ଖଜୁରୀପଡ଼ା,୧୭/୦୬(ମନୋଜ କୁମାର ବେହେରା):ସରକାର ଗ୍ରାମାଞ୍ଚଳର ଉନ୍ନତି ଓ ଜଳସମ୍ପଦର ସୁରକ୍ଷା ପାଇଁ ବିଭିନ୍ନ ଯୋଜନାରେ କୋଟି କୋଟି ଟଙ୍କା ବ୍ୟୟବରାଦ କରୁଥିବା ବେଳେ ତାହାର ସୁଫଳ ଅନେକ ସ୍ଥାନରେ ସାଧାରଣ ଲୋକଙ୍କ ପାଖରେ ପହଞ୍ଚି ପାରୁନାହିଁ। ଫଳରେ ଲୋକମାନେ ନିଜ ଆବଶ୍ୟକତା ପୂରଣ ପାଇଁ ନିଜେ ଆଗେଇ ଆସୁଥିବା ଦୃଶ୍ୟ ଦେଖିବାକୁ ମିଳୁଛି। ଏହାର ଏକ ଜ୍ୱଳନ୍ତ ଉଦାହରଣ କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ଆଡାସିପଡା ପଞ୍ଚାୟତର ଘୋଡାପଥର ଗ୍ରାମରେ ଦେଖିବାକୁ ମିଳିଛି। ଗ୍ରାମର ଜୀବନରେଖା ଭାବେ ପରିଚିତ ଡୁମ୍ବୁରୀ ବନ୍ଧ ଦୀର୍ଘଦିନ ଧରି ପଙ୍କ ଓ ଆବର୍ଜନାରେ ପୋତି ହୋଇ ରହିଥିଲା। ବନ୍ଧର ସଫେଇ ଓ ପଙ୍କ ଉଦ୍ଧାର ପାଇଁ ଗ୍ରାମବାସୀମାନେ ବାରମ୍ବାର ପଲ୍ଲୀସଭା ଓ ଗ୍ରାମସଭାରେ ଦାବି ଉଠାଇଥିଲେ। ଏପରିକି ସମ୍ପୃକ୍ତ ପ୍ରଶାସନକୁ ମଧ୍ୟ ଅବଗତ କରାଯାଇଥିଲା। କିନ୍ତୁ ଏହା ସତ୍ତ୍ୱେ କୌଣସି ଫଳପ୍ରଦ ପଦକ୍ଷେପ ଗ୍ରହଣ କରାଯାଇନଥିବା ଅଭିଯୋଗ ହୋଇଛି।ପ୍ରଶାସନର ଉଦାସୀନତାରେ ଅତିଷ୍ଠ ହୋଇ ଶେଷରେ ଗ୍ରାମର ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳାମାନେ ନିଜେ ଅଣ୍ଟା ଭିଡ଼ିଛନ୍ତି। ସେମାନେ ସ୍ୱଇଚ୍ଛାରେ ବନ୍ଧରେ ଜମି ରହିଥିବା ମଇଲା ଓ ଆବର୍ଜନା ସଫା କରିବା ସହ ପଙ୍କ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି। ମହିଳାମାନଙ୍କ ଏହି ଉଦ୍ୟମ ଅଞ୍ଚଳବାସୀଙ୍କ ମଧ୍ୟରେ ପ୍ରଶଂସା ସାଉଁଟିଥିବା ବେଳେ ପ୍ରଶାସନିକ ବ୍ୟବସ୍ଥାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଗ୍ରାମବାସୀଙ୍କ କହିବା ଅନୁଯାୟୀ, ଡୁମ୍ବୁରୀ ବନ୍ଧର ପୁନରୁଦ୍ଧାର ହେଲେ ଜଳ ସଂରକ୍ଷଣ ସହ କୃଷି କାର୍ଯ୍ୟରେ ଏବଂ ଜନସାଧାରଣଙ୍କ ବ୍ୟବହାରରେ ବିଶେଷ ସହାୟକ ହେବ। ତେଣୁ ଉଚ୍ଚ କର୍ତ୍ତୃପକ୍ଷ ଘଟଣାକୁ ଗୁରୁତ୍ୱର ସହ ନେଇ ବନ୍ଧର ସମ୍ପୂର୍ଣ୍ଣ ପଙ୍କ ଉଦ୍ଧାର ଓ ସଂରକ୍ଷଣ ପାଇଁ ଯଥାଶୀଘ୍ର ପଦକ୍ଷେପ ନେବାକୁ ବୁଦ୍ଧିଜୀବୀ ମହଲ ଓ ସ୍ଥାନୀୟ ଲୋକଙ୍କ ପକ୍ଷରୁ ଦାବି ହେଉଛି।

