ବୁଗୁଡ଼ା,୨୩।୮(ପୂର୍ଣ୍ଣ ଚନ୍ଦ୍ର ବାରିକ):ରାଜ୍ୟ ସରକାର ପଲିଥିନର ବ୍ୟବହାର ଉପରେ କଟକଣା ଲାଗୁ କରିଥିଲେ ହେଁ ପ୍ରଶାସନିକ ସ୍ଥାଣୁତା ଯୋଗୁଁ ତୃଣମୂଳ ସ୍ତରରେ ଏହି କଟକଣାର କିଛି ମାନେ ନଥିବା ପରି ମନେ ହେଉଛି। ବୁଗୁଡ଼ା ସହର ସମେତ ଆଖପାଖ ଅଞ୍ଚଳରେ ବେଳକୁ ବେଳ ପଲିଥିନର ବହୁଳ ବ୍ୟବହାର ଯୋଗୁଁ ପରିବେଶ ଦୂଷିତ ହେବାରେ ଲାଗିଛି। ଯେଉଁ ଆଡ଼ ଦେଖିବ ସେହି ଆଡ଼ କୁଢ କୁଢ ପଲିଥିନ ଅଳିଆ ଗଦାରେ ପଡ଼ି ରହିଥିବାର ଦେଖିବାକୁ ମିଳୁଛି। ହୋଟେଲ, ଜଳଖିଆ ଦୋକାନ ଓ ପନିପରିବା ଦୋକାନ ସମେତ ସବୁଠି ପଲିଥିନର ମାତ୍ରାଧିକ ବ୍ୟବହାର ଯୋଗୁଁ ପରିବେଶବିତ୍ ମହଲରେ ଉଦ୍ବେଗ ପ୍ରକାଶ ପାଇଛି। ପଲିଥିନର ବହୁଳ ବ୍ୟବହାର ଯୋଗୁଁ ଏକଦା କାଗଜ ଠୁଙ୍ଗା ପ୍ରସ୍ତୁତ କରି ପରିବାରର ଗୁଜୁରାଣ ମେଣ୍ଟାଉଥିବା ବ୍ୟକ୍ତି ଏବେ ଜୀବିକା ହରାଇ ବସିଛନ୍ତି। ପଲିଥିନର ବ୍ୟବହାର ପରିବେଶ ଉପରେ କୁପ୍ରଭାବ ପାଉଥିବାରୁ ରାଜ୍ୟ ସରକାର ୨୦୧୮ ଅକ୍ଟୋବର ୨ ତାରିଖ ଗାନ୍ଧୀ ଜୟନ୍ତୀ ଅବସରରେ ପଲିଥିନ ବ୍ୟବହାର ଉପରେ ନିଷେଧାଦେଶ ଜାରି କରିଥିଲେ । ମାତ୍ର ସରକାର ଲାଗୁ କରିଥିବା କଟକଣାକୁ ବ୍ୟବସାୟ ପ୍ରତିଷ୍ଠାନ ଗୁଡ଼ିକ ମାନୁନଥିବା ବେଳେ ପ୍ରଶାସନିକ ଉଦାସୀନତା ପରୋକ୍ଷରେ ପଲିଥିନର ବହୁଳ ବ୍ୟବହାର ପାଇଁ ବ୍ୟବସାୟ ପ୍ରତିଷ୍ଠାନ ଗୁଡ଼ିକୁ ପ୍ରୋତ୍ସାହିତ କରୁଥିବା ନେଇ ସାଧାରଣରେ ଚର୍ଚ୍ଚା ହେଉଛି। ଏଣୁ ପ୍ରଶାସନିକ ଅଧିକାରୀମାନେ ପଲିଥିନ ବ୍ୟବହାର ପ୍ରତି ଲଗାମ ଲଗାଇବା ଦିଗରେ ଗୁରୁତ୍ବ ଦେବାକୁ ବୁଗୁଡ଼ା ଅଞ୍ଚଳର ସଚେତନ ନାଗରୀକମାନେ ଦାବି କରିଛନ୍ତି। ଏଥି ସହ ପଲିଥିନ ବ୍ୟବହାର କରୁଥିବା ବ୍ୟବସାୟ ପ୍ରତିଷ୍ଠାନ ଗୁଡ଼ିକ ବିରୁଦ୍ଧରେ ଆଇନ୍ ଅନୁଯାୟୀ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି।

