ଖଜୁରୀପଡ଼ା:ଜନବାଣୀ, ୨୪/୦୬(ମନୋଜ କୁମାର ବେହେରା ): କନ୍ଧମାଳ ଜିଲ୍ଲାର ଖଜୁରୀପଡ଼ା ବ୍ଲକ ଗୋଷ୍ଠୀ କୃଷି କାର୍ଯ୍ୟାଳୟ ପରିସରରେ ସୋମବାର ବ୍ଲକ ସ୍ତରୀୟ କୃଷକ ସମ୍ବାଦ, ପ୍ରାକୃତିକ ଓ ପ୍ରଗତିଶୀଳ କୃଷି ଆଲୋଚନା ଏବଂ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। କୃଷକମାନଙ୍କୁ ପ୍ରାକୃତିକ ଚାଷ ପ୍ରଣାଳୀ, ଜୈବିକ କୃଷି ଏବଂ ବିଭିନ୍ନ ସରକାରୀ ଯୋଜନା ସମ୍ପର୍କରେ ସଚେତନ କରିବା ଏହି କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ ଥିଲା। କାର୍ଯ୍ୟକ୍ରମରେ ଖଜୁରୀପଡ଼ା ୪ ନଂ ଜୋନ୍ ଜିଲ୍ଲା ପରିଷଦ ସଭ୍ୟା ଶ୍ରୀମତୀ ଉର୍ବଶୀ ଦିଗାଲ, ସ୍ଥାନୀୟ ସରପଞ୍ଚ ମନୋରଞ୍ଜନୀ ଜାନୀ ଏବଂ ବିଧାୟକ ପ୍ରତିନିଧି ଅନନ୍ତ କୁମାର ଦିଗାଲ ଅତିଥି ଭାବେ ଯୋଗଦେଇଥିଲେ। ସେହିପରି ଖଜୁରୀପଡ଼ା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶୁଭ ଦତ୍ତାତ୍ରେୟ ବାହିନୀପତି, ଗୋଷ୍ଠୀ କୃଷି ଅଧିକାରୀ ରଶ୍ମିତା କୁମାରୀ ସ୍ୱାଇଁ, ସହକାରୀ କୃଷି ଅଧିକାରୀ ମମତା ମହାନ୍ତି, ସହକାରୀ ଉଦ୍ୟାନ ଅଧିକାରୀ ଜ୍ଞାନରଞ୍ଜନ ଦିଗାଲ, ସହକାରୀ ପଶୁସମ୍ପଦ ଅଧିକାରୀ ପ୍ରତିଭା ପାଢୀ ଏବଂ ମତ୍ସ୍ୟ ସମ୍ପଦ ସହାୟିକା ସୁବାସିନୀ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।କର୍ମଶାଳାରେ ଗୋଷ୍ଠୀ କୃଷି ଅଧିକାରୀ ରଶ୍ମିତା କୁମାରୀ ସ୍ୱାଇଁ କହିଥିଲେ ଯେ, ରାସାୟନିକ ସାରର ସନ୍ତୁଳିତ ବ୍ୟବହାର ଏବଂ ମୃତ୍ତିକା ସ୍ୱାସ୍ଥ୍ୟର ସୁରକ୍ଷା ଉଦ୍ଦେଶ୍ୟରେ ଦେଶବ୍ୟାପୀ ଜୁନ୍ ୧ ରୁ ୩୦ ତାରିଖ ପର୍ଯ୍ୟନ୍ତ ‘କ୍ଷେତ ବଞ୍ଚାଅ ଅଭିଯାନ’ ପାଳିତ ହେଉଛି। ଏହି ଅବସରରେ ସବୁଜ ସାର, ଜିଆ ଖତ ଓ ଜୈବିକ ଖତର ବ୍ୟବହାର ବୃଦ୍ଧି କରି ପ୍ରାକୃତିକ କୃଷିକୁ ପ୍ରୋତ୍ସାହନ ଦେବା, ସମନ୍ୱିତ ଚାଷ ପ୍ରଣାଳୀ ଏବଂ କୃଷି ଯନ୍ତ୍ରପାତିର ଉପଯୋଗ ମାଧ୍ୟମରେ ଉତ୍ପାଦନ ବୃଦ୍ଧି ଉପରେ ଗୁରୁତ୍ୱ ଦିଆଯାଇଥିଲା।ସହକାରୀ ଉଦ୍ୟାନ ଅଧିକାରୀ ଜ୍ଞାନରଞ୍ଜନ ଦିଗାଲ ଉଦ୍ୟାନ ବିଭାଗର ବିଭିନ୍ନ ଯୋଜନା, ବ୍ୟବସାୟିକ ଫୁଲ, ଫଳ ଓ ପନିପରିବା ଚାଷ, ଛତୁ ଚାଷ ସହିତ ଜୀବାମୃତ, ବୀଜାମୃତ, ପଞ୍ଚଗବ୍ୟ ଓ ହାଣ୍ଡିଖତ ପ୍ରସ୍ତୁତି ପ୍ରଣାଳୀ ଏବଂ ଏହାର ଉପକାରିତା ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ।ସହକାରୀ ପଶୁସମ୍ପଦ ଅଧିକାରୀ ପ୍ରତିଭା ପାଢୀ ପଶୁସମ୍ପଦ ବିଭାଗରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା ଏବଂ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ମାଧ୍ୟମରେ ଗୋପାଳନ, କୁକୁଡ଼ା ପାଳନ ଓ ଛେଳି ପାଳନ କରି ସ୍ୱାବଲମ୍ବୀ ହେବାର ସୁଯୋଗ ବିଷୟରେ କୃଷକମାନଙ୍କୁ ସୂଚନା ଦେଇଥିଲେ। ମତ୍ସ୍ୟ ସମ୍ପଦ ସହାୟିକା ସୁବାସିନୀ ପ୍ରଧାନ ମତ୍ସ୍ୟ ପୋଖରୀ ଯୋଜନା ମାଧ୍ୟମରେ ମାଛଚାଷ, ସ୍ୱୟଂ ସହାୟକ ଗୋଷ୍ଠୀ (ଏସ୍ଏଚ୍ଜି) ଦ୍ୱାରା ପୋଖରୀ ଲିଜ ନେଇ ମତ୍ସ୍ୟଚାଷ କରି ଆର୍ଥିକ ସ୍ୱଚ୍ଛଳତା ହାସଲ କରିବାର ବିଭିନ୍ନ ସୁଯୋଗ ସମ୍ପର୍କରେ ଆଲୋକପାତ କରିଥିଲେ। ଅତିଥିମାନେ ତାଙ୍କ ବକ୍ତବ୍ୟରେ ପ୍ଲାଷ୍ଟିକ ମୁକ୍ତ ପରିବେଶ ଗଠନ, ମୃତ୍ତିକା ସଂରକ୍ଷଣ ଓ ଜୈବିକ କୃଷିକୁ ପ୍ରାଧାନ୍ୟ ଦେବା ଉପରେ ଗୁରୁତ୍ୱାରୋପ କରିଥିଲେ। ସେମାନେ ଯୁବପିଢ଼ିଙ୍କୁ ସଫଳ କୃଷି ଉଦ୍ୟୋଗୀ ହେବା ପାଇଁ ଆହ୍ୱାନ ଦେବା ସହ ସ୍ୱଳ୍ପ ଜମିରେ ବୈଜ୍ଞାନିକ ପଦ୍ଧତିରେ ବିଭିନ୍ନ ଫସଲ ଚାଷ ଓ କୃଷିଭିତ୍ତିକ ଉଦ୍ୟୋଗ ସ୍ଥାପନ କରି ସ୍ୱାବଲମ୍ବୀ ହେବାକୁ ପରାମର୍ଶ ଦେଇଥିଲେ। ବିଶେଷକରି ମହିଳା ଚାଷୀ ଓ ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ସରକାରୀ ଯୋଜନାରେ ସାମିଲ ହୋଇ ଆର୍ଥିକ ସଶକ୍ତିକରଣ ଦିଗରେ ଆଗେଇ ଆସିବାକୁ ଉତ୍ସାହିତ କରାଯାଇଥିଲା।ସହକାରୀ କୃଷି ଅଧିକାରୀ ମମତା ମହାନ୍ତି ମଞ୍ଚ ପରିଚାଳନା କରିଥିବା ବେଳେ ଶେଷରେ ଧନ୍ୟବାଦ ଜ୍ଞାପନ କରି ସମସ୍ତ କୃଷକଙ୍କୁ କର୍ମଶାଳାରେ ଆଲୋଚିତ ବିଷୟବସ୍ତୁକୁ କ୍ଷେତ୍ରସ୍ତରରେ ପ୍ରୟୋଗ କରିବା ପାଇଁ ଆହ୍ୱାନ ଜଣାଇଥିଲେ।

