଥିଲା। କିନ୍ତୁ ସେମାନଙ୍କ ମଧ୍ୟରୁ ଜଣେ ହରିରାଜପୁର ଯୁବକ ହସ୍ପିଟାଲରେ ମୃତ୍ୟୁ ବରଣ କରିଥିଲେ । ମୃତ ଯୁବକ ହରିରାଜପୁରର ବିଶ୍ୱରଞ୍ଜନ ବାରିକ (୨୮) ବର୍ଷ ବୋଲି ଜଣାପଡ଼ିଛି।ଘଟଣା ପରେ ପୋଲିସ ବିଭାଗର ଡିସିପି, ଏସିପି, ଜଟଣୀ ଥାନାଧିକାରୀ, ଜଟଣୀ ବିଧାୟକ ବିଭୂତି ଭୂଷଣ ବଳବନ୍ତରାୟ, ପୂର୍ବତନ ବିଧାୟକ ସୁରେଶ ରାଉତରାୟ, ପୌରାଧ୍ୟକ୍ଷ ଅନନ୍ତ ବେହେରାଙ୍କ ସମେତ ବହୁ ନେତା ହସ୍ପିଟାଲରେ ପହଞ୍ଚି ଆହତମାନଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିଥିଲେ। ସମସ୍ତ ଆହତଙ୍କ ଚିକିତ୍ସା ଜାରି ରହିଛି।ଜଟଣୀର ଏହି ବିସର୍ଜନ ଶୋଭାଯାତ୍ରା ଦେଖିବା ପାଇଁ ପ୍ରତିବର୍ଷ ହଜାର ହଜାର ଲୋକଙ୍କ ଭିଡ଼ ହୋଇଥାଏ। କିନ୍ତୁ ଶନିବାର ଘଟିଥିବା ଏହି ଦୁଃଖଦ ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।ଏହା ସହିତ ଏକ ପ୍ରଶ୍ନ ମଧ୍ୟ ଉଠୁଛି—ପୋଲିସ ଓ ପ୍ରଶାସନ ପକ୍ଷରୁ ବାରମ୍ବାର ନିର୍ଦ୍ଦେଶ ନାମା ଜାରି କରାଯାଇଥିବା ସତ୍ତ୍ୱେ ପୂଜା କମିଟି ଦ୍ୱାରା ଅତ୍ୟଧିକ ଶବ୍ଦଯୁକ୍ତ ଡିଜେ ସିଷ୍ଟମ୍କୁ ଶୋଭାଯାତ୍ରାରେ ସାମିଲ କରିବା କେତେଦୂର ଯୁକ୍ତିସଙ୍ଗତ ଥିଲା? ତାହା ଏବେ ସର୍ବସାଧାରଣରେ ଚିନ୍ତାର ବିଷୟ।

