ଚିକିଟି,୧୫।୯(ନିଗମାନନ୍ଦ ପଣ୍ଡା):ଓଡ଼ିଶାର ପ୍ରମୁଖ ଶକ୍ତିପୀଠଗୁଡ଼ିକ ମଧ୍ୟରେ ଚିକିଟି ନିକଟସ୍ଥ ରାମଗୁଡା ଗାଁ ବାଳାକୁମାରୀ ପାହାଡ଼ ଉପରେ ଅବସ୍ଥିତ ମା’ ବାଳାକୁମାରୀଙ୍କ ପୀଠର ସ୍ୱତନ୍ତ୍ର ମାହାତ୍ମ୍ୟ ରହିଛି। ପ୍ରତିବର୍ଷ ଏଠାକୁ ହଜାର ହଜାର ଭକ୍ତ ଓ ପର୍ଯ୍ୟଟକ ମା’ଙ୍କ ଦର୍ଶନ ପାଇଁ ଆସିଥାନ୍ତି। ବିଶେଷକରି ମା’ଙ୍କ ବାସନ୍ତିକ ଯାତ୍ରା ଓ ଦଶହରା ପୂର୍ବରୁ ଅନୁଷ୍ଠିତ ନବଦିନାତ୍ମକ ପୂଜା ଏହି ପୀଠର ଆଧ୍ୟାତ୍ମିକ ମହତ୍ତ୍ୱକୁ ଆହୁରି ବଢ଼ାଇଥାଏ।ଆଗାମୀ ନବଦିନାତ୍ମକ ପୂଜା ଓ ଯାତ୍ରା ପାଇଁ ବର୍ତ୍ତମାନଠାରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଏହା ଅକ୍ଟୋବର ୧୧ ତାରିଖରୁ ଆରମ୍ଭ ହୋଇ ୧୯ ତାରିଖ ଯାଏଁ ଚାଲିବ।ଏହାକୁ ନେଇ ଭକ୍ତମାନଙ୍କ ମଧ୍ୟରେ ମଧ୍ୟ ଉତ୍ସାହ ପ୍ରକାଶ ପାଇଛି।ସମୟକ୍ରମେ ମନ୍ଦିର ପରିସରର ବିକାଶ କରାଯାଇ ଏଠାରେ ଭକ୍ତ ଓ ପର୍ଯ୍ୟଟକଙ୍କ ପାଇଁ ବିଭିନ୍ନ ସୁବିଧା ସୃଷ୍ଟି କରାଯାଇଛି। ପୂର୍ବରୁ ଏଠାରେ ମୁଖ୍ୟତଃ ମା’ ବାଳାକୁମାରୀଙ୍କ ମନ୍ଦିର ଥିବାବେଳେ ବର୍ତ୍ତମାନ ପରିସରରେ ବିରାଟକାୟ ଶିବଲିଙ୍ଗ, , ଗଣେଶ ମନ୍ଦିର, କାଳୀ ମନ୍ଦିର, ଶିବ ମନ୍ଦିର, ସୁନ୍ଦର ପାର୍କ , ଯାନବାହାନ ରଖିବା ପାର୍କ, ରୋଷେଇ ପାଇଁ ପ୍ରଭୃତ ଯାଗା,ଅନ୍ନ ଭୋଜନ ଆଦି ବିଭିନ୍ନ ବ୍ୟବସ୍ଥା କରାଯାଇଛି।ପାହାଡ଼ ଉପରକୁ ଯାତାୟାତ ପାଇଁ ମଧ୍ୟ ସୁବିଧା ରହିଛି। ବସ୍, କାର୍, ଟେମ୍ପୋ ସମେତ ସାଇକେଲ ଓ ଦୁଇଚକିଆ ଯାନରେ ମଧ୍ୟ ଭକ୍ତମାନେ ପାହାଡ଼ ଉପରକୁ ଯାଇ ମା’ଙ୍କ ଦର୍ଶନ କରିପାରୁଛନ୍ତି।ମା’ ବାଳାକୁମାରୀଙ୍କ ପୀଠ ଧାର୍ମିକ ଓ ପର୍ଯ୍ୟଟନ ଦୃଷ୍ଟିରୁ ଏକ ଆକର୍ଷଣୀୟ ସ୍ଥାନ ଭାବେ ପରିଚିତ ହୋଇଥିବାରୁ ଏହାକୁ ଓଡ଼ିଶା ପର୍ଯ୍ୟଟନର ମାନଚିତ୍ରରେ ଆହୁରି ପ୍ରମୁଖ ସ୍ଥାନ ଦେବା ପାଇଁ ଦାବି ମଧ୍ୟ ରହିଛି। ବର୍ଷସାରା ଏଠାକୁ ବହୁ ସଂଖ୍ୟାରେ ପର୍ଯ୍ୟଟକ ଓ ଭକ୍ତ ଆସୁଥିବା ବେଳେ ନବଦିନାତ୍ମକ ଯାତ୍ରା ସମୟରେ ଏଠାରେ ଭକ୍ତଙ୍କ ସମାଗମ ଆହୁରି ବୃଦ୍ଧି ପାଇଥାଏ।ମା’ ବାଳାକୁମାରୀଙ୍କ ଆଶୀର୍ବାଦରେ ଏହି ନବଦିନାତ୍ମକ ଯାତ୍ରା ଶାନ୍ତି, ଶୃଙ୍ଖଳା ଓ ଭକ୍ତିମୟ ପରିବେଶରେ ସମ୍ପନ୍ନ ହେଉ—ଏହା ଭକ୍ତମାନଙ୍କ ଆଶା।

