କୋଦଳା,୦୮/୦୬,(ବାପୁନି ମାଲୁ): ଜନସାଧାରଣଙ୍କୁ ସେବା ଯୋଗାଇଦେବା ପାଇଁ ସରକାରୀ କର୍ମଚାରୀ ନିଯୁକ୍ତି ହୋଇଛନ୍ତି। କିନ୍ତୁ ସେବା ଯୋଗାଇ ଦେବା ଦୂରର କଥା ଲୋକଙ୍କୁ କିଭଳି ବ୍ଯବହାର କରାଯିବ ତାହା ବି କିଛି କର୍ମଚାରୀଙ୍କୁ ଜଣା ନାହିଁ। ଏମିତି ଏକ ସରକାରୀ କର୍ମଚାରୀ ଏବେ ବିବାଦ ଘେରକୁ ଆସିଛନ୍ତି। ସେ ହେଲେ ଗଞ୍ଜାମ ଜିଲ୍ଲା କୋଦଳା ତହସିଲ ଅନ୍ତର୍ଗତ ଫାସି ଆର୍ ଆଇ ସୁନୀଲ ସାହୁ। ସାଧାରଣ ଲୋକଙ୍କୁ କଥା କଥାକେ ଧମକ ଦେଉଛନ୍ତି। ୩ ଜଣଙ୍କ ନାମରେ ମିଥ୍ଯା କେଶ୍ ରୁଜୁ କରିସାରିଲେଣି ଏହି ଆର୍ ଆଇ ବାବୁ। ଦୁର୍ଭାଗ୍ୟର କଥା ଜଣେ ଭାରତୀୟ ସେନାର ଜବାନ୍ କଂ ନାମରେ ମଧ୍ୟ ଏହି ଆର୍ ଆଇ ଜଣକ ମିଥ୍ଯା ମୋକଦ୍ଦମା କୋଦଳା କୋର୍ଟରେ କରିଥିବା କହିଛନ୍ତି ଆଇନଜୀବୀ ଆଲୋକ ହୋତା। ଶହ ଶହ ଛାତ୍ରଛାତ୍ରୀ ମାନେ ଏହି ଅଫିସ କୁ ବିଭିନ୍ନ ପ୍ରମାଣ ପତ୍ର ପାଇଁ ଯାଇ ଆର୍ ଆଇଙ୍କ ଠାରୁ ଆକ୍ରୋଶର ଶିକାର ହୋଇଥିବା ଅଭିଯୋଗ ହେଉଛି। ଦୀର୍ଘ ବର୍ଷ ଧରି କୋଦଳା ତହସିଲ କାର୍ଯ୍ଯାଳୟ ଅଧିନରେ ଏହି ଆର୍ ଆଇ କାର୍ଯ୍ଯ କରୁଥିବା ବେଳେ ଗତ ୮ ମାସ ତଳେ ତାଙ୍କର ବଦଳି ହୋଇଥିଲା। କିନ୍ତୁ ସେତେବେଳେ ତହସିଲଦାର ଶସ୍ମିତା ଶତପଥୀ ଆର୍ ଆଇ ଅଭାବ ଯୋଗୁଁ ତାଙ୍କୁ ରଖିଥିଲେ। ହେଲେ ଏବେ ଆର୍ ଆଇଙ୍କ ଦୌରାତ୍ମ୍ଯ ଚରମ ସୀମାରେ ପହଞ୍ଚିଛି। ଗତ କିଛି ଦିନ ତଳେ ପ୍ରଶ୍ନ ପଚାରିବାରୁ ଦୁର୍ବ୍ଯବହାର କରୁଥିବା ନେଇ ଏକ ଭିଡିଓ ଭାଇରାଲ ହୋଇଥିଲା।ମଠ ସରସିଂର ଗୁଲସନ୍ କର ନାମକ ଜଣେ ଛାତ୍ର ଆବଶ୍ୟକ କାଗଜପତ୍ର ଦାଖଲ କରି ମଧ୍ୟ ଜାତିଗତ ପ୍ରମାଣପତ୍ର ପାଇ ନଥିବା ଅଭିଯୋଗ ହୋଇଥିଲା। ଉଦେଶ୍ୟ ମୂଳକ ଭାବେ ଛାତ୍ରକୁଂ ହଇରାଣ କରିଥିଲେ ଆର୍ ଆଇ। ଏବେ ଗୋଟିଏ ନୂହେଁ, ବହୁ ସଂଖ୍ୟାରେ ଅଭିଯୋଗ ଆସୁଛି। ଚାଷୀଙ୍କ ଠାରୁ ଆରମ୍ଭ କରି ଛାତ୍ର ଛାତ୍ରୀ, ସାଧାରଣ ଲୋକେ ଆର୍ ଆଇଙ୍କ କାର୍ଯ୍ୟକୁ ନେଇ କଡା ନିନ୍ଦା କରୁଛନ୍ତି। ଗଞ୍ଜାମ ଜିଲ୍ଲାପାଳ, ରାଜସ୍ବ ମନ୍ତ୍ରୀ କହୁଛନ୍ତି ଲୋକଙ୍କ ସମାସ୍ଯାକୁ ଧ୍ଯାନ ଦିଅ। କିନ୍ତୁ ଏହି ଆର୍ ଆଇ ବାବୁଙ୍କ ସେଥିପ୍ରତି ନିଘା ନାହିଁ। ଏ ସମ୍ପର୍କରେ ସୋମବାର ବହୁ ଗଣମାଧ୍ୟମ ପ୍ରତିନିଧି କୋଦଳା ତହସିଲଦାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ତୁରନ୍ତ ପଦକ୍ଷେପ ନିଆଯାଉ ବୋଲି ଦାବି କରିଛନ୍ତି। ସେପଟେ ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦେଇଛନ୍ତି କୋଦଳା ତହସିଲଦାର ବିନ୍ଦୁ ବଳୟ ରାଉତରାୟ।

