ନୂଆପଡ଼ା,୨୧।୦୯(ପରମେଶ୍ୱର ମେହେର):ବୋଡ଼େନ ବ୍ଲକ ପରିସରରେ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିରରେ ସାଧାରଣ ଲୋକଙ୍କ ବିଭିନ୍ନ ସମସ୍ୟା ଓ ଅଭିଯୋଗ ଶୁଣାଣି କରାଯାଇ ତାହାର ତ୍ୱରିତ ସମାଧାନ ନିମନ୍ତେ ଜିଲ୍ଲାପାଳ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ଆବଶ୍ୟକ ନିର୍ଦ୍ଦେଶ ଦେଇଥିଲେ।ଆଜିର ଶିବିରରେ ମୋଟ ୫୦ଟି ଅଭିଯୋଗ ପଞ୍ଜିକୃତ ହୋଇଥିଲା। ସେଥିମଧ୍ୟରୁ ୩୭ଟି ବ୍ୟକ୍ତିଗତ ଓ ୧୩ଟି ଗୋଷ୍ଠୀଗତ ଅଭିଯୋଗ ରହିଥିଲା। ଅଭିଯୋଗକାରୀମାନଙ୍କ ସମସ୍ୟା ଶୁଣି ଜିଲ୍ଲାପାଳ ସମ୍ପୃକ୍ତ ଅଧିକାରୀମାନଙ୍କୁ ଆବଶ୍ୟକ ପଦକ୍ଷେପ ନେବା ସହ ଅଭିଯୋଗଗୁଡ଼ିକର ତ୍ୱରିତ ସମାଧାନ ସୁନିଶ୍ଚିତ କରିବାକୁ କହିଥିଲେ।ପୂର୍ବରୁ ଅନୁଷ୍ଠିତ ଅଭିଯୋଗ ଶୁଣାଣି ଶିବିରଗୁଡ଼ିକରେ ଗ୍ରହଣ କରାଯାଇଥିବା ଅଭିଯୋଗର ଫଇସଲା ସ୍ଥିତି ମଧ୍ୟ ଜିଲ୍ଲାପାଳ ସମୀକ୍ଷା କରିଥିଲେ। ଅବଶିଷ୍ଟ ଅଭିଯୋଗଗୁଡ଼ିକର ଶୀଘ୍ର ଫଇସଲା କରି ଅଭିଯୋଗକାରୀଙ୍କୁ ଉପଯୁକ୍ତ ସେବା ଯୋଗାଇଦେବାକୁ ସେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।ଶିବିର ଅବସରରେ ଲିଟିସର୍ଗି ଗ୍ରାମର ମୋହନ ଜଗତ ଓ ଆକରୁ କୁଳଦୀପଙ୍କୁ ରେଡକ୍ରସ ପାଣ୍ଠିରୁ ୫ ହଜାର ଟଙ୍କା ଲେଖାଏଁ ଆର୍ଥିକ ସହାୟତାର ଚେକ୍ ପ୍ରଦାନ କରାଯାଇଥିଲା।ସାଧାରଣ ଲୋକଙ୍କୁ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ଯୋଗାଇଦେବା ଉଦ୍ଦେଶ୍ୟରେ ଶିବିର ପରିସରରେ ବରିଷ୍ଠ ନାଗରିକଙ୍କ ପାଇଁ ସ୍ୱାସ୍ଥ୍ୟ ଶିବିର ଓ ଆୟୁଷ୍ମାନ ଆରୋଗ୍ୟ ଶିବିର ଆୟୋଜନ କରାଯାଇଥିଲା। ଏଥିରେ ବରିଷ୍ଠ ନାଗରିକମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ସହ ଆବଶ୍ୟକ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯାଇଥିଲା। ଡୁମେରବାହାଲ ଗ୍ରାମର ୯୮ ବର୍ଷୀୟ କମଲେ ନିଆଲ ମଧ୍ୟ ଶିବିରରେ ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରାଇଥିଲେ।ଏହି ଅବସରରେ ସ୍ୱଚ୍ଛ ସାଥି ମାନଙ୍କୁ ଶାଢ଼ୀ ଓ ପରିଚୟ ପତ୍ର ପ୍ରଦାନ କରାଯାଇଥିଲା l ଶିବିରରେ ଜିଲ୍ଲା ପରିଷଦର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଲମ୍ବୋଦର ଧରୁଆ, ଉପଜିଲ୍ଲାପାଳ ସୁର୍ମୀ ସୋରେନ, ବନଖଣ୍ଡ ଅଧିକାରୀ ପ୍ରାନ୍ତୀୟ ଅଜିଜ୍ ଖାନ, ଜ଼ିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଇଶାନୀ ମିତ୍ର ଓ ବ୍ଲକ ଉପାଧ୍ୟକ୍ଷ ସଂଗୀତା ମାଝୀ ପ୍ରମୁଖ ଉପସ୍ଥିତ ଥିଲେ। ଡେପୁଟି ଜିଲ୍ଲାପାଳ ଶେଖ ନସିମ୍, ରୋଶନ କୁମାର ଜେନା, ବୋଡ଼େନ ବିଡିଓ ଚିନ୍ମୟ ସାଗର ଓ ତହସିଲଦାର ସରିତା ଗୁପ୍ତା ଶିବିର ପରିଚାଳନାରେ ସହଯୋଗ କରିଥିଲେ।ଏହି ଶିବିରରେ ବିଭିନ୍ନ ଜିଲ୍ଲାସ୍ତରୀୟ ଅଧିକାରୀ, ବିଭାଗୀୟ ଯନ୍ତ୍ରୀ, ଲାଇନ୍ ବିଭାଗର ଅଧିକାରୀ, ବ୍ଲକସ୍ତରୀୟ ଅଧିକାରୀ ଓ କର୍ମଚାରୀଙ୍କ ସମେତ ବହୁ ସଂଖ୍ୟାରେ ସାଧାରଣ ଲୋକ ଓ ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ।

